Bhagavad Gita: Chapter 13, Verse 13

ଜେ୍ଞୟଂ ଯତ୍ତତ୍ ପ୍ରବକ୍ଷ୍ୟାମି ଯଚ୍ଚ୍‌ଜ୍ଞାତ୍ୱାଽମୃତମଶ୍ନୁତେ ।
ଅନାଦିମତ୍ପରଂ ବ୍ରହ୍ମ ନ ସତ୍ତନ୍ନାସଦୁଚ୍ୟତେ ।।୧୩।।

ଜେ୍ଞୟଂ - ଜ୍ଞାତବ୍ୟ; ଯତ୍ -ଯାହା; ତତ୍‌-ତାହା; ପ୍ରବକ୍ଷ୍ୟାମି - ବର୍ତ୍ତମାନ ମୁଁ କହିବି; ଯତ୍ -ଯାହା; ଜ୍ଞାତ୍ୱା- ଜାଣି; ଅମୃତଂ - ଅମରତ୍ୱ; ଅଶ୍ନୁତେ - ପ୍ରାପ୍ତ କରିବ; ଅନାଦି -ଅନାଦି; ମତ୍‌-ପରଂ - ମୋର ଅଧୀନ; ବ୍ରହ୍ମ-ବ୍ରହ୍ମ; ନ -ନୁହେଁ; ସତ୍‌- ଅସ୍ତିତ୍ୱ; ତତ୍ -ତାହା; ନ-ନୁହେଁ; ଅସତ୍ -ଅସ୍ତିତ୍ୱହୀନ; ଉଚ୍ୟତେ -କୁହାଯାଏ ।

Translation

BG 13.13: ମୁଁ ବର୍ତ୍ତମାନ ଯାହା ଜ୍ଞାତବ୍ୟ, ତାହା ତୁମ ଆଗରେ ପ୍ରକାଶ କରିବି ଯାହାକୁ ଜାଣି ଜଣେ ଅମରତ୍ୱ ପ୍ରାପ୍ତ କରେ । ଏହା ସେହି ଅନାଦି ବ୍ରହ୍ମ ଅଟେ, ଯାହାର ସ୍ଥିତି ସମସ୍ତ ଅସ୍ଥିତ୍ୱ ଏବଂ ଅସ୍ଥିତ୍ୱ-ହୀନର ଊର୍ଦ୍ଧ୍ୱରେ ।

Commentary

ଦିବସ ଓ ରାତ୍ରୀ, ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି ଅଟନ୍ତି । ଜଣେ ନ ଥିଲେ ଅନ୍ୟର ସ୍ଥିତି ନାହିଁ । ଯେଉଁଠି ରାତ୍ରୀ ଅଛି ସେଠାରେ ଦିନ ଅଛି ବୋଲି କୁହାଯିବ । ଯଦି ରାତ୍ରୀ ନାହିଁ ତାହାହେଲେ ଦିନ ମଧ୍ୟ ନାହିଁ, ସେଠାରେ କେବଳ ଆଲୋକ ହିଁ ସର୍ବଦା ରହିବ । ସେହିପରି ବ୍ରହ୍ମଙ୍କର ବର୍ଣ୍ଣନା କରିବା ପାଇଁ “ଅସ୍ତିତ୍ୱ” ଶବ୍ଦଟି ଯଥେଷ୍ଟ ନୁହେଁ । ଶ୍ରୀକୃଷ୍ଣ କହୁଛନ୍ତି, ଅସ୍ତିତ୍ୱ ଏବଂ ଅସ୍ତିତ୍ୱ-ହୀନ ପରି ଆପେକ୍ଷିକ ଶବ୍ଦାବଳୀ ଠାରୁ ବ୍ରହ୍ମ ବହୁ ଊର୍ଦ୍ଧ୍ୱରେ ।

ବ୍ରହ୍ମଙ୍କର ନିରାକାର ଏବଂ ନିର୍ଗୁଣ ସ୍ୱରୂପ ଜ୍ଞାନୀ ମାନଙ୍କର ଉପାସ୍ୟ ଅଟେ । ସାକାର ଭଗବାନ ରୂପରେ ସେ ଭକ୍ତ ମାନଙ୍କର ଉପାସ୍ୟ ଅଟନ୍ତି । ଶରୀର ମଧ୍ୟରେ ନିବାସ କରୁଥିବା ବ୍ରହ୍ମଙ୍କର ସ୍ୱରୂପକୁ ପରମାତ୍ମା କୁହାଯାଏ । ଏହି ତିନୋଟି ସ୍ୱରୂପ ସେହି ଏକ ପରଂବ୍ରହ୍ମଙ୍କର ପରିପ୍ରକାଶ ଅଟେ । ଆଗକୁ ଶ୍ଲୋକ ୧୪.୨୭ରେ, ଶ୍ରୀକୃଷ୍ଣ କହିଛନ୍ତି: ବ୍ରହ୍ମଣୋ ହି ପ୍ରତିଷ୍ଠାହମ୍ “ମୁଁ ନିରାକାର ବ୍ରହ୍ମଙ୍କର ଆଧାର ଅଟେ ।” ଅତଏବ, ନିରାକାର ବ୍ରହ୍ମ ଏବଂ ସାକାର ଭଗବାନ ସେହି ଗୋଟିଏ ପରମ ତତ୍ତ୍ୱର ଦୁଇଟି ସ୍ୱରୂପ ଅଟେ । ଉଭୟ ସର୍ବତ୍ର ବିଦ୍ୟମାନ, ତେଣୁ ଉଭୟଙ୍କୁ ସର୍ବବ୍ୟାପୀ କୁହାଯାଇପାରେ । ଏହା ଦର୍ଶାଇ, ଶ୍ରୀକୃଷ୍ଣ ଭଗବାନଙ୍କଠାରେ ପ୍ରଦର୍ଶିତ ହେଉଥିବା ବିରୋଧାଭାସର ସୂଚନା ଦେଉଛନ୍ତି ।