Bhagavad Gita: Chapter 13, Verse 22

ପୁରୁଷଃ ପ୍ରକୃତିସ୍ଥୋ ହି ଭୁଙ୍‌କ୍ତେ ପ୍ରକୃତିଜାନ୍‌ଗୁଣାନ୍ ।
କାରଣଂ ଗୁଣସଙ୍ଗୋଽସ୍ୟ ସଦସଦ୍ଦ୍ୟୋନିଜନ୍ମସୁ ।।୨୨।।

ପୁରୁଷଃ - ଜୀବ; ପ୍ରକୃତିସ୍ଥଃ - ମାୟାରେ ସ୍ଥିତ ହୋଇଥିବା ଯୋଗୁଁ; ହି - ନିଶ୍ଚିତଭାବେ; ଭୂଙ୍‌କ୍ତେ-ଭୋଗ କରିବାକୁ ଇଚ୍ଛାକରେ; ପ୍ରକୃତିଜାନ୍‌-ମାୟିକ; ଗୁଣାନ୍ -ତ୍ରିଗୁଣ; କାରଣଂ- କାରଣ; ଗୁଣ-ସଙ୍ଗଃ - ତ୍ରିଗୁଣରେ ଆସକ୍ତି; ଅସ୍ୟ -ଜୀବର; ସତ୍‌-ଅସତ୍‌-ଯୋନି - ଉତ୍କୃଷ୍ଟ ଓ ନିକୃଷ୍ଟ ଜୀବ ଯୋନି; ଜନ୍ମସ୍ଥ -ଜନ୍ମର ।

Translation

BG 13.22: ଯେତେବେଳେ ପୁରୁଷ (ଜୀବ) ପ୍ରକୃତିରେ (ମାୟାରେ) ସ୍ଥିତ ହୋଇ, ତିନି ଗୁଣକୁ ଉପଭୋଗ କରିବାର କାମନା କରେ, ସେମାନଙ୍କ ଠାରେ ଆସକ୍ତି ତା’ର ଉତ୍କୃଷ୍ଟ ବା ନିକୃଷ୍ଟ ଗର୍ଭରେ ଜନ୍ମନେବାର କାରଣ ହୋଇଥାଏ ।

Commentary

ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ବର୍ଣ୍ଣନା କଲେ ଯେ, ସୁଖ ବା ଦୁଃଖର ଅନୁଭୂତି ପାଇଁ ପୁରୁଷ (ଆତ୍ମା) ଦାୟୀ । ସେ କିପରି ଦାୟୀ ହୁଏ, ବର୍ତ୍ତମାନ ସେ ତାହା ବର୍ଣ୍ଣନା କରୁଛନ୍ତି । ନିଜକୁ ଶରୀର ମନେ କରି, ଶାରୀରିକ ସୁଖ ଉପଭୋଗ ଜନିତ କ୍ରିୟା ଦିଗରେ ଆତ୍ମା ତାର ଶକ୍ତି ବିନିଯୋଗ କରିଥାଏ । ଯେହେତୁ ଶରୀର ମାୟା ଦ୍ୱାରା ଗଠିତ, ଏହା ସତ୍ୱଗୁଣ, ରଜୋଗୁଣ ଏବଂ ତମୋଗୁଣ ଯୁକ୍ତ ମାୟାଶକ୍ତିକୁ ଉପଭୋଗ କରିବାକୁ ଚାହେଁ ।

ଅହଂକାର ବଶତଃ, ଆତ୍ମା ନିଜକୁ କର୍ତ୍ତା ଏବଂ ଉପଭୋକ୍ତା ମନେକରେ । ଶରୀର, ମନ ଏବଂ ବୁଦ୍ଧି ସମସ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ଆତ୍ମା ସେଥିପାଇଁ ଦାୟୀ ରହେ । ଯେପରି ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହେଲେ ଚକ ବା ଷ୍ଟିଅରିଂକୁ ଦୋଷ ଦିଆଯାଇ ନ ଥାଏ । ବସ୍‌ର କୌଣସି ଦୁର୍ଘଟଣା ପାଇଁ ଚାଳକ ଦାୟୀ ହୋଇଥାନ୍ତି । ସେହିପରି ଇନ୍ଦ୍ରିୟ, ମନ ଓ ବୁଦ୍ଧି, ଆତ୍ମାଠାରୁ ଶକ୍ତି ପ୍ରାପ୍ତ କରିଥାନ୍ତି ଏବଂ ଆତ୍ମାର ଅଧୀନସ୍ଥ ହୋଇ କାର୍ଯ୍ୟ କରିଥାନ୍ତି । ତେଣୁ ଶରୀର କରୁଥିବା ସମସ୍ତ କାର୍ଯ୍ୟ ପାଇଁ ଆତ୍ମା କର୍ମ ସଂଚୟ କରେ । ଅସଂଖ୍ୟ ପୂର୍ବ ଜନ୍ମର ପୁଞ୍ଜିକୃତ ଏହି କର୍ମର ଭଣ୍ଡାର ଉଚ୍ଚ ବା ନୀଚ ଗର୍ଭରେ ବାରମ୍ବାର ଜନ୍ମ ନେବାର କାରଣ ହୋଇଥାଏ ।