Bhagavad Gita: Chapter 13, Verse 33

ଯଥା ସର୍ବଗତଂ ସୌକ୍ଷ୍ମ୍ୟାଦାକାଶଂ ନୋପଲିପ୍ୟତେ ।
ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ୟତେ ।।୩୩।।

ଯଥା-ଯେପରି; ସର୍ବଗତଂ- ସର୍ବବ୍ୟାପକ; ସୌକ୍ଷ୍ମ୍ୟାତ୍‌-ସୂକ୍ଷ୍ମ ହୋଇଥିବା ଯୋଗୁଁ; ଆକାଶଂ-ଆକାଶ; ନ ଉପଲିପ୍ୟତେ-ଦୂଷିତ ହୁଏ ନାହିଁ; ସର୍ବତ୍ର-ସର୍ବତ୍ର; ଅବସ୍ଥିତଃ-ଅବସ୍ଥିତ; ଦେହେ-ଶରୀରରେ; ତଥା-ସେହିପରି; ଆତ୍ମା-ଆତ୍ମା; ନ ଉପଲିପ୍ୟତେ-ଦୂଷିତ ହୁଏନାହିଁ ।

Translation

BG 13.33: ଆକାଶ ନିଜ ମଧ୍ୟରେ ସବୁକିଛି ଧାରଣ କରିଥାଏ, କିନ୍ତୁ ସୂକ୍ଷ୍ମ ହୋଇଥିବା ଯୋଗୁଁ, ଧାରଣ କରିଥିବା ବସ୍ତୁଗୁଡ଼ିକ ଦ୍ୱାରା ତାହା କଳୁଷିତ ହୁଏ ନାହିଁ । ସେହିପରି ଯଦିଓ ଶରୀରରେ ଚୈତନ୍ୟତା ବ୍ୟାପ୍ତ ଥାଏ, ଆତ୍ମା ଶରୀରର ସ୍ୱଭାବ ଦ୍ୱାରା ପ୍ରଭାବିତ ହୁଏ ନାହିଁ ।

Commentary

ଅହଂକାର ବଶତଃ ଆତ୍ମା ଶରୀର ସହିତ ତାଦାତ୍ମ୍ୟ କରି ନିଦ୍ରା, ଜାଗ୍ରତ, କ୍ଲାନ୍ତି, ପ୍ରଫୁଲ୍ଲତା ଇତ୍ୟାଦି ଅନୁଭବ କରିଥାଏ । କେହି କେହି ପ୍ରଶ୍ନ କରି ପାରନ୍ତି, ଆତ୍ମା ଯେଉଁ ଶରୀରରେ ଥାଏ, ତା’ର ପରିବର୍ତ୍ତନ ଦ୍ୱାରା ସେ ଦୂଷିତ ହେବନାହିଁ କାହିଁକି? ଶ୍ରୀକୃଷ୍ଣ ଏହାକୁ ଆକାଶର ଉଦାହରଣ ଦ୍ୱାରା ବୁଝାଉଛନ୍ତି । ଆକାଶ ସବୁକିଛି ଧାରଣ କରିଥାଏ, କିନ୍ତୁ ସେ ସୂକ୍ଷ୍ମ ହୋଇଥିବା ଯୋଗୁଁ ଧାରଣ କରିଥିବା ସ୍ଥୂଳବସ୍ତୁ ଦ୍ୱାରା ତାହା ପ୍ରଭାବିତ ହୋଇ ନ ଥାଏ । ସେହିପରି ଆତ୍ମା ନିଜକୁ ଶରୀର ମନେ କରୁଥିଲେ ସୁଦ୍ଧା, ସେ ତାର ଦିବ୍ୟତା ବଜାୟ ରଖେ ।