Bhagavad Gita: Chapter 6, Verse 1

ଶ୍ରୀ ଭଗବାନୁବାଚ
ଅନାଶ୍ରିତଃ କର୍ମଫଳଂ କାର୍ଯ୍ୟଂ କର୍ମ କରୋତି ଯଃ ।
ସ ସଂନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିୟଃ ।।୧।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ଅନାଶ୍ରିତଃ - କାମନା ନ କରି; କର୍ମଫଳଂ - କର୍ମଫଳ; କାର୍ଯ୍ୟଂ - କର୍ତ୍ତବ୍ୟ କର୍ମ; କର୍ମ - କର୍ମ; କରୋତି -କରେ; ଯଃ - ଯିଏ; ସଃ- ସେ; ସଂନ୍ୟାସୀ - ସନ୍ନ୍ୟାସୀ; ଚ-ଏବଂ; ଯୋଗୀ-ଯୋଗୀ; ଚ -ଏବଂ; ନ -ନୁହେଁ; ନିଃ -ବିନା; ଅଗ୍ନିଃ-ଅଗ୍ନି; ନ -ନୁହେଁ; ଚ-ମଧ୍ୟ; ଅକ୍ରିୟଃ - କର୍ତ୍ତବ୍ୟହୀନ ।

Translation

BG 6.1: ଶ୍ରୀ ଭଗବାନ କହିଲେ; ଯେଉଁମାନେ କର୍ମଫଳ ପ୍ରତି କାମନା ନରଖି ତାଙ୍କର ବିହିତ କର୍ମ କରିଥାଆନ୍ତି, ବାସ୍ତବରେ ସେମାନେ ହିଁ ସନ୍ନ୍ୟାସୀ (ତ୍ୟାଗୀ) ଓ ଯୋଗୀ ଅଟନ୍ତି । ଯେଉଁମାନେ କେବଳ ଯଜ୍ଞାଦି ( ଯେପରି କି ଅଗ୍ନିହୋତ୍ର)ବା ଶାରୀରିକ କର୍ମ ତ୍ୟାଗ କରିଥାଆନ୍ତି, ସେମାନେ ଯୋଗୀ ନୁହଁନ୍ତି ।

Commentary

ବେଦରେ ବର୍ଣ୍ଣନା କରାଯାଇଥିବା ବିଧିଯୁକ୍ତ କର୍ମ (କର୍ମକାଣ୍ଡ) ମାନଙ୍କ ମଧ୍ୟରେ ଅଗ୍ନିହୋତ୍ର ଯଜ୍ଞ ଅନ୍ୟତମ । ଯେଉଁମାନେ ତ୍ୟାଗଯୁକ୍ତ ସନ୍ୟାସ ମାର୍ଗରେ ପ୍ରବେଶ କରନ୍ତି, ସେମାନଙ୍କ ପାଇଁ ଏହି ନିୟମ ରହିଛି ଯେ, ସେମାନେ କୌଣସି କର୍ମକାଣ୍ଡ କରିବେ ନାହିଁ । ସେମାନେ ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ, ଏପରିକି ରୋଷେଇ ପାଇଁ ମଧ୍ୟ ନୁହେଁ । ସେମାନେ ଭିକ୍ଷା କରି ଜୀବନ ଯାପନ କରିବା ଉଚିତ । କିନ୍ତୁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି, କେବଳ ଯଜ୍ଞ ଇତ୍ୟାଦି ତ୍ୟାଗ ଦ୍ୱାରା ହିଁ ଜଣେ ସନ୍ନ୍ୟାସୀ ହୋଇଯାଏ ନାହିଁ ।

