Bhagavad Gita: Chapter 16, Verse 16

ଅନେକଚିତ୍ତବିଭ୍ରାନ୍ତା ମୋହଜାଲସମାବୃତାଃ ।
ପ୍ରସକ୍ତାଃ କାମଭୋଗେଷୁ ପତନ୍ତି ନରକେଽଶୁଚୌ ।।୧୬।।

ଅନେକ -ଅନେକ; ଚିତ୍ତ-ବିଭ୍ରାନ୍ତଃ -କଳ୍ପନାଶୀଳତା; ମୋହ-ମୋହ; ଜାଲ-ଜାଲ; ସମାବୃତାଃ -ପରିବେଷ୍ଟିତ; ପ୍ରସକ୍ତାଃ -ଆସକ୍ତ; କାମ -କାମ; ଭୋଗେଷୁ -ଇନ୍ଦ୍ରିୟସୁଖ ଭୋଗରେ; ପତନ୍ତି -ପତିତ ହୁଏ; ନରକେ -ନର୍କରେ; ଅଶୁଚୌ -ଅପବିତ୍ର ।

Translation

BG 16.16: ଏହିପରି କଳ୍ପନାଶୀଳତା ଦ୍ୱାରା ଆବିଷ୍ଟ ଏବଂ ଦିଗଭ୍ରଷ୍ଟ ହୋଇ, ମୋହ ଜାଲରେ ଛନ୍ଦି ହୋଇ ଏବଂ ଇନ୍ଦ୍ରିୟ ସୁଖ ସମ୍ଭୋଗରେ ନିଶାସକ୍ତ ହୋଇ, ସେମାନେ ଅନ୍ଧକାରତମ ନର୍କରେ ପତିତ ହୁଅନ୍ତି ।

Commentary

ଅହଂକାରର ପ୍ରଭାବରେ ବ୍ୟକ୍ତି ନିଜକୁ ମନ ମନେକରି ତା’ର ନିଷ୍କ୍ରିୟ ଏବଂ ପୁନରାବର୍ତ୍ତ ବିଚାର ଧାରାରେ ଆବଦ୍ଧ ହୋଇଯାଏ । ବସ୍ତୁତଃ, ସେମାନେ ନିଜ ମନର କବଳିତ ହୋଇଯାଆନ୍ତି, ଯାହା ଏକ ଭଙ୍ଗା ରେକର୍ଡ଼ ପରି ବାରମ୍ବାର ଚାଲିଥାଏ ଏବଂ ତାଙ୍କ ବିଚାର ଦ୍ୱାରା ଉତ୍ପନ୍ନ ହୋଇଥିବା ଜଗତରେ ରହନ୍ତି । ଅଶୁଦ୍ଧ ମନଦ୍ୱାରା ଉତ୍ପନ୍ନ ଏକ ଲୋକପ୍ରିୟ ଚିନ୍ତାଧାରା ହେଉଛି, ଅଭିଯୋଗ କରିବା । ମନ ଅନ୍ୟମାନଙ୍କ ବିରୁଦ୍ଧରେ, ଏପରିକି ପରିସ୍ଥିତି ବିରୁଦ୍ଧରେ ଅଭିଯୋଗ କରିବାକୁ ଏବଂ ସେମାନଙ୍କ ପ୍ରତି ବିରକ୍ତି ପ୍ରକାଶ କରିବାକୁ ଭଲପାଏ । “ଏପରି ହେବା ଉଚିତ ନ ଥିଲା”, “ମୁଁ ଏଠାରେ ରହିବାକୁ ଇଚ୍ଛା କରୁନାହିଁ”, “ମୋ ପ୍ରତି ଅନ୍ୟାୟ କରାଯାଉଛି” ଇତ୍ୟାଦି ପ୍ରତ୍ୟେକ ଅଭିଯୋଗ ପାଇଁ ମନ ଛୋଟ ଛୋଟ କାହାଣୀ ପ୍ରସ୍ତୁତ କରିଥାଏ ଏବଂ ଆମ୍ଭେମାନେ ମଧ୍ୟ ତାହାକୁ ବିଶ୍ୱାସ କରିଥାଏ । ମନ ନିଜ ସ୍ୱରରେ ଜୀବନର ଦୁଃଖ, ଉଦ୍‌ବେଗ କିମ୍ବା କ୍ରୋଧର କାହାଣୀ ଶୁଣାଇଥାଏ ଏବଂ ବିଚରା ମଣିଷ ଅହଂକାରର ପ୍ରବାହରେ, ମନ କହୁଥିôବା କାହାଣୀକୁ ସ୍ୱୀକାର କରିଥାଏ । ଅଭିଯୋଗ କରିବାର ମନୋବୃତ୍ତି ବୃଦ୍ଧି ଲାଭ କରିବା ଫଳରେ ମନରେ ତିକ୍ତତା ବା ଅପ୍ରସନ୍ନତା ଜାତ ହୁଏ । ଅପ୍ରସନ୍ନତାର ଅଭିପ୍ରାୟ କ୍ଷୁବ୍ଧହେବା, ବ୍ୟଥିତ ହେବା ବା କ୍ଷୁର୍ଣ୍ଣ ହେବା । ଅପ୍ରସନ୍ନତା ବହୁ ଦିନ ଧରି ଲାଗି ରହିବା ଫଳରେ ମନୋବେଦନା ଜାତ ହୁଏ । ମନୋବେଦନା ଏକ ଶକ୍ତିଶାଳୀ ନକାରାତ୍ମକ ମନୋଭାବ, ଯାହା ଅତୀତର କୌଣସି ଘଟଣା ସହିତ ସଂଯୁକ୍ତ ହୋଇଥାଏ । ଏକ ଅଦମ୍ୟ ଚିନ୍ତନ ଦ୍ୱାରା ଜୀବନ୍ତ ରହିଥାଏ ଏବଂ ମସ୍ତିଷ୍କକୁ ବାରମ୍ବାର କହିଥାଏ, “ମୋ ସହିତ ଜଣେ ଏପରି କରିଥିଲା” । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହିଛନ୍ତି ଯେ, ଆସୁରିକ ସ୍ୱଭାବର ବ୍ୟକ୍ତି, ଯେଉଁମାନେ ଅହଂକାର ଦ୍ୱାରା ସୃଷ୍ଟି ହୋଇଥିବା ଭ୍ରମ ଜାଲରେ ବଞ୍ôଚବାକୁ ଚାହାଁନ୍ତି, ସେମାନେ ନିକୃଷ୍ଟଗୁଣର ଅସଂଖ୍ୟ ବିଚାର ଦ୍ୱାରା ହତବୁଦ୍ଧି ହୋଇଯାଆନ୍ତି । ଫଳସ୍ୱରୂପ, ସେମାନେ ନିଜର ଭାଗ୍ୟକୁ ଅନ୍ଧକାରମୟ କରିଦିଅନ୍ତି ।

