Bhagavad Gita: Chapter 13, Verse 16

ବହିରନ୍ତଶ୍ଚ ଭୂତାନାମଚରଂ ଚରମେବ ଚ ।
ସୂକ୍ଷ୍ମତ୍ୱାତ୍ ତଦବିଜେ୍ଞୟଂ ଦୂରସ୍ଥଂ ଚାନ୍ତିକେ ଚ ତତ୍ ।।୧୬।।

ବହିଃ - ବାହାରେ; ଅନ୍ତଃ - ଭିତରେ; ଚ-ଏବଂ; ଭୂତାନାମ୍ - ସମସ୍ତ ଜୀବଙ୍କର; ଅଚରଂ -ଅଚର (ସ୍ଥାବର); ଚରଂ -ଚର(ଜଙ୍ଗମ); ଏବ -ବାସ୍ତବରେ; ଚ -ଏବଂ; ସୂକ୍ଷ୍ମତ୍ୱାତ୍ - ସୂକ୍ଷ୍ମ ହୋଇଥିବାରୁ; ତତ୍ -ତାହା; ଅବିଜେ୍ଞୟଂ -ଅଜେ୍ଞୟ; ଦୂରସ୍ଥଂ -ଅତି ଦୂର; ଚ -ଏବଂ; ଅନ୍ତିକେ- ଅତି ନିକଟ; ଚ -ମଧ୍ୟ; ତତ୍ -ସେ ।

Translation

BG 13.16: ଚର ଏବଂ ଅଚର ସମସ୍ତ ପ୍ରାଣୀଙ୍କର ବାହ୍ୟ ଏବଂ ଅଭ୍ୟନ୍ତରରେ ସେ ନିବାସ କରନ୍ତି । ସେ ଅତି ସୂକ୍ଷ୍ମ, ତେଣୁ ସେ ବୋଧଗମ୍ୟ ନୁହନ୍ତି । ସେ ଅତି ଦୂରରେ, କିନ୍ତୁ ଅତି ନିକଟରେ ।

Commentary

ଶ୍ରୀକୃଷ୍ଣ ଏଠାରେ ଯେପରି ବର୍ଣ୍ଣନା କରିଛନ୍ତି, ଠିକ୍ ସେହିପରି ବର୍ଣ୍ଣନା ଗୋଟିଏ ବେଦମନ୍ତ୍ରରେ ରହିଛି:

ତଦ୍ ଏଜତି ତନ୍ ନୈଜତି ତଦ୍‌ଦୂରେ ତଦ୍ୱନ୍ତିକେ
ତଦ୍ ଅନ୍ତର୍ ଅସ୍ୟ ସର୍ବସ୍ୟ ତଦୁସର୍ବସ୍ୟାସ୍ୟ ବାହ୍ୟତଃ (ଈଶୋପନିଷଦ ମନ୍ତ୍ର-୫)

ପରଂ ବ୍ରହ୍ମ ଚାଲନ୍ତି ନାହିଁ, ତଥାପି ସେ ଚାଲନ୍ତି; ସେ ଦୂରରେ ଅଛନ୍ତି କିନ୍ତୁ ନିକଟରେ ମଧ୍ୟ ଅଛନ୍ତି । ସେ ସମସ୍ତ ବସ୍ତୁର ଭିତରେ ଅଛନ୍ତି, କିନ୍ତୁ ସମସ୍ତ ବସ୍ତୁର ବାହାରେ ମଧ୍ୟ ଅଛନ୍ତି ।

ପୂର୍ବରୁ ଶ୍ଲୋକ ୧୩.୩ରେ ଶ୍ରୀକୃଷ୍ଣ କହିଥିଲେ, ଭଗବାନଙ୍କୁ ଜାଣିବା ହିଁ ଜ୍ଞାନ ଅଟେ, କିନ୍ତୁ ଏଠାରେ ସେ କହୁଛନ୍ତି ପରଂବ୍ରହ୍ମ ବୋଧଗମ୍ୟ ନୁହଁନ୍ତି । ଏହା ପୁଣି ଏକ ବିରୋଧାଭାସ ପରି ମନେ ହୁଏ, କିନ୍ତୁ ଭଗବାନ ଏଠାରେ କହିବାକୁ ଚାହୁଁଛନ୍ତି ଯେ, ତାଙ୍କୁ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ଜାଣି ହେବ ନାହିଁ । ବୁଦ୍ଧି ମାୟିକ ଶକ୍ତି ଦ୍ୱାରା ଗଠିତ, ତେଣୁ ସେ ଦିବ୍ୟ ଭଗବାନଙ୍କୁ ଧାରଣ କରିପାରିବ ନାହିଁ । କିନ୍ତୁ ଭଗବାନ ନିଜେ ଯଦି ତାଙ୍କର କୃପା କୌଣସି ଜୀବକୁ ପ୍ରଦାନ କରନ୍ତି, ସେହି ସୌଭାଗ୍ୟଶାଳୀ ଜୀବ ତାଙ୍କୁ ଜାଣି ପାରିବ ।