Bhagavad Gita: Chapter 8, Verse 17

ସହସ୍ରଯୁଗପର୍ଯ୍ୟନ୍ତମହର୍ଯଦ୍‌ବ୍ରହ୍ମଣୋ ବିଦୁଃ ।
ରାତ୍ରିଂ ଯୁଗସହସ୍ରାନ୍ତାଂ ତେଽହୋରାତ୍ରବିଦୋ ଜନାଃ ।।୧୭।।

ସହସ୍ର - ସହସ୍ର (ହଜାର); ଯୁଗ - ଯୁଗ; ପର୍ଯ୍ୟନ୍ତମ୍ - ସମେତ; ଅହଃ- ଗୋଟିଏ ଦିବସ; ଯତ୍‌- ଯାହା; ବ୍ରହ୍ମଣଃ -ବ୍ରହ୍ମାଙ୍କର; ବିଦୁଃ - ଜାଣ; ରାତ୍ରିଂ - ରାତ୍ରି; ଯୁଗସହସ୍ରାନ୍ତଂ- ସେହିପରି ଏକ ହଜାର ଯୁଗ ଶେଷରେ; ତେ - ସେମାନେ; ଅହଃ ରାତ୍ର - ଦିବସ ଏବଂ ରାତ୍ରି; ବିଦଃ - ଜ୍ଞାତା; ଜନାଃ - ଲୋକମାନେ ।

Translation

BG 8.17: ବ୍ରହ୍ମାଙ୍କର ଗୋଟିଏ ଦିନ (କଳ୍ପ) ହଜାର ସଂଖ୍ୟାର ଚର୍ତୁଯୁଗ (ମହାଯୁଗ) ସହିତ ସମାନ ଅଟେ ଏବଂ ତାଙ୍କ ରାତ୍ରିର ଅବଧି ମଧ୍ୟ ସେତିକି ଅଟେ । ଯେଉଁ ବିଜ୍ଞ ବ୍ୟକ୍ତି ଏହା ଜାଣନ୍ତି, ସେ ଦିବା ଓ ରାତିର ବାସ୍ତବିକ ସତ୍ୟତାକୁ ବୁଝିପାରନ୍ତି ।

Commentary

ବୈଦିକ ବ୍ରହ୍ମାଣ୍ଡ ପ୍ରଣାଳୀରେ ସମୟର ହିସାବ ମଧ୍ୟ ବିଶାଳ ଏବଂ ବିସ୍ମୟକର ଅଟେ । ଉଦାହରଣ ସ୍ୱରୂପ, ଏପରି କେତେକ କୀଟ ଅଛନ୍ତି, ଯେଉଁମାନଙ୍କର ଆୟୁ କେବଳ ଗୋଟିଏ ରାତ୍ରୀ ଅଟେ । ସେହି ଗୋଟିଏ ରାତ୍ରିରେ ସେମାନେ ଜନ୍ମ ନିଅନ୍ତି, ବଡ଼ ହୁଅନ୍ତି, ପ୍ରଜନନ କରନ୍ତି, ଅଣ୍ଡା ଦିଅନ୍ତି ଏବଂ ବୃଦ୍ଧ ହୁଅନ୍ତି । ସକାଳେ କୌଣସି ଆଲୋକ ସ୍ତମ୍ଭ ତଳେ ସେମାନେ ମରି ପଡ଼ିଥିବାର ଦେଖିବାକୁ ମିଳିଥାଏ । ଯଦି ସେହି କୀଟ ମାନଙ୍କୁ କୁହାଯିବ ସେମାନଙ୍କର ସମ୍ପୂର୍ଣ୍ଣ ଜୀବନକାଳ ମନୁଷ୍ୟର ଗୋଟିଏ ରାତ୍ରି ସହିତ ସମାନ ଅଟେ, ସେମାନେ ତାହା ବିଶ୍ୱାସ  କରିବେ ନାହିଁ ।

