Bhagavad Gita: Chapter 16, Verse 12

ଆଶାପାଶଶତୈର୍ବଦ୍ଧାଃ କାମକ୍ରୋଧପରାୟଣାଃ ।
ଈହନ୍ତେ କାମଭୋଗାର୍ଥମନ୍ୟାୟେନାର୍ଥସଞ୍ଚୟାନ୍ ।।୧୨।।

ଆଶା-ପାଶ- କାମନା ପାଶରେ; ଶତୈଃ -ଶହ ଶହ; ବଦ୍ଧାଃ -ବାନ୍ଧିହୋଇ; କାମ -କାମ; କ୍ରୋଧ -କ୍ରୋଧ; ପରାୟଣାଃ -ସର୍ବଦା ନିୟତ; ଈହନ୍ତେ- ପ୍ରୟାସ କରନ୍ତି; କାମ-କାମ; ଭୋଗ-ଇନ୍ଦ୍ରିୟ ସୁଖଭୋଗ; ଅର୍ଥଂ -ଉଦ୍ଦେଶ୍ୟରେ; ଅନ୍ୟାୟେନ -ଅନ୍ୟାୟ ଉପାୟରେ; ଅର୍ଥ-ଧନ; ସଞ୍ଚୟାନ୍‌- ସଞ୍ଚୟ କରିବା ।

Translation

BG 16.12: ଶତାଧିକ କାମନାର ଦାସ ହୋଇ, କାମ ଏବଂ କ୍ରୋଧ ଦ୍ୱାରା ପ୍ରେରିତ ହୋଇ, ସେମାନେ ଅସାଧୁ ଉପାୟରେ ସମ୍ପତ୍ତି ଏକତ୍ର କରିବାରେ ଚେଷ୍ଟାରତ ରହନ୍ତି, ଯାହା କେବଳ ତାଙ୍କର ଇନ୍ଦ୍ରିୟମାନଙ୍କର ସନ୍ତୋଷ ବିଧାନ ପାଇଁ ହୋଇଥାଏ ।

Commentary

ସଂସାର ଭୋଗ କରିବା ପାଇଁ ଧନ ମାଧ୍ୟମ ଅଟେ । ସେଥିପାଇଁ ବସ୍ତୁବାଦୀ ବ୍ୟକ୍ତି, ତାଙ୍କର ଅତୃପ୍ତ କାମନା ଦ୍ୱାରା ପ୍ରେରିତ ହୋଇ,  ଜୀବନରେ କେବଳ ଧନ ସଂଗ୍ରହକୁ ପ୍ରାଥମିକତା ଦେଇଥାନ୍ତି । ସେଥିପାଇଁ ସେମାନେ ଅନୈତିକ ଉପାୟ ଅବଲମ୍ବନ କରିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେହି ଅନୈତିକ ଆଚରଣ ପାଇଁ ତାଙ୍କୁ ଦ୍ୱିଗୁଣିତ ଦଣ୍ଡ ଅପେକ୍ଷା କରିଥାଏ । ଭାଗବତ କହେ:

ଯାବଦ୍ ଭ୍ରିୟେତ ଜଠରଂ ତାବତ୍ ସ୍ୱତ୍ୱଂ ହି ଦେହିନାମ୍‌
ଅଧିକଂ ଯୋଽଭିମନ୍ୟେତ ସ ସ୍ତେନୋ ଦଣ୍ଡମ୍ ଅର୍ହତି (୭.୧୪.୮)

“ଜଣେ ବ୍ୟକ୍ତି ନିଜର ପରିପୋଷଣ ପାଇଁ ଯେତିକି ଧନ ଆବଶ୍ୟକ, ସେତିକି ଧନର ଅଧିକାରୀ ଅଟନ୍ତି (ଅଧିକ ଧନ ସେ ଦାନ କରିପାରନ୍ତି) । ଯିଏ ଆବଶ୍ୟକତାରୁ ଅଧିକ ଧନ ସଞ୍ଚୟ କରେ, ସେ ଭଗବାନଙ୍କ ଦୃଷ୍ଟିରେ ଚୋର ଅଟେ ଏବଂ ସେଥିପାଇଁ ସେ ଦଣ୍ଡିତ ହେବ ।” ଦଣ୍ଡ କ’ଣ? ପ୍ରଥମତଃ, ମୃତ୍ୟୁ ସମୟରେ ସଞ୍ôଚତ ଧନ ତାଙ୍କ ସାଙ୍ଗରେ ଯିବ ନାହିଁ - ଏହା ଛଡ଼ାଇ ନିଆଯିବ । ଦ୍ୱିତୀୟତଃ, କର୍ମର ନିୟମ ଅନୁସାରେ, ବ୍ୟକ୍ତି ଧନ ଅର୍ଜନ ପାଇଁ କରୁଥିବା ପାପ ପାଇଁ ଦଣ୍ଡିତ ହେବ, ଯେପରି ଜଣେ ଚୋରାବେପାରୀ ଧରାପଡ଼ିଲେ ତା’ର ଧନ ଜବତ ହେବା ସହିତ ସେ ଆଇନ ଉଲ୍ଲଙ୍ଘନ କରିଥିବା ଯୋଗୁଁ ଦଣ୍ଡିତ ହୋଇଥାଏ ।