Bhagavad Gita: Chapter 8, Verse 13

ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ।
ଯଃ ପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍ ।।୧୩।।

ଓଁ - ନିରାକାର ବ୍ରହ୍ମଙ୍କୁ ସୂଚିତ କରୁଥିବା ପବିତ୍ର ଧ୍ୱନି; ଇତି - ଏହି ପ୍ରକାରେ; ଏକ ଅକ୍ଷରଂ - ପରମ ଅକ୍ଷର ; ବ୍ରହ୍ମ- ପରମ ସତ୍ୟ; ବ୍ୟାହରନ୍ - ଜପ କରି; ମାମ୍ - ମୋତେ (ଶ୍ରୀକୃଷ୍ଣ); ଅନୁସ୍ମରନ୍ - ସ୍ମରଣ କରି; ଯଃ - ଯିଏ; ପ୍ରୟାତି - ତ୍ୟାଗ କରେ; ତ୍ୟଜନ୍ - ତ୍ୟାଗ କରି; ଦେହଂ - ଏହି ଶରୀର; ସଃ - ସେ; ଯାତି - ପ୍ରାପ୍ତ ହୁଏ; ପରମାଂ - ପରମ; ଗତିମ୍ - ଲକ୍ଷ୍ୟସ୍ଥଳକୁ ।

Translation

BG 8.13: ଯେଉଁ ବ୍ୟକ୍ତି ମୋତେ ଅଥବା ପରମ ପୁରୁଷ ଭଗବାନଙ୍କୁ ସ୍ମରଣ କରି ଏବଂ ଓଁକାର ମନ୍ତ୍ର ଉଚ୍ଚାରଣ କରି ଶରୀର ତ୍ୟାଗ କରେ, ସେ ନିଜର ପରମ ଚରମ ଲକ୍ଷ୍ୟ ପ୍ରାପ୍ତ କରେ ।

Commentary

‘ପ୍ରଣବ’ କୁହାଯାଉଥିବା ପବିତ୍ର ଓଁକାର ଧ୍ୱନି, ବ୍ରହ୍ମଙ୍କର (ନିର୍ଗୁଣ ନିରାକ୍ଷର ବ୍ରହ୍ମ) ଶାବ୍ଦିକ ପରିପ୍ରକାଶକୁ ସୂଚିତ କରିଥାଏ । ସୁତରାଂ, ଏହା ଭଗବାନଙ୍କ ପରି ଅବିନଶ୍ୱର ଅଟେ । ଶ୍ରୀକୃଷ୍ଣ ଏଠାରେ ଅଷ୍ଟାଙ୍ଗ ଯୋଗ ସାଧନା ଅନ୍ତର୍ଗତ ଧ୍ୟାନ ବିଧିର ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି,   କଠୋର ସଂଯମ ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ଓଁ ଶବ୍ଦର ଉଚ୍ଚାରଣ କରିବା ଉଚିତ । ବୈଦିକ ଶାସ୍ତ୍ରମାନଙ୍କରେ ଓଁ ଶବ୍ଦକୁ ‘ଅନାହତ ନାଦ’ କୁହାଯାଇ ଥାଏ । ଏହା ସମଗ୍ର ସୃଷ୍ଟିରେ ବ୍ୟାପ୍ତ ଏବଂ ସାଧନ ସମ୍ପନ୍ନ ଯୋଗୀ ମାନେ ଏହାକୁ ଶୁଣି ପାରନ୍ତି ।

ବାଇବେଲ୍ କହେ “ପ୍ରାରମ୍ଭରେ ଭଗବାନଙ୍କ ସହିତ ଗୋଟିଏ ‘ଶବ୍ଦ’ ଥିଲା ଏବଂ ସେହି ଶବ୍ଦଟି ଥିଲା ‘ଭଗବାନ’ (ଜନ୍ ୧:୧) । ବେଦଶାସ୍ତ୍ର ମଧ୍ୟ କହେ ଯେ ସର୍ବପ୍ରଥମେ ଭଗବାନ ଶବ୍ଦ ସୃଷ୍ଟି କଲେ, ଶବ୍ଦରୁ ଆକାଶ, ତତ୍‌ପଶ୍ଚାତ୍ ସୃଷ୍ଟିର ପ୍ରକ୍ରିୟାରେ ଅଗ୍ରସର ହେଲେ । ସେହି ମୂଳ ଶବ୍ଦଟି ‘ଓଁ’ ଥିଲା । ସେଥିପାଇଁ ବୈଦିକ ଦର୍ଶନ ଏହାକୁ ବହୁତ ଗୁରୁତ୍ୱ ଦେଇଥାଏ । ଏହାକୁ ବେଦର ମହାବାକ୍ୟ ବା ବିରାଟ ଶବ୍ଦ ତରଙ୍ଗ କୁହାଯାଏ । ଏହାକୁ ବୀଜମନ୍ତ୍ର ମଧ୍ୟ କୁହାଯାଏ, କାରଣ ଅନେକ ସମୟରେ ‘ହ୍ରୀଂ’ ‘କ୍ଳୀଂ’ ପରି ବେଦମନ୍ତ୍ରର ପ୍ରାରମ୍ଭରେ ଏହାକୁ ସଂଯୁକ୍ତ କରାଯାଇଥାଏ । ଓଁ ଧ୍ୱନି ତିନୋଟି ଅକ୍ଷରର ସମାହାର ଅଟେ । ଅ...ଉ...ମ । ଓଁର ସଠିକ୍ ଉଚ୍ଚାରଣ କରିବାକୁ ଯାଇ ବ୍ୟକ୍ତି ଅ ଶବ୍ଦଟିକୁ ଉନ୍ମୁକ୍ତ ଗଳା ଓ ମୁଖରେ ଉଦରରୁ ଆରମ୍ଭ କରିଥାଏ । ଉ ଶବ୍ଦର ଉଚ୍ଚାରଣ ମୁଖର ମଧ୍ୟଭାଗରେ ସୃଷ୍ଟି ହୋଇ, ମୁଖ ବନ୍ଦ କରି ‘ମ’ ଶବ୍ଦର ଉଚ୍ଚାରଣ  ସହିତ କ୍ରମଟି ଶେଷ ହୋଇଥାଏ । ଅ...ଉ...ମର ସମୀକ୍ଷା ଅନେକ ପ୍ରକାରରେ କରାଯାଇ ଥାଏ । ଭକ୍ତମାନଙ୍କ ପାଇଁ, ଓଁ ଭଗବାନଙ୍କର ନିରାକାର ସ୍ୱରୂପର ନାମ ଅଟେ ।

ଅଷ୍ଟାଙ୍ଗ ଯୋଗ ସାଧନାରେ ଏହି ପ୍ରଣବ ଶବ୍ଦର ଧ୍ୟାନ କରାଯାଇ ଥାଏ । ଭକ୍ତିଯୋଗରେ ଭକ୍ତ ଭଗବାନଙ୍କର ନାମ ଯେପରି କି ରାମ, କୃଷ୍ଣ, ଶିବ ଇତ୍ୟାଦିଙ୍କର ଧ୍ୟାନ କରିବାକୁ ପସନ୍ଦ କରନ୍ତି, କାରଣ ଏଥିରେ ଭଗବତ୍ ଆନନ୍ଦର ମାଧୁର୍ଯ୍ୟ ଭରି ରହିଥାଏ । ଏହି ଦୁଇ ପ୍ରକାରର ଅନୁଭୂତି ମଧ୍ୟରେ ଥିବା ପାର୍ଥକ୍ୟ ଗର୍ଭରେ ଶିଶୁକୁ ଧାରଣ କରିବା ଏବଂ କୋଳରେ ଶିଶୁକୁ ଧରିବା ପରି ଅଟେ । କୋଳରେ ଶିଶୁକୁ ଧରିବା ଗର୍ଭରେ ତାହାକୁ ଧାରଣ କରିବାର ଅନୁଭୂତି ଠାରୁ ଅଧିକ ମଧୁର ଅଟେ ।

ଧ୍ୟାନର ଅନ୍ତିମ ନିର୍ଣ୍ଣୟ ମୃତ୍ୟୁ ଅଟେ । ଯେଉଁମାନେ ମୃତ୍ୟୁର ଅସହ୍ୟ କଷ୍ଟ ସତ୍ତେ ମନକୁ ଭଗବାନଙ୍କ ଠାରେ କେନ୍ଦ୍ରିତ କରି ପାରନ୍ତି, ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଆନ୍ତି । ଶରୀର ତ୍ୟାଗ କରି ସେମାନେ ନିଜର ଚରମ ଲକ୍ଷ୍ୟ ପ୍ରାପ୍ତ କରନ୍ତି । ଏହା ଅତ୍ୟନ୍ତ ଦୁରୂହ ଅଟେ ଏବଂ ସେଥିପାଇଁ ଜୀବନବ୍ୟାପୀ ସାଧନା ଆବଶ୍ୟକ । ପରବର୍ତ୍ତୀ ଶ୍ଲୋକରେ, ଶ୍ରୀକୃଷ୍ଣ ସେହି ସାଧନାରେ ନିପୁଣ ହେବାର ସହଜ ଉପାୟ ନିର୍ଦ୍ଦେଶ କରୁଛନ୍ତି ।