Bhagavad Gita: Chapter 17, Verse 23

ଓଁ ତତ୍‌ସଦିତି ନିର୍ଦ୍ଦେଶୋ ବ୍ରହ୍ମଣସ୍ତ୍ରିବିଧଃ ସ୍ମ୍ମୃତଃ ।
ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ।।୨୩।।

ଓଁ-ତତ୍‌-ସତ୍ -ଶବ୍ଦ ଯାହା ଦିବ୍ୟତାର ପ୍ରତୀକ ଅଟେ; ଇତି -ତାହା; ନିର୍ଦ୍ଦେଶଃ -ପ୍ରତୀକ; ବ୍ରହ୍ମଣଃ -ପରମେଶ୍ୱରଙ୍କର; ତ୍ରିବିଧଃ - ତିନିପ୍ରକାର; ସ୍ମୃତଃ - କଥିତ; ବ୍ରାହ୍ମଣାଃ - ବ୍ରାହ୍ମଣମାନେ; ତେନ -ତାଙ୍କ ଠାରୁ; ବେଦାଃ - ବେଦଶାସ୍ତ୍ର; ଚ-ଏବଂ; ଯଜ୍ଞାଃ -ଯଜ୍ଞ; ଚ-ଏବଂ; ବିହିତାଃ -ଆସିଛନ୍ତି; ପୁରା-ସୃଷ୍ଟିର ପ୍ରାରମ୍ଭରୁ ।

Translation

BG 17.23: ସୃଷ୍ଟିର ପ୍ରାରମ୍ଭରୁ “ଓଁ ତତ୍ ସତ୍‌” ପରମ ଅନ୍ତିମ ସତ୍ୟର ପ୍ରତୀକ ଭାବରେ ସ୍ୱୀକୃତ । ତାଙ୍କଠାରୁ ପୁରୋହିତ, ଶାସ୍ତ୍ର ଏବଂ ଯଜ୍ଞ ଜାତ ହୋଇଛନ୍ତି ।

Commentary

ଶ୍ରୀକୃଷ୍ଣ ଏହି ଅଧ୍ୟାୟରେ, ତିନୋଟି ଭୌତିକ ଗୁଣ ଅନୁଯାୟୀ; ଯଜ୍ଞ, ତପ ଏବଂ ଦାନର ଶ୍ରେଣୀ ମାନଙ୍କର ବର୍ଣ୍ଣନା କଲେ । ଏହି ତିନୋଟି ଗୁଣ ମଧ୍ୟରୁ ତାମସିକ ଗୁଣ ଆତ୍ମାର ପତନ ଅଜ୍ଞାନତା, ଶକ୍ତିହୀନତା ଏବଂ ଆଳସ୍ୟ ଆଦି ଅଭିମୁଖରେ କରାଏ । ରାଜସିକ ଗୁଣ ମନୁଷ୍ୟକୁ ଉତ୍ତେଜିତ କରି ଅସଂଖ୍ୟ କାମନାର ବନ୍ଧନରେ ପକାଏ । ସାତ୍ତ୍ୱିକଗୁଣ, ପ୍ରଶାନ୍ତ, ଜ୍ଞାନୋଦୀପ୍ତ ଏବଂ ସଦ୍‌ଗୁଣ ଉଦ୍ରେକ କାରକ ଅଟେ । ତଥାପି ସାତ୍ତ୍ୱିକ ଗୁଣ ମାୟିକ ଜଗତର ଅଧୀନ ଅଟେ । ତେଣୁ ଆମେ ତାହା ପ୍ରତି ଆସକ୍ତ ନ ହୋଇ ତାହାକୁ ଆଧ୍ୟାତ୍ମିକ ସ୍ତରରେ ପହଞ୍ôଚବା ପାଇଁ ଏକ ଶିଢ଼ି ରୂପରେ ବ୍ୟବହାର କରିବା ଉଚିତ୍ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ, ତ୍ରିଗୁଣର ଊର୍ଦ୍ଧ୍ୱକୁ ଯାଇ ଓଁ ତତ୍ ସତ୍ ଶବ୍ଦଗୁଡ଼ିକର ବର୍ଣ୍ଣନା କରିଛନ୍ତି, ଯାହା ଅନ୍ତିମ ସତ୍ୟର ବିଭିନ୍ନ ଦିଗକୁ ସଙ୍କେତ କରିଥାଏ । ପରବର୍ତ୍ତୀ ଶ୍ଲୋକରେ ସେ ଏହି ସବୁ ଶବ୍ଦର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି ।