Bhagavad Gita: Chapter 6, Verse 7

ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ ।
ଶୀତୋଷ୍ଣସୁଖଦୁଃଖେଷୁ ତଥା ମାନାପମାନୟୋଃ ।।୭।।

ଜିତ-ଆତ୍ମନଃ - ଯିଏ ମନକୁ ଜୟ କରିଛି ; ପ୍ରଶାନ୍ତସ୍ୟ - ସଂଯମ ଅଭ୍ୟାସକରି ଶାନ୍ତି ଲାଭକରିଛି ; ପରମାତ୍ମା - ପରମାତ୍ମା; ସମାହିତଃ - ସ୍ଥିର; ଶୀତ-ଶୀତ; ଉଷ୍ଣ - ଉତ୍ତାପ; ସୁଖ-ସୁଖ; ଦୁଃଖେଷୁ - ଦୁଃଖରେ; ତଥା - ମଧ୍ୟ; ମାନ-ସମ୍ମାନ; ଅପମାନୟୋଃ - ଅପମାନରେ ।

Translation

BG 6.7: ଯେଉଁ ଯୋଗୀମାନେ ମନକୁ ଜୟ କରିଛନ୍ତି, ସେମାନେ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ, ମାନ ଓ ଅପମାନ ଆଦି ଦ୍ୱୈତର ଊର୍ଦ୍ଧ୍ୱରେ ରହନ୍ତି । ଏହିପରି ଯୋଗୀମାନେ ସେମାନଙ୍କର ଈଶ୍ୱର ଭକ୍ତିରେ ଶାନ୍ତ ଏବଂ ଅବିଚଳିତ ରହନ୍ତି ।

Commentary

ଶ୍ରୀକୃଷ୍ଣ ଶ୍ଲୋକ ୨.୧୪ରେ ବୁଝାଇଥିଲେ ଯେ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ସଂସ୍ପର୍ଶରେ ଆସି ଇନ୍ଦ୍ରିୟମାନେ ମନକୁ ଶୀତ ଓ ଉଷ୍ଣ, ହର୍ଷ ଓ ଦୁଃଖ ଆଦିର ଅନୁଭୂତି ଦେଇଥାଆନ୍ତି । ଯେ ପର୍ଯ୍ୟନ୍ତ ମନ ବଶୀଭୂତ ନ ହୋଇଛି, ବ୍ୟକ୍ତି ଇନ୍ଦ୍ରିୟସୁଖ ପଛରେ ଧାଇଁବ ଏବଂ ଦୁଃଖ ଅନୁଭୂତି ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିବ । ଯେଉଁ ଯୋଗୀ ମନକୁ ଜୟ କରିଥାଆନ୍ତି, ଏହିସବୁ କ୍ଷଣିକ ଅନୁଭବକୁ ସେମାନେ ନିତ୍ୟ ଆତ୍ମାଠାରୁ ପୃଥକ ଇନ୍ଦ୍ରିୟମାନଙ୍କର କାର୍ଯ୍ୟ ମନେକରି ଅବିଚଳିତ ରହନ୍ତି । ଏପରି ଜଣେ ଉଚ୍ଚ କକ୍ଷର ଯୋଗୀ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ଇତ୍ୟାଦି ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି ।

ମନ କେବଳ ଦୁଇଟି କ୍ଷେତ୍ରରେ ହିଁ ରହିପାରେ - ଗୋଟିଏ ମାୟିକ ଜଗତ ଏବଂ ଅନ୍ୟଟି ଈଶ୍ୱରୀୟ ଜଗତ । ମନ ଯଦି ଇନ୍ଦ୍ରିୟ ବିଷୟକ ଦ୍ୱନ୍ଦ୍ୱରୁ ମୁକ୍ତ ରହେ, ତେବେ ତାହା ଅତି ସହଜରେ ଭଗବାନଙ୍କ ଠାରେ ନିମଜ୍ଜିତ ହୋଇପାରିବ । ସେଥିପାଇଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଉଚ୍ଚ ସ୍ଥିତିସମ୍ପନ୍ନ ଯୋଗୀମାନଙ୍କର ମନ ଭଗବାନଙ୍କ ଠାରେ ସମାଧିସ୍ଥ ରହେ ।