Bhagavad Gita: Chapter 13, Verse 32

ଅନାଦିତ୍ୱାନ୍ନିର୍ଗୁଣତ୍ୱାତ୍‌ପରମାତ୍ମାୟମବ୍ୟୟଃ ।
ଶରୀରସ୍ଥୋଽପି କୌନ୍ତେୟ ନ କରୋତି ନ ଲିପ୍ୟତେ ।।୩୨।।

ଅନାଦିତ୍ୱାତ୍‌-ଅନାଦି ହୋଇଥିବାରୁ; ନିର୍ଗୁଣତ୍ୱାତ୍‌-ଗୁଣରହିତ ହୋଇଥିବାରୁ; ପରମ-ପରମ; ଆତ୍ମା-ଆତ୍ମା; ଅୟଂ-ଏହି; ଅବ୍ୟୟଃ-ଅବିନଶ୍ୱର; ଶରୀରସ୍ଥଃ- ଶରୀର ମଧ୍ୟରେ ରହି; ଅପି -ମଧ୍ୟ କୌନ୍ତେୟ-ହେ କୁନ୍ତିପୁତ୍ର; ନ କରୋତି-କିଛି କରେ ନାହିଁ; ନ ଲିପ୍ୟତେ-ଜଡ଼ିତ ହୁଏ ନାହିଁ ।

Translation

BG 13.32: ହେ କୁନ୍ତି ପୁତ୍ର ! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, କୌଣସି କର୍ମ କରନ୍ତି ନାହିଁ କିମ୍ବା ମାୟା ଶକ୍ତି ଦ୍ୱାରା କଳୁଷିତ ହୁଅନ୍ତି ନାହିଁ ।

Commentary

ଭଗବାନ ସମସ୍ତ ପ୍ରାଣୀଙ୍କ ହୃଦୟରେ, ପରମାତ୍ମା ରୂପରେ ନିବାସ କରନ୍ତି, କିନ୍ତୁ ସେ କେବେବି ଶରୀର ସହିତ ତାଦାତ୍ମ୍ୟ କରନ୍ତି ନାହିଁ କିମ୍ବା ତା’ର ସ୍ଥିତି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ମାୟିକ ଶରୀରରେ ତାଙ୍କର ଉପସ୍ଥିତି, ତାଙ୍କୁ କୌଣସି ଦୃଷ୍ଟିରୁ ମାୟିକ କରିଦିଏ ନାହିଁ କିମ୍ବା ସେ କର୍ମରେ ଏବଂ ଜନ୍ମ ଓ ମୃତ୍ୟୁର ଚକ୍ରରେ ଆବଦ୍ଧ ହୁଅନ୍ତି ନାହିଁ, ଯଦିଓ ଆତ୍ମା ଏଥିରେ ଜଡ଼ିତ ହୋଇଥାଏ ।