Bhagavad Gita: Chapter 13, Verse 28

ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରମ୍ ।
ବିନଶ୍ୟତ୍‌ସ୍ୱବିନଶ୍ୟନ୍ତଂ ଯଃ ପଶ୍ୟତି ସ ପଶ୍ୟତି ।।୨୮।।

ସମଂ-ସମାନଭାବେ; ସର୍ବେଷୁ- ସମସ୍ତ; ଭୂତେଷୁ-ଜୀବଙ୍କ ଠାରେ; ତିଷ୍ଠନ୍ତଂ-ଅବସ୍ଥିତ; ପରମେଶ୍ୱରମ୍‌-ପରମାତ୍ମା; ବିନଶ୍ୟତ୍‌ସ୍ଥ-ନଶ୍ୱର ମଧ୍ୟରେ; ଅବିନଶ୍ୟନ୍ତଂ-ଅବିନଶ୍ୱର; ଯଃ-ଯିଏ; ପଶ୍ୟତି-ଦେଖିଥାଏ; ସଃ-ସେ; ପଶ୍ୟତି- ପ୍ରକୃତରେ ଦେଖେ ।

Translation

BG 13.28: ଯେଉଁମାନେ ପ୍ରତ୍ୟେକ ପ୍ରାଣୀଙ୍କର ଆତ୍ମା ସହିତ ପରମାତ୍ମାଙ୍କର ଉପସ୍ଥିତି ହୃଦୟଙ୍ଗମ କରନ୍ତି ଏବଂ ଯେଉଁମାନେ ଏହି ନଶ୍ୱର ଶରୀର ମଧ୍ୟରେ ସେ ଦୁହିଁଙ୍କୁ ଅବିନଶ୍ୱର ଭାବେ ଜାଣନ୍ତି, ସେମାନେ ପ୍ରକୃତ ସତ୍ୟକୁ ଦେଖିପାରନ୍ତି ।

Commentary

ପୂର୍ବରୁ ଶ୍ରୀକୃଷ୍ଣ, ଯଃ ପଶ୍ୟତି ସ ପଶ୍ୟତି (ସେମାନେ ହିଁ ପ୍ରକୃତରେ ଦେଖନ୍ତି, ଯେଉଁମାନେ ଦେଖନ୍ତି ଯେ) ଭାବ ପ୍ରକାଶ କରିଥିଲେ । ବର୍ତ୍ତମାନ ସେ କହୁଛନ୍ତି, ଶରୀର ମଧ୍ୟରେ କେବଳ ଆତ୍ମାକୁ ଦେଖିବା ଯଥେଷ୍ଟ ନୁହେଁ । ଆମେ ଏହା ମଧ୍ୟ ବୁଝିବା ଆବଶ୍ୟକ ଯେ, ପରମାତ୍ମା, ସମସ୍ତ ପ୍ରାଣୀଙ୍କ ଶରୀରରେ ନିବାସ କରୁଛନ୍ତି । ସମସ୍ତଙ୍କ ହୃଦୟରେ ସେ ବାସ କରୁଥିବା ବିଷୟ ପୂର୍ବରୁ ଶ୍ଳୋକ ୧୩.୨୩ରେ ବର୍ଣ୍ଣିତ ହୋଇଛି । ଭଗବଦ୍ ଗୀତାର ୧୦.୨୦ ଏବଂ ୧୮.୬୧ ଶ୍ଳୋକରେ ଏବଂ ଅନ୍ୟ ବେଦ ଶାସ୍ତ୍ରରେ ଏହାର ସୂଚନା ଦିଆଯାଇଛି :

ଏକୋ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା (ଶ୍ୱେତାଶ୍ୱତର ଉପନିଷଦ ୬.୧୧)

“ଜଣେ ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ସେ ସର୍ବବ୍ୟାପୀ ଏବଂ ସମସ୍ତ ଆତ୍ମାର ପରମାତ୍ମା ଅଟନ୍ତି ।”

ଭବାନ୍ ହି ସର୍ବ-ଭୂତାନାମ୍ ଆତ୍ମା ସାକ୍ଷୀ ସ୍ୱ-ଦୃଗ୍ ବିଭୋ । (ଭାଗବତମ୍ ୧୦.୮୬.୩୧)

“ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ ସାକ୍ଷୀ ଏବଂ ପ୍ରଭୁ ରୂପରେ ବସିଛନ୍ତି ।”

ରାମ ବ୍ରହ୍ମ ଚିନ୍ମୟ ଅବିନାସୀ, ସର୍ବ ରହିତ ସବ ଉର ପୁର ବାସୀ । (ରାମାୟଣ)

“ପରମ ପୁରୁଷ ରାମ ନିତ୍ୟ ଏବଂ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ୱରେ । ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ।”

ଜନ୍ମ ଓ ମୃତ୍ୟୁର ଚକ୍ରରେ, ଆତ୍ମା ଯେତେବେଳେ ଭିନ୍ନ ଭିନ୍ନ ଶରୀରକୁ ଯାତ୍ରା କରିଥାଏ, ସେତେବେଳେ ତା ସହିତ ପରମାତ୍ମା ମଧ୍ୟ ରହିଥାନ୍ତି । ଶ୍ରୀକୃଷ୍ଣ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି କିପରି ଭାବରେ ସର୍ବତ୍ର ଭଗବାନଙ୍କ ଉପସ୍ଥିତିର ଅନୁଭବ ସାଧକର ଜୀବନକୁ ପରିବର୍ତ୍ତିତ କରିଦେଇ ଥାଏ ।