Bhagavad Gita: Chapter 8, Verse 3

ଶ୍ରୀ ଭଗବାନୁବାଚ
ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।
ଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।।୩।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅକ୍ଷରଂ - ଅବିନାଶୀ ; ବ୍ରହ୍ମ- ବ୍ରହ୍ମ; ପରମଂ - ପରମ, (ଶ୍ରେଷ୍ଠ); ସ୍ୱଭାବଃ - ଶାଶ୍ୱତ ପ୍ରକୃତି; ଅଧ୍ୟାତ୍ମଂ - ଆତ୍ମା; ଉଚ୍ୟତେ - କୁହାଯାଏ; ଭୂତ-ଭାବ-ଉଦ୍ଭବ-କରଃ - ଜୀବର ଭୌତିକ ବ୍ୟକ୍ତିତ୍ୱ ଅନୁରୂପ କର୍ମ; ବିସର୍ଗଃ - ସୃଷ୍ଟି; କର୍ମ - ଫଳଦାୟକ କର୍ମ; ସଂଜ୍ଞିତଃ - କୁହାଯାଏ ।

Translation

BG 8.3: ଶ୍ରୀ ଭଗବାନ କହିଲେ: ସେହି ସର୍ବଶ୍ରେଷ୍ଠ ଅବିନଶ୍ୱର ସତ୍ତାକୁ ବ୍ରହ୍ମ କୁହାଯାଏ । ଜୀବର ନିଜସ୍ୱ ସତ୍ତାକୁ ଅଧ୍ୟାତ୍ମ କୁହାଯାଏ । ଜୀବର ଭୌତିକ ବ୍ୟକ୍ତିତ୍ୱର ଅଭିବୃଦ୍ଧି ନିମନ୍ତେ କରାଯାଉ ଥିବା କାର୍ଯ୍ୟକୁ କର୍ମ ବା ଫଳଦାୟକ କର୍ମ କୁହାଯାଏ ।

Commentary

ଶ୍ରୀକୃଷ୍ଣ କହୁଛନ୍ତି ଯେ ପରାତ୍ପର ତତ୍ତ୍ୱକୁ ବ୍ରହ୍ମ କୁହାଯାଏ । (ବେଦରେ ଉଲ୍ଲେଖଥିବା ଭଗବାନଙ୍କର ଅନେକ ନାମ ମଧ୍ୟରୁ ଗୋଟିଏ ନାମ ବ୍ରହ୍ମ ଅଟେ) । ଏହା ସୀମାତୀତ, କାଳାତୀତ ଏବଂ ‘କାରଣ-କାର୍ଯ୍ୟ’ର ଚକ୍ରର ଅତୀତ ଅଟେ । ଏସବୁ ଭୌତିକ ଜଗତର ଲକ୍ଷଣ ଅଟେ, ଅଥଚ ବ୍ରହ୍ମଙ୍କର ସ୍ଥିତି ଭୌତିକ ଅନୁଭୂତିର ଊର୍ଦ୍ଧ୍ୱରେ । ବିଶ୍ୱ ବ୍ରହ୍ମାଣ୍ଡର ପରିବର୍ତ୍ତନରେ ସେ ପ୍ରଭାବିତ ହୁଅନ୍ତି ନାହିଁ; ସେ ଅବିନଶ୍ୱର ଅଟନ୍ତି । ତେଣୁ ତାଙ୍କୁ ‘ଅକ୍ଷରଂ’ ଭାବରେ ବର୍ଣ୍ଣନା କରାଯାଇଅଛି । ବୃହଦାରଣ୍ୟକ ଉପନିଷଦର ୩.୮.୮ରେ ବ୍ରହ୍ମଙ୍କର ଏହି ସମାନ ରୂପର ବର୍ଣ୍ଣନା କରାଯାଇଅଛି: “ଜ୍ଞାନୀମାନେ ବ୍ରହ୍ମଙ୍କୁ ଅକ୍ଷର (ଅବିନଶ୍ୱର) କୁହନ୍ତି । ତାଙ୍କୁ ପରଂ (ସର୍ବଶ୍ରେଷ୍ଠ) ରୂପେ ମଧ୍ୟ ଆଖ୍ୟାୟିତ କରାଯାଏ, କାରଣ ସେ ଏପରି ଗୁଣର ଅଧିକାରୀ ଅଟନ୍ତି ଯାହା ମାୟା ଏବଂ ଜୀବ ଗୁଣର ବହୁ ଉର୍ଦ୍ଧ୍ୱରେ ।

ଆଧ୍ୟାତ୍ମିକ ପଥକୁ ‘ଆଧ୍ୟାତ୍ମ’ କୁହାଯାଏ ଏବଂ ଆତ୍ମାର ବିଜ୍ଞାନକୁ ମଧ୍ୟ ଆଧ୍ୟାତ୍ମ କୁହାଯାଏ । କିନ୍ତୁ ଏଠାରେ ଏହି ଶବ୍ଦଟି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ଯାହା ଆତ୍ମା, ଶରୀର, ମନ ଏବଂ ବୁଦ୍ଧିକୁ ବୁଝାଇ ଥାଏ ।

କର୍ମର ତାତ୍ପର୍ଯ୍ୟ ନିଜ ଦ୍ୱାରା କରାଯାଉଥିବା କାର୍ଯ୍ୟ, ଯାହା ଜନ୍ମ ଜନ୍ମ ଧରି ଜୀବର ସ୍ୱତନ୍ତ୍ର ଅସ୍ତିତ୍ୱ ନିର୍ଦ୍ଧାରଣ କରିଥାଏ । ଏହି କର୍ମ ଜୀବକୁ ସଂସାରରେ (ମାୟିକ ଜଗତର ଚକ୍ରରେ) ଘୂରାଉଥାଏ ।