Bhagavad Gita: Chapter 8, Verse 18

ଅବ୍ୟକ୍ତାଦ୍‌ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ ।
ରାତ୍ର‌୍ୟାଗମେ ପ୍ରଳୀୟନ୍ତେ ତତ୍ରୈବାବ୍ୟକ୍ତସଂଜ୍ଞକେ ।।୧୮।।

ଅବ୍ୟକ୍ତାତ୍ - ଅପ୍ରକଟରୁ; ବ୍ୟକ୍ତୟଃ - ପ୍ରକଟିତ; ସର୍ବାଃ - ସମସ୍ତ; ପ୍ରଭବନ୍ତି - ଜାତ ହୁଅନ୍ତି; ଅହଃ ଆଗମେ -ବ୍ରହ୍ମାଙ୍କ ଦିବସର ଆରମ୍ଭରେ; ରାତ୍ରି-ଆଗମେ - ରାତ୍ରି ଆରମ୍ଭରେ; ପ୍ରଲୀୟନ୍ତେ - ଧ୍ୱଂସ ହୁଅନ୍ତି;ତତ୍ର - ସେଠାରେ; ଏବ-ନିଶ୍ଚିତଭାବେ; ଅବ୍ୟକ୍ତ - ଅପ୍ରକଟ; ସଂଜ୍ଞକେ - କୁହାଯାଏ ।

Translation

BG 8.18: ବ୍ରହ୍ମାଙ୍କର ଦିବସ ପ୍ରାରମ୍ଭରେ, ସମସ୍ତ ପ୍ରାଣୀ ଅପ୍ରକଟ ଅବସ୍ଥାରୁ ପ୍ରକଟ ହେବାକୁ ଆରମ୍ଭ କରନ୍ତି ଏବଂ ରାତ୍ରିର ଆଗମନରେ ସମସ୍ତ ଶରୀରଧାରୀ ପ୍ରାଣୀ ପୁନର୍ବାର ସେହି ଅପ୍ରକଟରେ ସମାହିତ ହୋଇଯାଆନ୍ତି ।

Commentary

ବ୍ରହ୍ମାଣ୍ଡର ବିସ୍ମୟକର ଜାଗତିକ ଖେଳରେ, ସେଥିରେ ଥିବା ବିଭିନ୍ନ ଲୋକ ଏବଂ ସେମାନଙ୍କର ସୌରମଣ୍ଡଳ ସୃଷ୍ଟି, ସ୍ଥିତି ଓ ପ୍ରଳୟ ଚକ୍ର ମଧ୍ୟ ଦେଇ ବାରମ୍ବାର ଗତି କରିଥାଆନ୍ତି । ବ୍ରହ୍ମାଙ୍କର ଗୋଟିଏ ଦିନର ଶେଷରେ, ଯାହା ୪,୩୨,୦୦,୦୦,୦୦୦ ବର୍ଷର ଗୋଟିଏ କଳ୍ପ ଅଟେ, ମହଃ ଲୋକ ପର୍ଯ୍ୟନ୍ତ ସମସ୍ତ ସୌରମଣ୍ଡଳ ବିଲୋପ ହୋଇଯାଆନ୍ତି । ଏହାକୁ ନୈମିତ୍ତିକ ପ୍ରଳୟ (ଆଂଶିକ ପ୍ରଳୟ) କୁହାଯାଏ । ଶ୍ରୀମଦ୍ ଭାଗବତମରେ ଶୁକଦେବ ପରୀକ୍ଷିତଙ୍କୁ କହୁଛନ୍ତି, ଯେମିତି ଗୋଟିଏ ପିଲା ଦିନବେଳେ ଖେଳନାର କେତେ ଆକୃତି ଗଢିଥାଏ ଏବଂ ଶୋଇବା ପୂର୍ବରୁ ତାକୁ ଭାଙ୍ଗି ଦିଏ, ସେହିପରି ବ୍ରହ୍ମା ଜାଗ୍ରତ ହେଲେ ଏହି ବ୍ରହ୍ମାଣ୍ଡ ଓ ସମସ୍ତ ପ୍ରାଣୀ ସମୂହର ସୃଷ୍ଟି କରନ୍ତି ଏବଂ ଶୋଇବା ପୂର୍ବରୁ ସେସବୁକୁ ଲୋପ କରି ଦିଅନ୍ତି ।

ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ଶେଷରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ବିଲୁପ୍ତି ଘଟିଥାଏ । ଏହି ସମୟରେ ସମସ୍ତ ମାୟିକ ଜଗତର ଅନ୍ତ ହୋଇଯାଏ । ପଂଚ ମହାଭୂତ ପଂଚ ତନ୍‌ମାତ୍ରାରେ ଲୀନ ହୋଇଯାଏ, ପଂଚ ତନ୍ମାତ୍ର ଅହଂକାରରେ ଲୀନ ହୁଏ, ଅହଂକାର ମହାନରେ ଏବଂ ମହାନ ପ୍ରକୃତିରେ ଲୀନ ହୁଏ । ପ୍ରକୃତି ମାୟିକ (ମାୟା)ଶକ୍ତିର ସୂକ୍ଷ୍ମ ରୂପ ଅଟେ । ମାୟା ନିଜର ମୌଳିକ ରୂପରେ, ପରବ୍ରହ୍ମ ମହାବିଷ୍ଣୁଙ୍କ ଶରୀରରେ ଅବସ୍ଥାନ କରେ । ଏହାକୁ ପ୍ରାକୃତ ପ୍ରଳୟ ବା ମହାପ୍ରଳୟ କୁହାଯାଏ । ପୁଣି ମହାବିଷ୍ଣୁ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା କରନ୍ତି, ସେ ପ୍ରକୃତି ରୂପରେ ଥିବା ମାୟିକ ଶକ୍ତି ପ୍ରତି ଦୃଷ୍ଟିପାତ କରନ୍ତି ଏବଂ ତାଙ୍କର ଦୃଷ୍ଟି ମାତ୍ରେ ଏହା ପୁଣି ପ୍ରକାଶିତ ହେବାରେ ଲାଗେ । ପ୍ରକୃତିରୁ ମହାନ ଉତ୍ପନ୍ନ ହୁଏ । ମହାନରୁ ଅହଂକାର, ଅହଂକାରରୁ ପଂଚ ତନ୍ମାତ୍ରା ଏବଂ ପଂଚ ତନ୍ମାତ୍ରାରୁ ପଂଚ ମହାଭୂତ ଉତ୍ପନ୍ନ ହୁଅନ୍ତି । ଏହିପରି ଭାବରେ ଅସଂଖ୍ୟ ବିଶ୍ୱର ସୃଷ୍ଟି ହୋଇଥାଏ ।

ଆଧୁନିକ ବୈଜ୍ଞାନିକମାନଙ୍କର ଆକଳନ ଅନୁସାରେ ଆକାଶଗଙ୍ଗାରେ ୧୦୦ ଅର୍ବ ତାରକା ଅଛନ୍ତି । ଆକାଶଗଙ୍ଗା ପରି ପ୍ରାୟ ୧୦୦ ଅର୍ବ ଛାୟାପଥ ସମଗ୍ର ବ୍ରହ୍ମାଣ୍ଡରେ ଅଛନ୍ତି । ଏଣୁ ଗଣନା ଅନୁସାରେ ସମଗ୍ର ବ୍ରହ୍ମାଣ୍ଡରେ ୧୦୨୦ ଗୋଟି ତାରକା ଅଛନ୍ତି । ବେଦ ଅନୁସାରେ ଆମର ଏହି ବ୍ରହ୍ମାଣ୍ଡ ପରି ବିଭିନ୍ନ ଆକାର ଓ ପ୍ରକାରର ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି । ମହାବିଷ୍ଣୁ ଯେତେବେଳେ ଶ୍ୱାସ ତ୍ୟାଗ କରନ୍ତି ଅସଂଖ୍ୟ ବ୍ରହ୍ମାଣ୍ଡ ତାଙ୍କର ଶରୀରର ପ୍ରତି ଲୋମ କୂପରୁ ନିର୍ଗତ ହୁଅନ୍ତି ଏବଂ ଯେତେବେଳେ ଶ୍ୱାସ ଗ୍ରହଣ କରନ୍ତି, ସମଗ୍ର ବ୍ରହ୍ମାଣ୍ଡ ପୁନର୍ବାର ତାଙ୍କ ମଧ୍ୟରେ ଲୀନ ହୋଇଯାଆନ୍ତି । ଏହିପରି ଭାବରେ ବ୍ରହ୍ମାଙ୍କର ୧୦୦ବର୍ଷ ଭଗବାନଙ୍କର ଗୋଟିଏ ନିଶ୍ୱାସ/ପ୍ରଶ୍ୱାସ ସହିତ ସମାନ । ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ବ୍ରହ୍ମା, ଜଣେ ବିଷ୍ଣୁ ଏବଂ ଜଣେ ଶଙ୍କର ଅଛନ୍ତି । ସୁତରାଂ ଅନନ୍ତ ବ୍ରହ୍ମାଣ୍ଡରେ ଅନନ୍ତ ବ୍ରହ୍ମା, ବିଷ୍ଣୁ ଓ ଶଙ୍କର ଅଛନ୍ତି । ପ୍ରତ୍ୟେକ ବ୍ରହ୍ମାଣ୍ଡର ବିଷ୍ଣୁ ମହାବିଷ୍ଣୁଙ୍କର ସ୍ୱରୂପ ଅଟନ୍ତି ।