Bhagavad Gita: Chapter 13, Verse 34

ଯଥା ପ୍ରକାଶୟତ୍ୟେକଃ କୃତ୍ସ୍ନଂ ଲୋକମିମଂ ରବିଃ ।
କ୍ଷେତ୍ରଂ କ୍ଷେତ୍ରୀ ତଥା କୃତ୍ସ୍ନଂ ପ୍ରକାଶୟତି ଭାରତ ।।୩୪।।

ଯଥା-ଯେପରି; ପ୍ରକାଶୟତି-ଆଲୋକିତ କରେ; ଏକଃ-ଗୋଟିଏ; କୃତ୍ସ୍ନଂ-ସମଗ୍ର; ଲୋକଂ-ବ୍ରହ୍ମାଣ୍ଡ; ଇମଂ-ଏହି; ରବିଃ-ସୂର୍ଯ୍ୟ; କ୍ଷେତ୍ରଂ-ଏହି ଶରୀରକୁ; କ୍ଷେତ୍ରୀ-ଆତ୍ମା; ତଥା-ସେହିପରି; କୃତ୍ସ୍ନଂ-ସମଗ୍ର; ପ୍ରକାଶୟତି-ଆଲୋକିତ କରେ; ଭାରତ-ହେ ଭରତ ବଂଶଜ !

Translation

BG 13.34: ଯେପରି ଗୋଟିଏ ସୂର୍ଯ୍ୟ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଉଦ୍‌ଭାସିତ କରିଥାଏ, ସେହିପରି ଆତ୍ମା ସମ୍ପୂର୍ଣ୍ଣ ଶରୀରକୁ ଆଲୋକିତ କରେ (ଚେତନା ଦ୍ୱାରା) ।

Commentary

ଆତ୍ମା ନିବାସ କରିଥିବା ସମଗ୍ର ଶରୀରକୁ ନିଜର ଚେତନା ଦ୍ୱାରା ଶକ୍ତିଯୁକ୍ତ କରୁଥିଲେ ସୁଦ୍ଧା, ନିଜେ ଅତ୍ୟନ୍ତ ସୂକ୍ଷ୍ମ ଅଟେ । ଏଷୋଽଣୁରାତ୍ମା (ମୁଣ୍ଡକୋପନିଷଦ ୩.୧.୯) “ଆତ୍ମାର ଆକାର ଅତ୍ୟନ୍ତ କ୍ଷୁଦ୍ର ଅଟେ ।” ଶ୍ୱେତାଶ୍ୱତର ଉପନିଷଦ କହେ:

ବାଲାଗ୍ରଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚ
ଭାଗୋ ଜୀବଃ ସ ବିଜେ୍ଞୟଃ ସ ଚାନନ୍ତ୍ୟାୟ କଳ୍ପତେ । (୫.୯)

“ଯଦି ଆମେ ଏକ କେଶର ଅଗ୍ରଭାଗକୁ ଏକଶତ ଭାଗରେ ବିଭକ୍ତ କରିବା ଏବଂ ପୁଣି ଗୋଟିଏ ଭାଗକୁ ଆଉ ଏକଶତ ଭାଗରେ ବିଭକ୍ତ କରିବା, ଆମେ ଆତ୍ମାର ଆକାର ପାଇପାରିବା । ଏପରି ଆତ୍ମା ଅସଂଖ୍ୟ ଅଛନ୍ତି ।” ଏହା ଆତ୍ମାର ସୂକ୍ଷ୍ମତା ବର୍ଣ୍ଣନା କରିବା ପାଇଁ ଏକ ଦୃଷ୍ଟାନ୍ତ ଅଟେ ।

ଏପରି ଏକ ସୂକ୍ଷ୍ମ ଆତ୍ମା, ତା’ ତୁଳନାରେ ଅତ୍ୟନ୍ତ ବିଶାଳ ଶରୀରକୁ ଶକ୍ତିଯୁକ୍ତ କରେ କିପରି ? ଶ୍ରୀକୃଷ୍ଣ ଏହାକୁ ସୂର୍ଯ୍ୟଙ୍କର ଉପମା ଦ୍ୱାରା ବୁଝାଇଛନ୍ତି । ଯଦିଓ ସୂର୍ଯ୍ୟ ଗୋଟିଏ ସ୍ଥାନରେ ଅବସ୍ଥିତ, ସେ ତାଙ୍କର ଆଲୋକରେ ସମଗ୍ର ସୌରମଣ୍ଡଳକୁ ଆଲୋକିତ କରନ୍ତି । ସେହିପରି ବେଦାନ୍ତ ଦର୍ଶନ କହେ:

ଗୁଣାଦ୍ୱାଲୋକବତ୍ (୨.୩.୨୫)

“ଆତ୍ମା, ଯଦିଓ ହୃଦୟରେ ନିବାସ କରିଥାଏ, ଏହା ଶରୀରର ସମସ୍ତ କ୍ଷେତ୍ରକୁ ଚୈତନ୍ୟତା ବିସ୍ତାର କରେ ।”