Bhagavad Gita: Chapter 13, Verse 3

କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ ।
କ୍ଷେତ୍ରକ୍ଷେତ୍ରଜ୍ଞୟୋର୍ଜ୍ଞାନଂ ଯତ୍ତଜ୍‌ଜ୍ଞାନଂ ମତଂ ମମ ।।୩।।

କ୍ଷେତ୍ରଜ୍ଞଂ -କ୍ଷେତ୍ରର ଜ୍ଞାତା; ଚ-ମଧ୍ୟ; ଅପି -କେବଳ; ମାଂ -ମୋତେ; ବିଦ୍ଧି -ଜାଣ; ସର୍ବ-ସମସ୍ତ; କ୍ଷେତ୍ରେଷୁ -ପ୍ରତ୍ୟେକ କ୍ଷେତ୍ରରେ; ଭାରତ-ହେ ଭରତ ବଂଶଜ; କ୍ଷେତ୍ର-କର୍ମକ୍ଷେତ୍ର, (ଏ ଶରୀର); କ୍ଷେତ୍ରଜ୍ଞୟୋଃ -କ୍ଷେତ୍ରଜ୍ଞ ମଧ୍ୟରେ; ଜ୍ଞାନଂ -ଜ୍ଞାନ; ଯତ୍ -ଯାହା; ତତ୍‌-ତାହା; ଜ୍ଞାନଂ -ଜ୍ଞାନ; ମତଂ -ମତ; ମମ- ମୋର ।

Translation

BG 13.3: ହେ ଭରତ ବଂଶଜ! ମୁଁ ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା ଅଟେ । ମୋ ମତରେ ଶରୀରକୁ କର୍ମର କ୍ଷେତ୍ର ତଥା ଆତ୍ମା ଏବଂ ଭଗବାନଙ୍କୁ ଏହି କ୍ଷେତ୍ରର ଜ୍ଞାତା ଭାବରେ ଜାଣିବା, ବାସ୍ତବିକ ଜ୍ଞାନ ଅଟେ ।

Commentary

ଆତ୍ମା କେବଳ ତା’ ନିଜ ଶରୀର କ୍ଷେତ୍ରର ଜ୍ଞାତା । ଏହି ସୀମିତ ବିଷୟରେ ମଧ୍ୟ ଆମାôର ଜ୍ଞାନ ଅସଂମ୍ପୂର୍ଣ୍ଣ ଅଟେ । ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ପରମାତ୍ମା ରୂପରେ ଭଗବାନ ନିବାସ କରୁଛନ୍ତି ଏବଂ ସେ ସମସ୍ତ ଆତ୍ମାଙ୍କର କ୍ଷେତ୍ରକୁ ଜାଣନ୍ତି । ପୁନଶ୍ଚ, ପ୍ରତି କ୍ଷେତ୍ର ସମ୍ବନ୍ଧରେ ଭଗବାନଙ୍କର ଜ୍ଞାନ ନିର୍ଭୁଲ ଏବଂ ପରିପୂର୍ଣ୍ଣ ଅଟେ । ଶ୍ରୀକୃଷ୍ଣ ଏହି ସବୁ ପାର୍ଥକ୍ୟ ଦର୍ଶାଇ ଭୌତିକ ଶରୀର, ଆତ୍ମା ଏବଂ ପରମାତ୍ମା ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ସେମାନଙ୍କର ସ୍ଥିତି ନିରୂପଣ କରିଛନ୍ତି ।

ଏହି ଶ୍ଲୋକର ଦ୍ୱିତୀୟ ଭାଗରେ, ସେ ଜ୍ଞାନର ପରିଭାଷା ଦେଇଛନ୍ତି । “ଆତ୍ମା, ପରମାତ୍ମା, ଶରୀର ଏବଂ ଏମାନଙ୍କ ମଧ୍ୟରେ ପ୍ରଭେଦ ଜାଣିବା ପ୍ରକୃତ ଜ୍ଞାନ ଅଟେ ।” ଏହି ପରିପ୍ରେକ୍ଷୀରେ, ପି.ଏଚ୍‌ଡ଼ି.,ଡ଼ିଲିଟ୍ ଉପାଧି ଯୁକ୍ତ ବ୍ୟକ୍ତିମାନେ ନିଜକୁ ବିଦ୍ୱାନ ମନେ କରିପାରନ୍ତି । କିନ୍ତୁ ଶରୀର, ଆତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଜାଣି ନ ଥିବାରୁ ଶ୍ରୀକୃଷ୍ଣଙ୍କ ପରିଭାଷା ଅନୁସାରେ ସେମାନେ ପ୍ରକୃତ ଜ୍ଞାନୀ ନୁହନ୍ତି ।