ମନୁଷ୍ୟ ନିଜ ଇଚ୍ଛା ଅନୁସାରେ କର୍ମ କରିବା ପାଇଁ ସ୍ୱତନ୍ତ୍ର ଅଟେ, କିନ୍ତୁ ତାଙ୍କ କର୍ମର ଫଳ ନିର୍ଦ୍ଧାରଣ କରିବା ପାଇଁ ସେମାନେ ସ୍ୱାଧୀନ ନୁହଁନ୍ତି । କର୍ମର ନିୟମ ଅନୁସାରେ ଭଗବାନଙ୍କ ଦ୍ୱାରା କର୍ମଫଳ ପ୍ରଦାନ କରାଯାଇଥାଏ ।

କରମ ପ୍ରଧାନ ବିଶ୍ୱ କରି ରାଖା, ଜୋ ଜସ କରଇ ସୋ ତସ ଫଳ ଚାଖା ।

“ସଂସାର କର୍ମ ପ୍ରଧାନ ଅଟେ । ମନୁଷ୍ୟ ଯେପରି କର୍ମ କରେ ସେପରି ଫଳର ଆସ୍ୱାଦନ କରେ ।” ତେଣୁ ସମସ୍ତଙ୍କୁ ନିଜ କର୍ମର ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିବ । ବାଇବେଲ ମଧ୍ୟ କହେ: “ନିଶ୍ଚିତ ରହ, ତୁମ ପାପ ତୁମକୁ ଖୋଜି ବାହାର କରିଦେବ ।” (ନମ୍ବର୍‌ସ ୩୨.୨୩) ସେଥିପାଇଁ, ଆସୁରିକ ପ୍ରବୃତ୍ତି ପୋଷଣ କରୁଥିବା ବ୍ୟକ୍ତିଙ୍କୁ ପର ଜନ୍ମରେ ଭଗବାନ ନିମ୍ନ ଯୋନି ପ୍ରଦାନ କରିଥାନ୍ତି । ଏହାର ସିଦ୍ଧାନ୍ତ ଅତ୍ୟନ୍ତ ସରଳ ଅଟେ:

ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ
ଜଘନ୍ୟ ଗୁଣ ବୃତ୍ତିସ୍ଥା ଅଧୋ ତିଷ୍ଠନ୍ତି ତାମସାଃ (ଗରୁଡ଼ ପୁରାଣ)

“ଯେଉଁମାନେ ସ୍ୱାତ୍ତିକ ସ୍ୱଭାବଯୁକ୍ତ ହୋଇ କର୍ମ କରନ୍ତି, ସେମାନେ ଉଚ୍ଚତର ଲୋକକୁ ଗମନ କରନ୍ତି; ଯେଉଁମାନେ ରାଜସିକ ପ୍ରବୃତ୍ତି ଯୁକ୍ତ ହୋଇ କର୍ମ କରନ୍ତି, ସେମାନେ ମଧ୍ୟବର୍ତ୍ତୀ ଲୋକରେ ରହନ୍ତି ଏବଂ ଯେଉଁମାନେ ତାମସିକ ମନୋଭାବରେ କାର୍ଯ୍ୟ କରନ୍ତି ଏବଂ ପାପ ମନୋବୃତ୍ତିଯୁକ୍ତ ହୋଇଥାନ୍ତି, ସେମାନେ ନିମ୍ନଲୋକକୁ ଅବତରଣ କରନ୍ତି ।”