Bhagavad Gita: Chapter 6, Verse 46

ତପସ୍ୱିଭ୍ୟୋଽଧିକୋ ଯୋଗୀ ଜ୍ଞାନିଭ୍ୟୋଽପି ମତୋଽଧିକଃ ।
କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍ୟୋଗୀ ଭବାର୍ଜୁନ ।।୪୬।।

ତପସ୍ୱିଭ୍ୟଃ - ତପସ୍ୱୀ ଅପେକ୍ଷା; ଅଧିକୋ- ଅଧିକ; ଯୋଗୀ -ଯୋଗୀ; ଜ୍ଞାନିଭ୍ୟଃ - ଜ୍ଞାନୀ ଅପେକ୍ଷା; ଅପି - ମଧ୍ୟ; ମତଃ - ବିଚାର କରାଯାଏ; ଅଧିକଃ - ଅଧିକ; କର୍ମିଭ୍ୟଃ - କର୍ମୀ ଅପେକ୍ଷା; ଚ -ମଧ୍ୟ; ଅଧିକୋ - ଅଧିକ; ଯୋଗୀ -ଯୋଗୀ; ଭବ- ହୁଅ; ଅର୍ଜୁନ- ହେ ଅର୍ଜୁନ ।

Translation

BG 6.46: ଜଣେ ଯୋଗୀ ଜଣେ ତପସ୍ୱୀଙ୍କ ଠାରୁ ଶ୍ରେଷ୍ଠ, ଜଣେ ଜ୍ଞାନୀଙ୍କ ଠାରୁ ଶ୍ରେଷ୍ଠ ଏବଂ ଏପରିକି ଜଣେ କର୍ମୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି । ତେଣୁ ହେ ଅର୍ଜୁନ ! ଜଣେ ଯୋଗୀ ହେବା ପାଇଁ ଚେଷ୍ଟା କର ।

Commentary

ଜଣେ ତପସ୍ୱୀ ସେ ଅଟନ୍ତି, ଯିଏ ସ୍ୱେଚ୍ଛା ପୂର୍ବକ କଷ୍ଟ ଭୋଗ କରନ୍ତି ଏବଂ ଏକ ଅତ୍ୟନ୍ତ କଠୋର ଜୀବନଶୈଳୀ ଆପଣାଇଥାନ୍ତି । ସେମାନେ ଇନ୍ଦ୍ରିୟ ସୁଖଭୋଗ ତଥା ଭୌତିକ ସମ୍ପଦ ସଂଗ୍ରହ କରିବା ଠାରୁ କ୍ଷାନ୍ତ ରୁହନ୍ତି । ଏହା ତାଙ୍କ ନିର୍ବାଣ ପ୍ରାପ୍ତିର ପ୍ରୟାସରେ ସହାୟକ ହୋଇଥାଏ । ଜ୍ଞାନୀ ଜଣେ ବିଦ୍ୱାନ ବ୍ୟକ୍ତି, ଯିଏ ଜ୍ଞାନ ଅର୍ଜନ କରିବା ଦିଗରେ ଯତ୍ନଶୀଳ ରହିଥାନ୍ତି । ଜଣେ କର୍ମୀ ସାଂସାରିକ ବୈଭବ ପ୍ରାପ୍ତି ଏବଂ ସ୍ୱର୍ଗ ପ୍ରାପ୍ତି ଉଦ୍ଦେଶ୍ୟରେ ବୈଦିକ ରୀତିନୀତି ସବୁ ପାଳନ କରିଥାନ୍ତି । ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ଯୋଗୀ ସମସ୍ତଙ୍କଠାରୁ ଶ୍ରେଷ୍ଠ ଅଟନ୍ତି ।  କର୍ମୀ, ଜ୍ଞାନୀ ଏବଂ ତପସ୍ୱୀଙ୍କର ଲକ୍ଷ୍ୟ ସଂସାର ସମ୍ବନ୍ଧୀ ଅଟେ; ସେମାନଙ୍କର ସ୍ଥିତି ତଥାପି ବି ଶାରୀରିକ ସ୍ତରରେ ରହିଥାଏ । ଜଣେ ଯୋଗୀଙ୍କର ଲକ୍ଷ୍ୟ ସଂସାର ନୁହେଁ, ଭଗବାନ ଅଟନ୍ତି । ଅତଏବ, ଜଣେ ଯୋଗୀଙ୍କର ପ୍ରାପ୍ତି ଆଧ୍ୟାତ୍ମିକ ସ୍ତରର ଅଟେ, ତେଣୁ ସେ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି ।