Bhagavad Gita: Chapter 8, Verse 11

ଯଦକ୍ଷରଂ ବେଦବିଦୋ ବଦନ୍ତି
ବିଶନ୍ତି ଯଦ୍ଦ୍ୟତୟୋ ବିତରାଗାଃ ।
ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି
ତତ୍ତେ ପଦଂ ସଙ୍ଗ୍ର୍ରହେଣ ପ୍ରବକ୍ଷ୍ୟେ ।।୧୧।।

ଯତ୍ - ଯେଉଁ; ଅକ୍ଷରଂ - ଅକ୍ଷର, ଅବ୍ୟୟ; ବେଦ-ବିଦଃ - ବେଦଜ୍ଞମାନେ (ବେଦ ଜାଣିଥିବା ବ୍ୟକ୍ତି); ବଦନ୍ତି - କହନ୍ତି; ବିଶନ୍ତି - ପ୍ରବେଶ କରନ୍ତି; ଯତ୍ - ଯେଉଁଥିରେ, ଯତୟଃ - ମହାନ୍ ମୁନି-ଋଷିବୃନ୍ଦ; ବୀତ-ରାଗାଃ - ସନ୍ନ୍ୟାସାଶ୍ରମରେ; ଯତ୍ - ଯାହା; ଇଚ୍ଛନ୍ତଃ - ଇଚ୍ଛାକରି; ବ୍ରହ୍ମଚର୍ଯ୍ୟଂ - ବ୍ରହ୍ମଚର୍ଯ୍ୟ; ଚରନ୍ତି - ଆଚରଣ କରନ୍ତି, ଅଭ୍ୟାସ କରନ୍ତି; ତତ୍ - ତାହା; ତେ - ତୁମକୁ; ପଦଂ - ଲକ୍ଷ୍ୟ; ସଂଗ୍ରହେଣ - ସଂକ୍ଷେପରେ; ପ୍ରବକ୍ଷେ - ମୁଁ କହିବି ।

Translation

BG 8.11: ବେଦଜ୍ଞ ପଣ୍ଡିତମାନେ ତାଙ୍କୁ ଅକ୍ଷର କହନ୍ତି; ବଡ ବଡ ତପସ୍ୱୀମାନେ ତାଙ୍କ ମଧ୍ୟରେ (ବ୍ରହ୍ମ ମଧ୍ୟରେ) ପ୍ରବେଶ କରିବା ପାଇଁ ସାଂସାରିକ ସୁଖ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି । ମୁଁ ବର୍ତ୍ତମାନ ସଂକ୍ଷେପରେ ତୁମକୁ ସେହି ଲକ୍ଷ୍ୟର ମାର୍ଗ ବିଷୟରେ କହିବି ।

Commentary

ବେଦରେ ଭଗବାନଙ୍କୁ ଅନେକ ନାମରେ ବର୍ଣ୍ଣନା କରାଯାଇଅଛି । ସେଥି ମଧ୍ୟରୁ କେତେକ ହେଲା: ସତ୍‌, ଅଭ୍ୟାକୃତ୍‌, ପ୍ରାଣ, ଇନ୍ଦ୍ର, ଦେବ, ବ୍ରହ୍ମ, ପରମାତ୍ମା, ଭଗବାନ, ପୁରୁଷ ଇତ୍ୟାଦି । ଅନେକ ସ୍ଥାନରେ, ତାଙ୍କର ନିରାକାର ସ୍ୱରୂପ ବର୍ଣ୍ଣନା କରିବା ସମୟରେ, ତାଙ୍କୁ ଅକ୍ଷର ନାମରେ ସମ୍ବୋଧନ କରାଯାଇଅଛି । ଅକ୍ଷର ଶବ୍ଦର ଅର୍ଥ ହେଲା ‘ଅବିନଶ୍ୱର’ ।

ବୃହଦାରଣ୍ୟକ ଉପନିଷଦରେ ଉଲ୍ଲେଖ ଅଛି: -

“ଏତସ୍ୟ ବା ଅକ୍ଷରସ୍ୟ ପ୍ରଶାସନେ ଗାର୍ଗି ସୂର୍ଯ୍ୟଚନ୍ଦ୍ରମସୌ ବିଧୃତୌ ତିଷ୍ଠତଃ ।” (୩.୮.୯)

ଅକ୍ଷର ବ୍ରହ୍ମଙ୍କର ଶକ୍ତିଶାଳୀ ନିୟନ୍ତ୍ରଣରେ ସୂର୍ଯ୍ୟ, ଚନ୍ଦ୍ର ତାଙ୍କର ପଥରେ ସ୍ଥିତ ରହନ୍ତି । ଏହି ଶ୍ଲୋକରେ ଶ୍ରୀକୃଷ୍ଣ ଯୋଗ-ମିଶ୍ରିତା ଭକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି ଯଦ୍ୱାରା ନିରାକାର ବ୍ରହ୍ମଙ୍କୁ ପ୍ରାପ୍ତ କରାଯାଇ ପାରିବ । ସଂଗ୍ରହେଣ ଶବ୍ଦର ଅର୍ଥ ହେଲା ସଂକ୍ଷିପ୍ତ । ଏହି ମାର୍ଗ ସମସ୍ତଙ୍କ ପାଇଁ ଉପଯୁକ୍ତ ହୋଇ ନ ଥିବାରୁ, ଏହା ଉପରେ ଗୁରୁତ୍ୱ ନ ଦେଇ, ସେ ଏହି ମାର୍ଗକୁ ସଂକ୍ଷେପରେ ବର୍ଣ୍ଣନା କରିବେ ।

ଏହି ମାର୍ଗରେ ବ୍ୟକ୍ତିଙ୍କୁ ସାଂସାରିକ କାମନା ତ୍ୟାଗ କରି, ବ୍ରହ୍ମଚର୍ଯ୍ୟ ପାଳନ କରି, ସଂଯମଯୁକ୍ତ ଜୀବନଯାପନ କରି କଠୋର ତପସ୍ୟା କରିବାକୁ ପଡିଥାଏ । ବ୍ରହ୍ମଚର୍ଯ୍ୟ ଦ୍ୱାରା ଦୈହିକ ଶକ୍ତି ସଞ୍ଚୟ ହୋଇ ସାଧନା ଦ୍ୱାରା ଆଧ୍ୟାତ୍ମିକ ଶକ୍ତିରେ ରୂପାନ୍ତରିତ ହୁଏ । ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ସାଧକ ସ୍ମରଣ ଶକ୍ତି ଏବଂ ବୁଦ୍ଧିର ବିକାଶ କରି ଆଧ୍ୟାତ୍ମିକ ବିଷୟ ହୃଦୟଙ୍ଗମ କରିପାରେ । ଏହାର ବର୍ଣ୍ଣନା ଶ୍ଳୋକ ୬.୧୪ରେ କରାଯାଇଅଛି ।