Bhagavad Gita: Chapter 8, Verse 8

ଅଭ୍ୟାସଯୋଗଯୁକ୍ତେନ ଚେତସା ନାନ୍ୟଗାମିନା ।
ପରମଂ ପୁରୁଷଂ ଦିବ୍ୟଂ ଯାତି ପାର୍ଥାନୁଚିନ୍ତୟନ୍ ।।୮।।

ଅଭ୍ୟାସ- ଅଭ୍ୟାସ; ଯୋଗ-ଯୁକ୍ତେନ - ନିରନ୍ତର ଧ୍ୟାନରେ ମଗ୍ନ; ଚେତସା- ମନ ଓ ବୃଦ୍ଧି ଦ୍ୱାରା; ନ ଅନ୍ୟଗାମିନା - ଆଦୌ ବିଚ୍ୟୁତ ନହୋଇ; ପରମଂ - ପରମ; ପୁରୁଷଂ - ପରମପୁରୁଷ ଭଗବାନ; ଦିବ୍ୟଂ - ଦିବ୍ୟ; ଯାତି -ପ୍ରାପ୍ତ ହୁଏ; ପାର୍ଥ - ହେ ପୃଥାପୁତ୍ର; ଅନୁଚିନ୍ତୟନ୍ - ବାରମ୍ବାର ସ୍ମରଣ ।

Translation

BG 8.8: ହେ ପାର୍ଥ! ଅଭ୍ୟାସ ଦ୍ୱାରା, ତୁମେ ଯେତେବେଳେ ସର୍ବଦା ଅବିଚଳିତ ଭାବରେ ମୋର, ପରମ ପୁରୁଷ ଭଗବାନଙ୍କର, ଧ୍ୟାନ କରିବ, ନିଶ୍ଚିତ ରୂପେ ତୁମେ ମୋତେ ପ୍ରାପ୍ତ କରିବ ।

Commentary

ଭଗବଦ୍ ଗୀତାରେ ଅନେକ ସ୍ଥାନରେ, ଭଗବାନଙ୍କର ସ୍ମରଣ ସର୍ବଦା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତନ୍ମଧ୍ୟରୁ କେତୋଟି ଶ୍ଳୋକ ଏହିପରି ଅଟେ:

ଅନନ୍ୟଚେତାଃ ସତତମ୍ - ୮.୧୪.
ମୟ୍ୟେବ ମନ ଆଧତ୍‌ସ୍ୱ - ୧୨.୮
ତେଷାଂ ସତତ -ଯୁକ୍ତାନାମ୍ - ୧୦.୧୦

ଅଭ୍ୟାସ ଅର୍ଥ ମନକୁ ପ୍ରଶିକ୍ଷିତ କରିବା ଏବଂ ଭଗବାନଙ୍କର ଧ୍ୟାନ କରିବାରେ ମନକୁ ଅଭ୍ୟସ୍ତ କରିବା । ଏପରି ଅଭ୍ୟାସ ଦିନର କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ବା ସମୟ ବ୍ୟବଧାନରେ ନ କରି, ଦୈନନ୍ଦିନ କର୍ମ ସହିତ ସର୍ବଦା କରିବା ଉଚିତ । ମନ ଯେତେବେଳେ ଭଗବାନଙ୍କ ପ୍ରତି ଆସକ୍ତ ହୋଇଯିବ, ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ, ତାହା ଶୁଦ୍ଧ ହୋଇଯିବ । ଏଠାରେ ଏହା ମନେ ରଖିବା ମହତ୍ୱପୂର୍ଣ୍ଣ ଯେ ଆମ ମନର ଚିନ୍ତନ ଅନୁସାରେ ଆମର ଭବିଷ୍ୟତ ରୂପାୟିତ ହୋଇଥାଏ, ଶାରୀରିକ କର୍ମ ଦ୍ୱାରା ନୁହେଁ । ମନରେ ହିଁ ଭକ୍ତି କରିବାକୁ ପଡ଼ିବ ଏବଂ ମନକୁ ହିଁ ଭଗବାନଙ୍କର ଶରଣାଗତ କରିବାକୁ ପଡ଼ିବ । ଭଗବାନଙ୍କ ସହିତ ମନ ଯେତେବେଳେ ପୂର୍ଣ୍ଣ ତନ୍ମୟତା ପ୍ରାପ୍ତ କରିନେବ, ସେତେବେଳ ଆମେ ତାଙ୍କର ଦିବ୍ୟ କୃପା ଲାଭ କରିବା । ଭଗବାନଙ୍କ କୃପାରୁ ମାୟିକ ବନ୍ଧନରୁ ମୁକ୍ତ ହୋଇ ଆମେ ତାଙ୍କର ଅନନ୍ତ ଦିବ୍ୟ ଆନନ୍ଦ, ଦିବ୍ୟ ଜ୍ଞାନ ଏବଂ ଦିବ୍ୟ ପ୍ରେମ ପ୍ରାପ୍ତ କରିପାରିବା । ଜୀବ ଏହି ଶରୀରରେ ହିଁ ଭଗବତ୍ ପ୍ରାପ୍ତି କରିପାରିବ ଏବଂ ଦେହ ତ୍ୟାଗ କଲା ପରେ ସେ ଭଗବାନଙ୍କର ଲୋକ (ଗୋଲକ) ପ୍ରାପ୍ତ କରିବ ।