Bhagavad Gita: Chapter 6, Verse 31

ସର୍ବଭୂତସ୍ଥିତଂ ଯୋ ମାଂ ଭଜତ୍ୟେକତ୍ୱମାସ୍ଥିତଃ ।
ସର୍ବଥା ବର୍ତମାନୋଽପି ସ ଯୋଗୀ ମୟି ବର୍ତତେ ।।୩୧।।

ସର୍ବଭୂତସ୍ଥିତଂ - ସମସ୍ତଙ୍କ ହୃଦୟରେ ଅବସ୍ଥିତ; ଯଃ - ଯିଏ; ମାଂ-ମୋତେ; ଭଜତି- ସେବାକରେ ବା ଭଜନ କରେ; ଏକତ୍ୱମ୍ - ଏକତ୍ୱରେ; ଅବସ୍ଥିତଃ -ସ୍ଥିତ; ସର୍ବଥା - ସବୁପ୍ରକାରେ; ବର୍ତ୍ତମାନଃ - ବିଦ୍ୟମାନ ରହି; ଅପି -ମଧ୍ୟ; ସଃ-ସେ; ଯୋଗୀ-ଯୋଗୀ; ମୟି - ମୋ’ଠାରେ; ବର୍ତତେ - ନିବାସ କରେ ।

Translation

BG 6.31: ଯେଉଁ ଯୋଗୀ ମୋ ସହିତ ଯୁକ୍ତ ରହିଥାଆନ୍ତି ଏବଂ ସମସ୍ତଙ୍କ ହୃଦୟରେ ସ୍ଥିତ ପରମାତ୍ମା ରୂପରେ ମୋର ଉପାସନା କରନ୍ତି, ସେ ସମସ୍ତ ପ୍ରକାର କର୍ମରେ ଲିପ୍ତ ରହି ମଧ୍ୟ ମୋ ଠାରେ ନିବାସ କରିଥାଆନ୍ତି ।

Commentary

ଭଗବାନ ସଂସାରରେ ସର୍ବତ୍ର ବିଦ୍ୟମାନ । ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରନ୍ତି । ଶ୍ଲୋକ ୧୮.୬୧ରେ ଶ୍ରୀକୃଷ୍ଣ କହିଛନ୍ତି “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ରହେ ।” ଅତଏବ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ଦୁଇଜଣ ବାସ କରନ୍ତି - ଆତ୍ମା ଓ ପରମାତ୍ମା ।

୧. ଭୌତିକ ଚେତନା ଯୁକ୍ତ ବ୍ୟକ୍ତି, ସମସ୍ତଙ୍କୁ ଶରୀର ମନେ କରନ୍ତି ଏବଂ ଜାତି, ଧର୍ମ, ଲିଙ୍ଗ, ବୟସ, ସାମାଜିକ ପ୍ରତିଷ୍ଠା ଇତ୍ୟାଦି ଅନୁସାରେ ସେମାନଙ୍କ ମଧ୍ୟରେ ଭେଦ ଦର୍ଶନ କରିଥାଆନ୍ତି ।

୨. ଉଚ୍ଚତର ଚେତନା ଯୁକ୍ତ ବ୍ୟକ୍ତି ସମସ୍ତଙ୍କୁ ଆତ୍ମା ରୂପରେ ଦେଖନ୍ତି । ସେଥିପାଇଁ ଶ୍ଲୋକ ୫.୧୮ରେ ଶ୍ରୀକୃଷ୍ଣ କହିଥିଲେ, “ଜ୍ଞାନୀମାନେ ସେମାନଙ୍କର ଦିବ୍ୟଜ୍ଞାନ ଚକ୍ଷୁରେ ବ୍ରାହ୍ମଣ, ଗାଭୀ, ହସ୍ତୀ, ଶ୍ୱାନ ଏବଂ ଶ୍ୱାନଭକ୍ଷୀ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିଥାଆନ୍ତି ।

