Bhagavad Gita: Chapter 8, Verse 5

ଅନ୍ତକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ୱା କଳେବରମ୍ ।
ଯଃ ପ୍ରୟାତି ସ ମଦ୍‌ଭାବଂ ଯାତି ନାସ୍ତ୍ୟତ୍ର ସଂଶୟଃ ।।୫।।

ଅନ୍ତକାଳେ - ଜୀବନର ଶେଷ ସମୟରେ; ଚ - ମଧ୍ୟ; ମାମ୍‌- ମୋତେ; ଏବ- ନିଶ୍ଚିତରୂପେ; ସ୍ମରନ୍ - ସ୍ମରଣ କରି; ମୁକ୍ତ୍ୱା - ତ୍ୟାଗକରି; କଳେବରମ୍ - ଶରୀର; ଯଃ- ଯେ; ପ୍ରୟାତି - ଯାଏ; ସଃ - ସେ; ମଦ୍‌-ଭାବମ୍ - ମୋ ପ୍ରକୃତି; ଯାତି -ପ୍ରାପ୍ତ ହୁଏ; ନାସ୍ତି - ନାହିଁ; ଅତ୍ର - ଏଠାରେ; ସଂଶୟଃ - ସନ୍ଦେହ ।

Translation

BG 8.5: ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରନ୍ତି, ସେମାନେ ମୋତେ ପ୍ରାପ୍ତ କରିବେ । ଏଥିରେ କୌଣସି ସନ୍ଦେହ ନାହିଁ ।

Commentary

ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଏହି ତଥ୍ୟ ଉପସ୍ଥାପନ କରିବେ ଯେ ଜୀବର ପରବର୍ତ୍ତୀ ଜନ୍ମ, ମୃତ୍ୟୁ ସମୟରେ ତାର ଚିନ୍ତନ ଏବଂ ମାନସିକ ସ୍ଥିତି ଦ୍ୱାରା ନିର୍ଦ୍ଧାରିତ ହୁଏ । ଏଣୁ ମୃତ୍ୟୁ ସମୟରେ, ଯଦି ଜଣେ ଭଗବାନଙ୍କ ଦିବ୍ୟ ନାମ, ରୂପ, ଗୁଣ, ଲୀଳା ଓ ଧାମର ଚିନ୍ତନରେ ନିମଗ୍ନ ରହେ, ତେବେ ସେ ତାର ଭଗବତ୍ ପ୍ରାପ୍ତିର ଇପ୍‌ସିତ୍ ଲକ୍ଷ୍ୟ ପ୍ରାପ୍ତ କରେ । ଶ୍ରୀକୃଷ୍ଣ ଏଠାରେ “ମଦ୍‌ଭାବମ୍‌” ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ “ଭଗବାନଙ୍କ ପରି ସ୍ୱଭାବ” । ଅତଏବ, ମୃତ୍ୟୁ ସମୟରେ ଯଦି ଜଣଙ୍କର ଚେତନା ଭଗବାନଙ୍କଠାରେ ସନ୍ନିବିଷ୍ଟ ରହିଥାଏ, ତେବେ ସେ ତାଙ୍କୁ ପ୍ରାପ୍ତ କରି ଭଗବତ୍ ସ୍ୱରୂପ ହୋଇଯାଏ ।