Bhagavad Gita: Chapter 6, Verse 22

ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।
ଯସ୍ମିନ୍‌ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ।।୨୨।।

ଯଂ-ଯାହାକୁ ; ଲବ୍ଧା-ଲାଭ କରି; ଚ-ଏବଂ; ଅପରଂ-ଅନ୍ୟ; ଲାଭଂ-ଲାଭ; ମନ୍ୟତେ-ମନେକରେ ନାହିଁ; ନ-ନୁହେଁ; ଅଧିକଂ-ଅଧିକ; ତତଃ-ତାହାଠାରୁ; ଯସ୍ମିନ୍‌-ଯେଉଁଥିରେ; ସ୍ଥିତଃ-ସ୍ଥିର ହୋଇ; ନ-ନୁହେଁ; ଦୁଃଖେନ-ଦୁଃଖରେ; ଗୁରୁଣାପି-ଯଦିଓ ସର୍ବୋଚ୍ଚ; ବିଚାଲ୍ୟତେ-ବିଚଳିତ ହୁଏ ।

Translation

BG 6.22: ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ ।

Commentary

ମାୟିକ ଜଗତରେ, କୌଣସି ସ୍ତରର ପ୍ରାପ୍ତି ବ୍ୟକ୍ତିକୁ ପୂର୍ଣ୍ଣତଃ ସନ୍ତୁଷ୍ଟ କରିପାରେ ନାହିଁ । ଜଣେ ଦରିଦ୍ର ବ୍ୟକ୍ତି ଧନୀ ହେବା ପାଇଁ କଠିନ ପରିଶ୍ରମ କରେ ଏବଂ ଜଣେ କୋଟିପତି ହେଇ ପାରିଲେ ନିଜକୁ ସୁଖୀ ମନେକରେ । କିନ୍ତୁ ସେ ଯେତେବେଳେ ଜଣେ ଅର୍ବପତିକୁ ଦେଖେ, ତା’ ମନରେ ପୁନର୍ବାର ଅସନ୍ତୋଷ ଜାତ ହୁଏ । ଅର୍ବପତି ମଧ୍ୟ ତାଠାରୁ ଅଧିକ ଧନବାନ ବ୍ୟକ୍ତିକୁ ଦେଖି ଦୁଃଖିତ ହୋଇଥାଏ । ତେଣୁ ଆମେ ଯେତେ ମାତ୍ରାର ସୁଖ ପାଇଲେ ମଧ୍ୟ, ତା’ଠାରୁ ଅଧିକ ମାତ୍ରାର ସୁଖର କଳ୍ପନା କରି, ଅସନ୍ତୁଷ୍ଟ ରହିଥାଏ । କିନ୍ତୁ ଯୋଗସ୍ଥିତିରେ ଯେଉଁ ଆନନ୍ଦର ଅନୁଭବ ହୋଇଥାଏ, ତାହା ଭଗବାନଙ୍କର ଅନନ୍ତ ଆନନ୍ଦ ଅଟେ । ଯେହେତୁ ତାଠାରୁ ଶ୍ରେଷ୍ଠ ଅନ୍ୟ କିଛି ନାହିଁ, ସେହି ଅନନ୍ତ ଆନନ୍ଦର ଆସ୍ୱାଦନ କରି, ଆତ୍ମା ଅନୁଭବ କରିବା ସ୍ୱାଭାବିକ ଯେ ସେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ôଚଯାଇଛି ।

ଭଗବାନଙ୍କର ଦିବ୍ୟ ଆନନ୍ଦ ନିତ୍ୟ ମଧ୍ୟ ଅଟେ । ଯେଉଁ ଯୋଗୀ ଥରେ ଏହାକୁ ପ୍ରାପ୍ତ କରିନିଅନ୍ତି, ତାଙ୍କଠାରୁ ଏହାକୁ କେବେ ବି ଛଡ଼ାଇ ନିଆଯାଇ ପାରିବ ନାହିଁ । ଏପରି ଜଣେ ଭଗବତ୍‌-ପ୍ରାପ୍ତ ଜୀବାତ୍ମା, ଭୌତିକ ଶରୀରରେ ମଧ୍ୟ, ଦିବ୍ୟ ଚେତନାରେ ସ୍ଥିତ ରହନ୍ତି । ବେଳେ ବେଳେ ବାହ୍ୟରୂପରେ ଏହା ପ୍ରତୀତ ହୁଏ ଯେପରି କି ସନ୍ଥ ଜଣକ ଅସୁସ୍ଥତା, ବିରୋଧ, ପ୍ରତିକୁଳ ପରିବେଶ ଇତ୍ୟାଦି ଦ୍ୱାରା ଉତ୍ପିଡ଼ୀତ ହେଉଛନ୍ତି । କିନ୍ତୁ ଅଭ୍ୟନ୍ତରରେ ସେ ନିଜ ଦିବ୍ୟ ଚେତନାରେ ସ୍ଥିତ ରହି ଭଗବାନଙ୍କର ଦିବ୍ୟାନନ୍ଦ ପାନ କରିବାରେ ଲାଗିଥାଆନ୍ତି । ଏହିପରି ଭାବରେ ଅତିଶୟ କଷ୍ଟ ମଧ୍ୟ ଜଣେ ସନ୍ଥଙ୍କୁ ବିଚଳିତ କରିପାରେ ନାହିଁ । ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି, ସନ୍ଥମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାଆନ୍ତି । ତେଣୁ ଶାରୀରିକ ପୀଡ଼ା ତାଙ୍କୁ ବିଚଳିତ କରେ ନାହିଁ । ସେଥିପାଇଁ ପୁରାଣରେ ଆମେ ଦେଖିବାକୁ ପାଇଥାଏ, କିପରି ପ୍ରହ୍ଲାଦଙ୍କୁ ସର୍ପମାନଙ୍କ ଘେରରେ ଫିଙ୍ଗି ଦିଆଯାଇଥିଲା, ଅସ୍ତ୍ରଦ୍ୱାରା ଆଘାତ କରାଯାଇଥିଲା, ଅଗ୍ନିରେ ଦହନ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ପ୍ରକାରର କଷ୍ଟ, ପ୍ରହ୍ଲାଦଙ୍କର ଭଗବାନଙ୍କ ସହିତ ଭକ୍ତିର ବନ୍ଧନକୁ ଛିଣ୍ଡାଇ ପାରି ନ ଥିଲା ।