୩. ଉଚ୍ଚ କକ୍ଷର ଯୋଗୀ, ଆହୁରି ଉଚ୍ଚତର ଚେତନାରେ ଭଗବାନଙ୍କୁ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଥିବାର ଦେଖିଥାଆନ୍ତି । ସେମାନେ ସଂସାରକୁ ଅନୁଭବ କରନ୍ତି, କିନ୍ତୁ ସେଥିପ୍ରତି ଉଦାସୀନ ରହନ୍ତି । ସେମାନେ ହଂସ ସଦୃଶ, ଦୁଗ୍ଧ ଓ ଜଳମିଶ୍ରିତ ପାନୀୟରୁ ଦୁଗ୍‌ଧକୁ ଜଳରୁ ପୃଥକ୍ କରି ପାନ କରିପାରନ୍ତି ।

୪. ସର୍ବୋଚ୍ଚ କୋଟୀର ଯୋଗୀମାନଙ୍କୁ ପରମହଂସ କୁହାଯାଏ । ସେମାନେ କେବଳ ଭଗବାନଙ୍କୁ ଦେଖନ୍ତି ଏବଂ ସଂସାରକୁ ଅନୁଭବ କରନ୍ତି ନାହିଁ । ଏହା ବ୍ୟାସଦେବଙ୍କ ପୁତ୍ର ଶୁକଦେବଙ୍କ ଚେତନାର ସ୍ଥିତି ଥିଲା, ଯାହାର ବର୍ଣ୍ଣନା ଶ୍ରୀମଦ୍ ଭଗବତମ୍‌ରେ କରାଯାଇଛି:

ଯଂ ପ୍ରବ୍ରଜନ୍ତଂ ଅନୁପେତଂ ଅପେତ କୃତ୍ୟମ୍‌
ଦ୍ୱୈପାୟନୋ ବିରହ-କାତର ଆଜୁହାବ,
ପୁତ୍ରେତି ତନ୍ମୟତୟା ତରବୋଽଭିନେଦୁଷ୍ଟଂ
ସର୍ବ-ଭୂତା-ହୃଦୟଂ ମୁନିମାନୋତୋଽସ୍ମି । (୧.୨.୨)

ଶୈଶବାବସ୍ଥାରୁ ହିଁ ସନ୍ୟାସ ଜୀବନରେ ପ୍ରବେଶ କରିବା ପାଇଁ ଶୁକଦେବ ଯେତେବେଳେ ଗୃହତ୍ୟାଗ କଲେ, ତାଙ୍କର ଅବସ୍ଥା ଏତେ ଉଚ୍ଚ କୋଟୀର ଥିଲା ଯେ ତାଙ୍କର ସଂସାରର ଅନୁଭବ ହିଁ ନ ଥିଲା । ଏପରିକି, ଗୋଟିଏ ହ୍ରଦ ପାଶ୍ୱର୍ରେ ଯାଉଥିବା ସମୟରେ ସେଠାରେ ନଗ୍ନ ସ୍ନାନ କରୁଥିବା ସୁନ୍ଦରୀ ମହିଳା ମାନଙ୍କୁ ସେ ଦେଖି ମଧ୍ୟ ପାରି ନ ଥିଲେ । ସେ କେବଳ ଭଗବାନଙ୍କୁ ଅନୁଭବ କରୁଥିଲେ, ଭଗବାନଙ୍କୁ ଶୁଣୁଥିଲେ ଏବଂ ଭଗବାନଙ୍କର ହିଁ ଧ୍ୟାନ କରୁଥିଲେ ।

ଏହି ଶ୍ଲୋକରେ, ଶ୍ରୀକୃଷ୍ଣ ଚେତନାର ତୃତୀୟ ବା ଚତୁର୍ଥ ସୋପାନରେ ସ୍ଥିତ ସିଦ୍ଧ ଯୋଗୀମାନଙ୍କ ବିଷୟରେ କହୁଛନ୍ତି ।