Bhagavad Gita: Chapter 8, Verse 15

ମାମୁପେତ୍ୟ ପୁର୍ନଜନ୍ମ ଦୁଃଖାଳୟମଶାଶ୍ୱତମ୍ ।
ନାପ୍ନୁବନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତାଃ ।।୧୫।।

ମାମ୍ - ମୋତେ; ଉପେତ୍ୟ - ପ୍ରାପ୍ତ କରି; ପୁନଃ-ପୁନର୍ବାର; ଜନ୍ମ-ଜନ୍ମ; ଦୁଃଖାଳୟମ୍ - ଦୁଃଖପୂର୍ଣ୍ଣ ସ୍ଥାନ; ଅଶାଶ୍ୱତମ୍ - ଅସ୍ଥାୟୀ; ନ ଆପ୍ନୁବନ୍ତି - ପା’ନ୍ତି ନାହିଁ; ମହାତ୍ମାନଃ - ମହାତ୍ମାଗଣ; ସଂସିଦ୍ଧିଂ - ସିଦ୍ଧି; ପରମାଂ - ପରମ; ଗତାଃ - ପ୍ରାପ୍ତ ହୋଇଛନ୍ତି ।

Translation

BG 8.15: ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁର୍ନବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି ।

Commentary

ଭଗବତ୍ ପ୍ରାପ୍ତିର ଫଳ କ’ଣ? ଯେଉଁମାନେ ଭଗବତ୍ ପ୍ରାପ୍ତି କରନ୍ତି, ସେମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କର ଦିବ୍ୟ ଲୋକରେ ସ୍ଥାନ ପାଆନ୍ତି । ସେମାନଙ୍କୁ ପୁଣି ଏହି ସଂସାରରେ ଜନ୍ମନେବାକୁ ପଡ଼େ ନାହିଁ, ଯାହାକି ଦୁଃଖ ଭୋଗର ଏକ ସ୍ଥାନ ଅଟେ । ଆମେ ଜନ୍ମ ହେବାର କଷ୍ଟପ୍ରଦ ପ୍ରକ୍ରିୟା ଭୋଗ କରୁ ଏବଂ ଅସହାୟ ଭାବେ କ୍ରନ୍ଦନ କରେ । ଗୋଟିଏ ଛୋଟ ଶିଶୁ ଭାବରେ ଆମର ଅନେକ ଆବଶ୍ୟକତା ରହିଥାଏ ଯାହା ପ୍ରକାଶ କରି ନ ପାରି ଆମେ କାନ୍ଦିଥାଏ । କିଶୋର ଅବସ୍ଥାରେ ଆମେ ନିଜର ଶାରୀରିକ କାମନାକୁ ନେଇ ସଂଘର୍ଷରେ ମାନସିକ ଅଶାନ୍ତି ଭୋଗ କରେ । ବୈବାହିକ ଜୀବନରେ ସ୍ୱାମୀ/ସ୍ତ୍ରୀଙ୍କର ମନମୁଖୀ ସ୍ୱଭାବକୁ ସହ୍ୟ କରିବାକୁ ପଡିଥାଏ଼ । ବୃଦ୍ଧାବସ୍ଥାରେ ଶାରୀରିକ କଷ୍ଟ ଭୋଗ କରେ । ଏହିପରି ସାରା ଜୀବନ ଆମେ ଶାରୀରିକ ଓ ମାନସିକ କଷ୍ଟ ସହିତ ଅନ୍ୟର ବ୍ୟବହାର ଏବଂ ପରିବେଶ ଜନିତ କ୍ଲେଶ ଭୋଗକରିଥାଏ । ଶେଷରେ ଆମେ ମୃତ୍ୟୁର କଷ୍ଟ ଅନୁଭବ କରିଥାଏ ।

