Bhagavad Gita: Chapter 13, Verse 7

ଇଚ୍ଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତଶ୍ଚେତନା ଧୃତିଃ ।
ଏତତ୍‌କ୍ଷେତ୍ରଂ ସମାସେନ ସବିକାରମୁଦାହୃତମ୍ ।।୭।।

ଇଚ୍ଛା-ଇଚ୍ଛା; ଦ୍ୱେଷଃ -ଘୃଣା; ସୁଖଂ -ସୁଖ; ଦୁଃଖଂ - ଦୁଃଖ; ସଂଘାତଃ -ସମୁହ, ଚେତନା- ଚୈତନ୍ୟ; ଧୃତିଃ - ଧୈର୍ଯ୍ୟ; ଏତତ୍ - ଏସବୁ; କ୍ଷେତ୍ରଂ -କ୍ଷେତ୍ର; ସମାସେନ - ଅନ୍ତର୍ଗତ; ସବିକାରଂ - ରୂପାନ୍ତରିତ; ଉଦାହୃତଂ - କଥିତ ।

Translation

BG 13.7: ଆସକ୍ତି ଓ ବିରକ୍ତି, ସୁଖ ଓ ଦୁଃଖ, ଶରୀର, ଚେତନା ଏବଂ ଇଚ୍ଛା - ଏସବୁ କ୍ଷେତ୍ରର ଅନ୍ତର୍ଗତ ଏବଂ ଏହାର ରୂପାନ୍ତର ଅଟନ୍ତି ।

Commentary

ଶ୍ରୀକୃଷ୍ଣ ବର୍ତ୍ତମାନ କ୍ଷେତ୍ରର ବୈଶିଷ୍ଟ୍ୟ ଏବଂ ଏହାର ରୂପାନ୍ତର ବିଷୟରେ ବର୍ଣ୍ଣନା କରୁଛନ୍ତି:

ଶରୀର - ଶରୀର କର୍ମ କ୍ଷେତ୍ରର ଅନ୍ତର୍ଭୁକ୍ତ ଅଟେ, କିନ୍ତୁ କ୍ଷେତ୍ରର ପରିଧି ତା’ ଠାରୁ ଯଥେଷ୍ଟ ଅଧିକ । ଜନ୍ମ ଠାର ମୃତ୍ୟୁ ପର୍ଯ୍ୟନ୍ତ ଶରୀରର ଛଅଟି ରୂପାନ୍ତର ହୋଇଥାଏ - ଅସ୍ତି (ସୃଷ୍ଟି ହେବା) ଜାୟତେ (ଜନ୍ମ), ବର୍ଦ୍ଧତେ (ବୃଦ୍ଧି), ବିପରୀଣମତେ (ସନ୍ତାନ ଉତ୍ପନ୍ନ), ଅପକ୍ଷିୟତେ (ଅବକ୍ଷୟ) ବିନଶ୍ୟତି (ମୃତ୍ୟୁ) । ସଂସାରରୁ ହେଉ କିମ୍ବା ଭଗବାନଙ୍କ ଠାରୁ ହେଉ, ଏହା ଆନନ୍ଦ ଅନ୍ୱେଷଣରେ ଆତ୍ମାର ସହାୟତା କରେ ।

ଚେତନା - ଏହା ଆତ୍ମାରେ ଥିବା ଜୀବନୀଶକ୍ତି ଅଟେ । ଶରୀରରେ ଥିôବା ସମୟରେ ଏହା ଶରୀରକୁ ଚୈତନ୍ୟତା ପ୍ରଦାନ କରିଥାଏ । ଯେପରି, ଅଗ୍ନିର ଉତ୍ତପ୍ତ କରିବାର କ୍ଷମତା ଥାଏ, ଏବଂ ଯଦି ଆମେ ଗୋଟିଏ ଲୌହ ଦଣ୍ଡ ତା ମଧ୍ୟରେ ରଖି ଦେଉ, ତାହା ଅଗ୍ନିରୁ ଉତ୍ତାପ ପାଇ ଅତ୍ୟନ୍ତ ଗରମ ହୋଇଯାଏ । ସେହିପରି ଆତ୍ମା ଶରୀରକୁ ଚୈତନ୍ୟତା ପ୍ରଦାନ କରି ଏହାକୁ ଜୀବନ୍ତ ରଖିଥାଏ । ସେଥିପାଇଁ ଶ୍ରୀକୃଷ୍ଣ ଚେତନାକୁ ଏକ ଉପାଦାନ ଭାବରେ କର୍ମ କ୍ଷେତ୍ରର ଅନ୍ତର୍ଭୁକ୍ତ କରିଛନ୍ତି ।

ଇଚ୍ଛା - ଏହା ସେହି ସଂକଳ୍ପ ଅଟେ ଯାହା, ଶରୀର ଉପାଦାନ ଗୁଡ଼ିକୁ କ୍ରିୟାଶୀଳ ରଖେ, ଏବଂ ଏକ ନିର୍ଦ୍ଦିଷ୍ଟ ଦିଗରେ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ । ଏହି ଇଚ୍ଛା ଶକ୍ତି ହିଁ, ଆତ୍ମାକୁ କର୍ମକ୍ଷେତ୍ର ମାଧ୍ୟମରେ ତାର ଲକ୍ଷ୍ୟପ୍ରାପ୍ତି କରିବାରେ ସକ୍ଷମ କରାଏ । ଏହି ଇଚ୍ଛାଶକ୍ତି, ବୁଦ୍ଧିର ଏକ ଗୁଣ ଅଟେ, ଯାହା ଆତ୍ମାଠାରୁ ତା’ର ଶକ୍ତି ପ୍ରାପ୍ତ କରିଥାଏ । ସତ୍ତ୍ୱ, ରଜ ଏବଂ ତମ ଗୁଣ ପ୍ରଭାବରେ ଇଚ୍ଛାର ରୂପାନ୍ତର ସମ୍ବନ୍ଧରେ ଶ୍ଲୋକ ୧୮.୩୩ଠାରୁ ୧୮.୩୫ରେ ବର୍ଣ୍ଣନା କରାଯାଇଛି ।