ସେହିପରି, ବେଦ କହେ, ଦେବତାମାନଙ୍କର ଯଥା ଇନ୍ଦ୍ର, ବରୁଣ ଆଦିଙ୍କର ଗୋଟିଏ ଦିନ ପୃଥିବୀର ଗୋଟିଏ ବର୍ଷ ସହିତ ସମାନ । ଦେବତା ମାନଙ୍କର ଗୋଟିଏ ବର୍ଷ, ପୃଥିବୀ ଲୋକର ୩୦ ଦିନ ୍‍ ୧୨ମାସ ଅର୍ଥାତ୍ ୩୬୦ ଦିନ ସହିତ ସମାନ । ଦେବତା ମାନଙ୍କର ୧୨,୦୦୦ ବର୍ଷ ପୃଥିବୀ ଲୋକର ଏକ ମହାଯୁଗ (୪ ଯୁଗର ଏକ ଚକ୍ର)କୁ ବୁଝାଏ, ଯାହା ୪ ନିୟୁତ ୩୨୦ ହଜାର ବର୍ଷ ଅଟେ । ଏହା ପୃଥିବୀରେ ସମୟର ସର୍ବୋଚ୍ଚ ଏକକ ଅଟେ, ଯାହାକୁ କଳ୍ପ କୁହାଯାଏ ।

 ୧୦୦୦ ମହାଯୁଗରେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ ଏବଂ ସେତିକି ବଡ଼ ବ୍ରହ୍ମାଙ୍କର ରାତ୍ରି । ବ୍ରହ୍ମାଙ୍କର ଆୟୁ ୧୦୦ବର୍ଷ ଅଟେ, ଯାହା ପୃଥିବୀର ହିସାବରେ ୩୧୧ ଖର୍ବ ୪୦ ଅର୍ବ ବର୍ଷ ।

ବେଦର ଗଣନା ଅନୁସାରେ :

କଳିଯୁଗ : ୪,୩୨, ୦୦୦ବର୍ଷ

ଦ୍ୱାପର ଯୁଗ : ୮,୬୪, ୦୦୦ବର୍ଷ

ତ୍ରେତାଯୁଗ : ୧୨,୯୬, ୦୦୦ ବର୍ଷ

ସତ୍ୟ ଯୁଗ : ୧୭, ୨୮, ୦୦୦ବର୍ଷ

ଏକତ୍ର ଏକ ମହାଯୁଗ ହୁଏ ଯାହା ୪,୩୨୦, ୦୦୦ ବର୍ଷ ଅଟେ । ୧୦୦୦ ମହାଯୁଗ ବ୍ରହ୍ମାଙ୍କର ଗୋଟିଏ ଦିନ, ବା ଏକ କଳ୍ପ, ଯାହା ୪,୩୨,୦୦,୦୦୦,୦୦୦ ବର୍ଷ ଅଟେ । ସେତିକି ବଡ଼ ବ୍ରହ୍ମାଙ୍କର ରାତ୍ରି । ଶ୍ରୀକୃଷ୍ଣ କହୁଛନ୍ତି, ଯିଏ ଏହା ବୁଝନ୍ତି, ସେ ଦିବା ରାତ୍ରିର ବାସ୍ତବ ଜ୍ଞାତା ଅଟନ୍ତି ।

ବିଶ୍ୱ ବ୍ରହ୍ମାଣ୍ଡର ଅବଧି ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସହିତ ସମାନ, ଯାହା ୩୧୧ ଖର୍ବ ୪୦ ଅର୍ବ ବର୍ଷ ଅଟେ । ବ୍ରହ୍ମା ମଧ୍ୟ ଜଣେ ଜୀବାତ୍ମା ଅଟନ୍ତି, ଯିଏ ଭଗବାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ କରି ଏହି ପଦ ପ୍ରାପ୍ତ କରିଛନ୍ତି । ତେଣୁ ବ୍ରହ୍ମା ମଧ୍ୟ ଜନ୍ମମୃତ୍ୟୁର ଚକ୍ରର ଅନ୍ତର୍ଭୁକ୍ତ । କିନ୍ତୁ ସେ ଅତ୍ୟନ୍ତ ଉଚ୍ଚ ଆତ୍ମା ହୋଇଥିôବାରୁ, ତାଙ୍କ ଜୀବନକାଳ ସମାପ୍ତ ହେବା ପୂର୍ବରୁ ସେ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ଭଗବାନଙ୍କ ଲୋକ ପ୍ରାପ୍ତ କରନ୍ତି । ବେଳେବେଳେ ବ୍ରହ୍ମା ପଦ ପାଇଁ କୌଣସି ଅଧିକାରୀ ଆତ୍ମା ନ ମିଳିଲେ, ଭଗବାନ ସ୍ୱୟଂ ବ୍ରହ୍ମା ହୋଇଯାଆନ୍ତି ।