ପ୍ରକୃତ ଯୋଗୀ କିଏ ଏବଂ ପ୍ରକୃତ ସନ୍ନ୍ୟାସୀ କିଏ? ଏହି ବିଷୟରେ ଅନେକ ବିଭ୍ରାନ୍ତିପୂର୍ଣ୍ଣ ଧାରଣା ଅଛି । ଲୋକମାନେ କୁହନ୍ତି “ଏହି ସ୍ୱାମୀଜୀ ଫଳାହାରୀ ଅଟନ୍ତି”, ତେଣୁ ସେ ଉଚ୍ଚ କକ୍ଷର ଯୋଗୀ ହୋଇଥିବେ, “ଏହି ବାବାଜୀ ଦୁଗ୍ଧାହାରୀ ଅଟନ୍ତି” ତେଣୁ ସେ ଆହୁରି ଉଚ୍ଚକୋଟୀର ଯୋଗୀ ହୋଇଥିବେ । “ଏହି ସାଧୁଜଣକ କେବଳ ପବନାହାରୀ” ତେଣୁ ସେ ନିଶ୍ଚିତ ଭାବେ ବ୍ରହ୍ମଜ୍ଞାନୀ ହୋଇଥିବେ । “ଏହି ସାଧୁ ଜଣକ ନାଗାବାବା ଅଟନ୍ତି (ଯିଏ ବସ୍ତ୍ର ପରିଧାନ କରନ୍ତି ନାହିଁ), ତେଣୁ ସେ ପ୍ରକୃତ ତ୍ୟାଗୀ ଅଟନ୍ତି ।” କିନ୍ତୁ ଶ୍ରୀକୃଷ୍ଣ ଏ ସମସ୍ତ ଚିନ୍ତାଧାରାକୁ ଖଣ୍ଡନ କରି କହିଛନ୍ତି ଯେ, ଏହିପରି ବାହ୍ୟ ତ୍ୟାଗର ପ୍ରକ୍ରିୟା କାହାକୁ ସନ୍ୟାସୀ ବା ଯୋଗୀରେ ପରିଣତ କରାଏ ନାହିଁ । ଯେଉଁମାନେ କର୍ମଫଳର ଆସକ୍ତିକୁ ତ୍ୟାଗ କରି ତାହାକୁ ଭଗବାନଙ୍କଠାରେ ଅର୍ପଣ କରିଥାଆନ୍ତି, ସେମାନେ ହିଁ ପ୍ରକୃତରେ ତ୍ୟାଗୀ ଓ ଯୋଗୀ ।

ଆଜିକାଲି ପାଶ୍ଚାତ୍ୟ ଜଗତରେ ‘ଯୋଗା’ ଏକ ବହୁପ୍ରଚଳିତ ଶବ୍ଦ ଅଟେ । ପୃଥିବୀର ପ୍ରତି ଦେଶରେ ପ୍ରତି ସହରରେ ଅନେକ ‘ଯୋଗା’ ଷ୍ଟୁଡିଓ ଗଢ଼ି ଉଠିଛି । ଅନୁସନ୍ଧାନରୁ ଜଣାଯାଏ ଯେ ଆମେରିକାର ପ୍ରତି ୧୦ଜଣଙ୍କ ମଧ୍ୟରୁ ଜଣେ ଯୋଗାଭ୍ୟାସ କରନ୍ତି । ବାସ୍ତବରେ ସଂସ୍କୃତ ସାହିତ୍ୟରେ ‘ଯୋଗା’ ଶବ୍ଦର ଉଲ୍ଲେଖ ନାହିଁ । ସଠିକ ଶବ୍ଦଟି ହେଉଛି ‘ଯୋଗ’, ଯାହାର ଅର୍ଥ ସଂଯୋଗ । ଏହା ବ୍ୟକ୍ତିର ଚେତନାକୁ ଦିବ୍ୟ ଚେତନା ସହିତ ମିଳିତ କରାଇବାକୁ ସୂଚିତ କରାଇଥାଏ । ଭିନ୍ନ ଶବ୍ଦରେ, ଯାହାର ମନ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କଠାରେ ନିମଗ୍ନ ରହେ, ସେ ଯୋଗୀ ଅଟନ୍ତି । ଏହା ଏକଥା ମଧ୍ୟ ସୂଚିତ କରିଥାଏ ଯେ ଜଣେ ଯୋଗୀର ମନ ସଂସାରଠାରୁ ସ୍ୱାଭାବିକ ଭାବେ ଅନାସକ୍ତ ରହିଥାଏ । ସୁତରାଂ, ଜଣେ ବାସ୍ତବିକ ଯୋଗୀ ଜଣେ ବାସ୍ତବିକ ସନ୍ୟାସୀ ମଧ୍ୟ ଅଟନ୍ତି ।

ଯେଉଁମାନେ କର୍ମଯୋଗ କରନ୍ତି, ସେମାନେ କୌଣସି ପ୍ରତିଦାନର ଆଶା ନ ରଖି, ଦୀନତାର ଭାବ ନେଇ ସମସ୍ତ କର୍ମ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କରିଥାଆନ୍ତି । ସେମାନେ ଗୃହସ୍ଥ ହୋଇପାରନ୍ତି, କିନ୍ତୁ ସେହି ମାନେ ହିଁ ପ୍ରକୃତ ଯୋଗୀ ଏବଂ ବାସ୍ତବ ତ୍ୟାଗୀ ଅଟନ୍ତି ।