କାମନା - ଏହା ମନ ଓ ବୁଦ୍ଧିର ଏକ କ୍ରିୟା ଅଟେ, ଯାହା କୌଣସି ବସ୍ତୁ, ସ୍ଥିତି, ବ୍ୟକ୍ତି ଇତ୍ୟାଦିର ଲାଳସା ଉତ୍ପନ୍ନ କରେ । ଶରୀର ବିଷୟରେ ଆଲୋଚନା କରିବା ସମୟରେ ଆମେ କାମନାକୁ ବିଚାର କରି ନ ଥାଉ, କିନ୍ତୁ କାମନା ନ ଥିଲେ ଆମ ଜୀବନ କେତେ ଭିନ୍ନ ହୋଇଥାନ୍ତା ତାହା କଳ୍ପନା କରନ୍ତୁ । ତେଣୁ ଭଗବାନ, ଯିଏ ଏହି କର୍ମକ୍ଷେତ୍ରକୁ ପ୍ରସ୍ତୁତ କରିଛନ୍ତି ଏବଂ କାମନାକୁ ତା’ର ଅନ୍ତର୍ଭୁକ୍ତ କରିଛନ୍ତି , ବିଶେଷ ଭାବରେ ଏହାର ଉଲ୍ଲେଖ କରିଛନ୍ତି । କୌଣସି ବସ୍ତୁର ଆବଶ୍ୟକତା ବିଷୟରେ ବୁଦ୍ଧି ବିଶ୍ଲେଷଣ କରେ ଏବଂ ମନ ତାହାର କାମନା ଉତ୍ପନ୍ନ କରେ । ଯେତେବେଳେ ଜଣେ ଆତ୍ମଜ୍ଞାନ ପ୍ରାପ୍ତ କରେ, ତା’ର ସମସ୍ତ ଭୌତିକ କାମନା ଲୋପ ପାଇଯାଏ ଏବଂ ଶୁଦ୍ଧ ମନରେ ସେ ଭଗବାନଙ୍କର କାମନା ପ୍ରତିପୋଷଣ କରେ । ଭୌତିକ କାମନା ବନ୍ଧନକାରକ ହୋଇଥିବାବେଳେ, ଦିବ୍ୟ କାମନା ମୁକ୍ତି ପ୍ରଦାନ କରିଥାଏ ।

ଦ୍ୱେଷ - ଏହା ମନ ଓ ବୁଦ୍ଧିର ଏକ ଅବସ୍ଥା ଅଟେ ଯାହା ଅପ୍ରୀତିକର ବସ୍ତୁ, ବ୍ୟକ୍ତି ଓ ସ୍ଥିତି ପ୍ରତି ବିକର୍ଷଣ ଉତ୍ପନ୍ନ କରିଥାଏ ଏବଂ ତାହା ଠାରୁ ଦୂରେଇ ଯିବାକୁ ଇଚ୍ଛା କରିଥାଏ । 

ସୁଖ - ଏହା ଏକ ଆନନ୍ଦର ଅନୁଭୂତି, ଯାହା ଅନୁକୁଳ ପରିସ୍ଥିତିରେ ଏବଂ କାମନା ପୂର୍ଣ୍ଣ ହେବା ଦ୍ୱାରା ମନ ଅନୁଭବ କରିଥାଏ । ମନ  ସହିତ ଆତ୍ମା ମଧ୍ୟ ଏହି ଆନନ୍ଦ ଅନୁଭବ କରେ, କାରଣ ଆତ୍ମା ନିଜକୁ ମନ ଧରି ନେଇଥାଏ । କିନ୍ତୁ ଭୌତିକ ଆନନ୍ଦ ଆତ୍ମାକୁ ସନ୍ତୁଷ୍ଟ କରିପାରେ ନାହିଁ, ଯାହା ଭଗବାନଙ୍କର ଅନନ୍ତ ଦିବ୍ୟ ଆନନ୍ଦ ପାଇବା ପର୍ଯ୍ୟନ୍ତ ଅତୃପ୍ତ ରହିଥାଏ ।

ଦୁଃଖ - ପ୍ରତିକୂଳ ପରିସ୍ଥିତିରେ ମନ ଅନୁଭବ କରୁଥିବା କଷ୍ଟକୁ ଦୁଃଖ କୁହାଯାଏ ।

ବର୍ତ୍ତମାନ ଶ୍ରୀକୃଷ୍ଣ ସେହିସବୁ ଗୁଣ ଏବଂ ସ୍ୱଭାବ ବିଷୟରେ ବର୍ଣ୍ଣନା କରିବାକୁ ଯାଉଛନ୍ତି, ଯାହା ବ୍ୟକ୍ତିକୁ ଜ୍ଞାନ ଲାଭ ପାଇଁ ସକ୍ଷମ କରାଇବ, ଏବଂ ତଦ୍ୱାରା କର୍ମର କ୍ଷେତ୍ର ବା ଏହି ଶରୀରର ଉଦ୍ଦେଶ୍ୟ ପୂରଣ କରିବ ।