ଏହି ସବୁ ଯାତନା ଅର୍ଥହୀନ ନୁହେଁ, ଭଗବାନଙ୍କର ବୃହତ୍ ଯୋଜନାରେ ଏହାର ଗୋଟିଏ ଉଦ୍ଦେଶ୍ୟ ରହିଛି । ଏହା ଆମର ହୃଦ୍‌ବୋଧ କରାଇଥାଏ ଯେ ଭୌତିକ ଜଗତ ଆମର ସ୍ଥାୟୀ ନିବାସ ନୁହେଁ । ଆମ୍ଭମାନଙ୍କ ପରି ଭଗବତ୍ ବିମୁଖ ଜୀବାତ୍ମାମାନଙ୍କ ପାଇଁ ଏହା ଏକ ସୁଧାର ଗୃହ ସଦୃଶ ଅଟେ । ଦୁଃଖ କଷ୍ଟ ଭୋଗ ନ କଲେ ଆମେ କେବେ ବି ଭଗବାନଙ୍କର କାମନା କରନ୍ତେ ନାହିଁ । ଉଦାହରଣ ସ୍ୱରୂପ, ଯଦି ଆମେ ଅଗ୍ନିକୁ ସ୍ପର୍ଶ କରିବା ତେବେ ଦୁଇଟି କଥା ହେବ - ହାତ ପୋଡିଯିବ ଏବଂ ଆମେ ଯନ୍ତ୍ରଣା ଅନୁଭବ କରିବା । ହାତ ପୋଡିଯିବା ଖରାପ କଥା କିନ୍ତୁ ଯନ୍ତ୍ରଣା ଅନୁଭବ କରିବା ଆମ ପାଇଁ ଲାଭଦାୟକ ଅଟେ । ଆମେ ଯଦି ଯନ୍ତ୍ରଣା ଅନୁଭବ କରି ନଥାନ୍ତେ, ତାହେଲେ ଆମେ ହାତକୁ ନିଆଁଠାରୁ ଦୂରେଇ ନେଇ ନ ଥାନ୍ତେ ଏବଂ ତଦ୍ୱାରା ଆମର ବହୁତ କ୍ଷତି ହୋଇଥାଆନ୍ତା । ତେଣୁ ଯନ୍ତ୍ରଣାଟି ଏକ ସୂଚନା ଯେ କେଉଁଠି କିଛି ଭୁଲ ରହିଯାଇଛି ଏବଂ ତାକୁ ସୁଧାରିବା ଆବଶ୍ୟକ । ସେହିପରି ମାୟିକ଼ ଜଗତରେ ଅନୁଭବ କରୁଥିବା ଦୁଃଖ କଷ୍ଟ ମାଧ୍ୟମରେ   ଭଗବାନ ଆମକୁ ସତର୍କ କରାଇ ଥାଆନ୍ତି ଯେ ଆମର ଚେତନା ଦୋଷଯୁକ୍ତ ଅଟେ । ସଂସାରିକ ଚେତନାରୁ ଆମେ ଭଗବତ୍ ଚେତନାଯୁକ୍ତ ହେବା ନିମନ୍ତେ ଅଗ୍ରସର ହେବା ଆବଶ୍ୟକ ।

ନିଜ ଚେଷ୍ଟାରେ ଆମେ ନିଜକୁ ଯେତିକି ଯୋଗ୍ୟ କରିଥାଏ, ଶେଷରେ ଆମେ ସେତିକି ହିଁ ପ୍ରାପ୍ତ କରେ । ଯେଉଁମାନେ ନିଜର ଚେତନାକୁ ଭଗବାନଙ୍କ ପ୍ରତି ବିମୁଖ କରିଥାଆନ୍ତି, ସେମାନେ ଜନ୍ମମୃତ୍ୟୁର ଚକ୍ରରେ ଘୁରୁଥାଆନ୍ତି ଏବଂ ଯେଉଁମାନେ ଅନନ୍ୟ ଭାବରେ ଭଗବାନଙ୍କର ଶରଣାଗତ ହୁଅନ୍ତି, ସେମାନେ ଭଗବାନଙ୍କର ଦିବ୍ୟ ଲୋକ ପ୍ରାପ୍ତ କରନ୍ତି ।