Bhagavad Gita: Chapter 6, Verse 8

ଜ୍ଞାନବିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ବିଜିତେନ୍ଦ୍ରିୟଃ ।
ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟ୍ରାଶ୍ମକାଞ୍ଚନଃ ।।୮।।

ଜ୍ଞାନ -ଜ୍ଞାନ; ବିଜ୍ଞାନ -ଅନୁଭୂତ ଜ୍ଞାନ; ତୃପ୍ତ -ତୃପ୍ତ; ଆତ୍ମା -ଜୀବ; କୂଟସ୍ଥଃ - ଅବିଚଳିତ; ବିଜିତ-ଇନ୍ଦ୍ରିୟଃ - ଇନ୍ଦ୍ରିୟମାନଙ୍କୁ ଜୟ କରିଥିବା ବ୍ୟକ୍ତି; ଯୁକ୍ତଃ - ଭଗବାନଙ୍କ ସହ ନିତ୍ୟଯୁକ୍ତ; ଇତି - ଏହିପରି; ଉଚ୍ୟତେ - କୁହାଯାଏ; ଯୋଗୀ - ଯୋଗୀ; ସମ-ସମଭାବାପନ୍ନ; ଲୋଷ୍ଟ୍ର - ଗୋଡି; ଅଶ୍ରୁ - ପଥର; କାଞ୍ଚନଃ -ସୁନା ।

Translation

BG 6.8: ଯେଉଁ ଯୋଗୀମାନେ ଜ୍ଞାନ ଓ ବିଚାର ଦ୍ୱାରା ସନ୍ତୁଷ୍ଟ ରହିଥାନ୍ତି ଏବଂ ଇନ୍ଦ୍ରିୟମାନଙ୍କୁ ଜୟ କରିଥାନ୍ତି, ସେମାନେ ପ୍ରତ୍ୟେକ ପରିସ୍ଥିତିରେ ଅବିଚଳିତ ରୁହନ୍ତି । ସେମାନେ ମାଟି, ପଥର ଏବଂ ସୁନା ଆଦି ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖନ୍ତି ।

Commentary

ଜ୍ଞାନର ତାତ୍ପର୍ଯ୍ୟ ଶାବ୍ଦିକ ଜ୍ଞାନ ଅଟେ, ଯାହା ଆମେ ଗୁରୁଙ୍କ ମାଧ୍ୟମରେ ତଥା ଶାସ୍ତ୍ର ଅଧ୍ୟୟନ ଦ୍ୱାରା ପ୍ରାପ୍ତ କରିଥାଏ । ଅନୁଭବ ଦ୍ୱାରା ଯେତେବେଳେ ସେହି ଜ୍ଞାନ ଆମ ଅନ୍ତରକୁ ଉଦ୍‌ଭାସିତ କରେ, ଜ୍ଞାନର ସେହି ପ୍ରକାଶକୁ ବିଜ୍ଞାନ କୁହାଯାଏ । ଉଚ୍ଚକୋଟୀର ଯୋଗୀମାନଙ୍କର ବୁଦ୍ଧି ଉଭୟ ଜ୍ଞାନ ଓ ବିଜ୍ଞାନ ଦ୍ୱାରା ପରିପୁଷ୍ଟ ହୋଇଥାଏ । ଏହି ବିଜ୍ଞତାର ଆଧାରରେ, ଯୋଗୀମାନେ ସମସ୍ତ ବସ୍ତୁକୁ ମାୟାଶକ୍ତିର ରୂପାନ୍ତର ଭାବେ ଦେଖିଥାନ୍ତି । ଏପରି ଯୋଗୀମାନେ ଆକର୍ଷଣର ଆଧାରରେ ବସ୍ତୁମାନଙ୍କ ମଧ୍ୟରେ ପାର୍ଥକ୍ୟ ଦେଖନ୍ତି ନାହିଁ । ପ୍ରଜ୍ଞାଯୁକ୍ତ ଯୋଗୀ ସମସ୍ତ ବସ୍ତୁକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରି ଦେଖିଥାନ୍ତି । ମାୟାଶକ୍ତି ଯେହେତୁ ଭଗବାନଙ୍କର ହିଁ ଶକ୍ତି ଅଟେ, ତେଣୁ ସମସ୍ତ ମାୟିକ ବସ୍ତୁ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ ।

କୂଟସ୍ଥ ଶବ୍ଦର ଅଭିପ୍ରାୟ ମନକୁ ଇନ୍ଦ୍ରିୟମାନଙ୍କ ଠାରେ ମାୟିକ ବିଷୟର ସଂସ୍ପର୍ଶରେ ଉପୁଜୁଥିବା ଦୋଳାୟମାନ ଅନୁଭୂତି ଠାରୁ ଦୂରରେ ରଖିବା । ମନର ଏପରି ସ୍ଥିତି ପ୍ରାପ୍ତ କରି ବ୍ୟକ୍ତି କୌଣସି ସୁଖଦ ପରିସ୍ଥିତି ଖୋଜେ ନାହିଁ କିମ୍ବା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଯାଏ ନାହିଁ । ବିଜିତେନ୍ଦ୍ରିୟ, ଅର୍ଥାତ୍ ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଥାଆନ୍ତି; ଯୁକ୍ତର ଅର୍ଥ ଯାହାର ମନ ସଦାସର୍ବଦା ଭଗବାନଙ୍କ ସହିତ ସଂଲଗ୍ନ ରହିଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଦିବ୍ୟ ଆନନ୍ଦର ଆସ୍ୱାଦନ କରି ତୃପ୍ତାତ୍ମା ହୋଇଯାଆନ୍ତି ବା ଅନୁଭାବାତ୍ମକ ଜ୍ଞାନ ଦ୍ୱାରା ପୂର୍ଣ୍ଣ ସନ୍ତୋଷ ଲାଭ କରିଥାଆନ୍ତି ।