Bhagavad Gita: Chapter 16, Verse 21

ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ ।
କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍‌ତ୍ରୟଂ ତ୍ୟଜେତ୍ ।।୨୧।।

ତ୍ରିବିଧଂ- ତିନିପ୍ରକାର; ନରକସ୍ୟ -ନର୍କର; ଇଦଂ -ଏହି; ଦ୍ୱାରଂ -ଦ୍ୱାର; ନାଶନଂ- ଧ୍ୱଂସ; ଆତ୍ମନଃ -ଆତ୍ମାର; କାମଃ -କାମ; କ୍ରୋଧଃ -କ୍ରୋଧ; ତଥା -ଏବଂ; ଲୋଭଃ -ଲୋଭ; ତସ୍ମାତ୍ -ତେଣୁ; ଏତତ୍ -ଏହି; ତ୍ରୟଂ -ତିନୋଟିକୁ; ତ୍ୟଜେତ୍ -ତ୍ୟାଗ କରିବା ଉଚିତ ।

Translation

BG 16.21: ଜୀବକୁ ଆତ୍ମ-ବିନାଶର ନର୍କକୁ ନେଇଯିବା ପାଇଁ ତିନୋଟି ଦ୍ୱାର ରହିଛି - କାମ, କ୍ରୋଧ ଏବଂ ଲୋଭ । ତେଣୁ ସମସ୍ତେ ସେହି ତିନୋଟିକୁ ତ୍ୟାଗ କରିବା ଉଚିତ ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ ଆସୁରିକ ସ୍ୱଭାବର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ କାମ, କ୍ରୋଧ ଓ ଲୋଭ ପ୍ରତି ଇଶାରା କରି କହୁଛନ୍ତି ଯେ ଏହି ତିନୋଟି ତାହାର କାରଣ ଅଟନ୍ତି । ପୂର୍ବରୁ ଶ୍ଲୋକ ୩.୩୬ରେ ଅର୍ଜୁନ ପଚାରିଥିଲେ, ମନୁଷ୍ୟ ନିଜର ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ କାହିଁକି ପାପ କରିବାକୁ ପ୍ରେରିତ ହୁଏ । ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ କହିଥିଲେ, ଏହା କାମନା ଅଟେ, ଯାହା ପରବର୍ତ୍ତୀ ସମୟରେ କ୍ରୋଧରେ ରୂପାନ୍ତରିତ ହୁଏ । ଏହା ସଂସାରର ସର୍ବଗ୍ରାସୀ ଶତ୍ରୁ ଅଟେ । ଲୋଭ କାମନାର ହିଁ ଏକ ରୂପାନ୍ତର ଅଟେ, ଯାହାର ବିସ୍ତୃତ ବର୍ଣ୍ଣନା ଶ୍ଲୋକ ୨.୬୨ର ଭାବାର୍ଥରେ କରାଯାଇଛି । କାମ, କ୍ରୋଧ ଏବଂ ଲୋଭ ମିଶି ଆସୁରିକ ପାପପ୍ରବୃତ୍ତି ବିକସିତ କରିବା ପାଇଁ ଆଧାର ପ୍ରସ୍ତୁତ କରିଥାଆନ୍ତି । ସେମାନେ ମନକୁ ରୁଗ୍‌ଣ କରିଦିଅନ୍ତି ଏବଂ ତାହାକୁ ଅନ୍ୟ ପାପକୁ ଜନ୍ମ ଦେବା ପାଇଁ ଏକ ଉପଯୁକ୍ତ କ୍ଷେତ୍ରରେ ପରିଣତ କରନ୍ତି । ସେଥିପାଇଁ, ଶ୍ରୀକୃଷ୍ଣ ସେମାନଙ୍କୁ ନର୍କର ଦ୍ୱାର ରୂପେ ଆଖ୍ୟାୟୀତ କରିଛନ୍ତି ଏବଂ ଆତ୍ମ-ବିନାଶରୁ ରକ୍ଷା ପାଇବା ନିମନ୍ତେ ସେହି ତିନୋଟିର ପରିତ୍ୟାଗ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଁମାନେ ନିଜର କଲ୍ୟାଣ ଇଚ୍ଛା କରନ୍ତି, ସେମାନେ ଯତ୍ନର ସହିତ ତାଙ୍କ ବ୍ୟକ୍ତିତ୍ୱରେ ଏହି ତିନୋଟିର ଉପସ୍ଥିତିକୁ ପ୍ରତିହତ କରିବାର ଶିକ୍ଷା ଲାଭ କରିବା ଉଚିତ୍ ।