Bhagavad Gita: Chapter 6, Verse 36

ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ରାପ୍ୟ ଇତି ମେ ମତିଃ ।
ବଶ୍ୟାତ୍ମନା ତୁ ଯତତା ଶକ୍ୟୋଽବାପ୍ତୁମୁପାୟତଃ ।।୩୬।।

ଅସଂଯତାତ୍ମନା- ଯାହାର ମନ ଅସଂଯତ; ଯୋଗଃ-ଯୋଗ ; ଦୁଷ୍ପ୍ରାପ୍ୟ - ଲାଭ କରିବା କଠିନ; ଇତି- ଏହିପରି; ମେ-ମୋର; ମତିଃ-ମତ; ବଶ୍ୟାତ୍ମନା -ସଂଯତ ମନରେ; ତୁ -କିନ୍ତୁ; ଯତତା -ପ୍ରଯତ୍ନ କରୁଥିବା ବ୍ୟକ୍ତି; ଶକ୍ୟଃ -ସମ୍ଭବ; ଅବାପ୍ତୁଂ -ପାଇବାକୁ; ଉପାୟତଃ-ଉପଯୁକ୍ତ ପନ୍ଥା ।

Translation

BG 6.36: ଯେଉଁମାନଙ୍କର ମନ ଅସଂଯତ, ସେମାନେ ଯୋଗରେ ସିଦ୍ଧି ଲାଭ କରିବା କଷ୍ଟକର ଅଟେ । କିନ୍ତୁ ଯେଉଁମାନେ ସଠିକ୍ ଉପାୟରେ ନିଷ୍ଠାପର ଉଦ୍ୟମ ଦ୍ୱାରା, ମନକୁ ସଂଯତ କରିପାରି ଥାଆନ୍ତି, ସେମାନେ ଯୋଗରେ ସିଦ୍ଧି ଲାଭ କରନ୍ତି । ଏହା ମୋର ମତ ଅଟେ ।

Commentary

ପରମ ପୁରୁଷ ଶ୍ରୀକୃଷ୍ଣ, ବତ୍ତର୍ମାନ ମନ ନିୟନ୍ତ୍ରଣ ଏବଂ ଯୋଗିକ ସଫଳତା ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରୁଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନକୁ ସଂଯତ କରି ନ ଥାନ୍ତି, ସେମାନେ ଯୋଗ ସାଧନାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଯେଉଁମାନେ ନିରନ୍ତର ପ୍ରୟାସ ଦ୍ୱାରା ମନକୁ ବଶ କରିନେଇ ଥାଆନ୍ତି, ସେମାନେ ଉଚିତ୍ ଉପାୟର ଉପଯୋଗ କରି ସଫଳତା ହାସଲ କରିଥାଆନ୍ତି । ଏହି ଉପାୟସବୁ ସେ ଶ୍ଳୋକ ୬.୧୦ରୁ ୬.୩୨ପର୍ଯ୍ୟନ୍ତ ବର୍ଣ୍ଣନା କରିସାରିଛନ୍ତି । ସେହି ସବୁ ଉପାୟ ହେଉଛି, ମନକୁ ବଶ କରିବା, କାମନା ତ୍ୟାଗ କରିବା, କେବଳ ଭଗବାନଙ୍କଠାରେ ମନକୁ କେନ୍ଦ୍ରିତ କରିବା, ଅବିଚଳିତ ମନରେ ତାଙ୍କର ଧ୍ୟାନ କରିବା ଏବଂ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା ।

ଶ୍ରୀକୃଷ୍ଣଙ୍କର ଏହି ବକ୍ତବ୍ୟ ଅର୍ଜୁନଙ୍କ ମନରେ ଦ୍ୱିଧା ଉତ୍ପନ୍ନ କରୁଛି । ସେ ବର୍ତ୍ତମାନ ମନକୁ ବଶୀଭୂତ କରିପାରୁ ନ ଥିବା ସାଧକମାନଙ୍କ ବିଷୟରେ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି ।