Bhagavad Gita: Chapter 6, Verse 3

ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ ।
ଯୋଗାରୁଢ଼ସ୍ୟ ତସ୍ୟୈବ ଶମଃ କାରଣମୁଚ୍ୟତେ ।।୩।।

ଆରୁରୁକ୍ଷୋଃ- ଯୋଗସାଧନା ଆରମ୍ଭ କରିଥିବା; ମୁନେଃ - ମୁନିଙ୍କର; ଯୋଗଂ -ଯୋଗ; କର୍ମ-ଆସକ୍ତି ରହିତ କର୍ମ; କାରଣଂ -କାରଣ; ଉଚ୍ୟତେ - କୁହାଯାଏ; ଯୋଗ ଆରୁଢସ୍ୟ- ଯୋଗରେ ଉଚ୍ଚ ଅବସ୍ଥାକୁ ପ୍ରାପ୍ତ ହୋଇଥିବା ବ୍ୟକ୍ତି; ତସ୍ୟ - ତାହାର; ଏବ- ନିଶ୍ଚିତଭାବରେ; ଶମଃ -ଏକାଗ୍ରତା; କାରଣଂ -କାରଣ; ଉଚ୍ୟତେ - କୁହାଯାଏ ।

Translation

BG 6.3: ଯେଉଁ ଜୀବ (ସାଧକ) ଯୋଗ ମାର୍ଗରେ ପରିପୂର୍ଣ୍ଣତା ହାସଲ କରିବାକୁ ଇଚ୍ଛା କରୁଥାଆନ୍ତି, ତାଙ୍କ ପାଇଁ ‘ଆସକ୍ତି ରହିତ କର୍ମ’ ମାଧ୍ୟମ ଅଟେ । ଯେଉଁ ତପସ୍ୱୀ (ସାଧକ) ଯୋଗାଋଢ଼ ଅବସ୍ଥା ପ୍ରାପ୍ତ କରିଥାଆନ୍ତି, ତାଙ୍କ ପାଇଁ ଶାନ୍ତ ଚିତ୍ତରେ ଧ୍ୟାନ କରିବା ହିଁ ସାଧନ ଅଟେ ।

Commentary

ଅଧ୍ୟାୟ ୩, ଶ୍ଲୋକ ୨, ରେ ଶ୍ରୀକୃଷ୍ଣ କଲ୍ୟାଣର ଦୁଇଟି ମାର୍ଗ ବିଷୟରେ କହିଛନ୍ତି - ଧ୍ୟାନର ମାର୍ଗ ଏବଂ କର୍ମର ମାର୍ଗ । ଏହି ଦୁଇଟି ମଧ୍ୟରୁ ସେ ଅର୍ଜୁନଙ୍କୁ କର୍ମ ମାର୍ଗ ଅନୁସରଣ କରିବାକୁ ଉପଦେଶ ଦେଇଛନ୍ତି । ପୁନଶ୍ଚ ଅଧ୍ୟାୟ ୫, ଶ୍ଲୋକ ୨,ରେ ସେ ଏହାକୁ ଉତ୍କୃଷ୍ଟ ମାର୍ଗ ରୂପେ ଅଭିହିତ କରିଛନ୍ତି । ତାହାହେଲେ କ’ଣ, ସାରା ଜୀବନ ଆମେ ଖାଲି କର୍ମ କରୁଥିବା? ଏହିପରି ଏକ ପ୍ରଶ୍ନର ଅନୁମାନ କରି, ଶ୍ରୀକୃଷ୍ଣ କର୍ମର ସୀମା ନିର୍ଦ୍ଧାରଣ କରିଛନ୍ତି । ଆମେ ଯେତେବେଳେ କର୍ମଯୋଗ କରିଥାଏ, ତାହା ଆମର ମନକୁ ଶୁଦ୍ଧ କରିଥାଏ ଏବଂ ଆଧ୍ୟାତ୍ମିକ ଜ୍ଞାନ ପରିପକ୍ୱ କରିଥାଏ । କିନ୍ତୁ, ମନ ଶୁଦ୍ଧ ହୋଇଯିବା ପରେ ଆମେ ଯେତେବେଳେ ଯୋଗ ମାର୍ଗରେ ଅଗ୍ରସର ହୋଇଥାଏ, ସେତେବେଳ ଆମେ କର୍ମଯୋଗ ତ୍ୟାଗ କରି କର୍ମ ସନ୍ୟାସ ଗ୍ରହଣ କରିଥାଏ । ତାପରେ ସାଂସାରିକ କର୍ମର କୌଣସି ଆବଶ୍ୟକତା ନ ଥାଏ; ଧ୍ୟାନ ହିଁ ସାଧନ ହୋଇଯାଏ ।

ଆମେ ଯେଉଁ ମାର୍ଗ ଅନୁସରଣ କରିବା, ତାର ଅଧିକାରୀତ୍ୱ ସମ୍ବନ୍ଧରେ ଜାଣିବାର ଆବଶ୍ୟକତା ରହିଛି । ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅଧିକାରୀତ୍ୱର ମାନଦଣ୍ଡ ନିରୂପଣ କରିଛନ୍ତି । ସେ କହୁଛନ୍ତି ଯେ ଯେଉଁମାନେ ଯୋଗର ଲକ୍ଷ୍ୟ ରଖନ୍ତି ସେମାନଙ୍କ ପାଇଁ କର୍ମଯୋଗ ଅଧିକ ଉପଯୁକ୍ତ ଅଟେ, ଏବଂ ଯେଉଁମାନେ ଯୋଗର ଉଚ୍ଚ ଅବସ୍ଥାରେ ଉପନୀତ, ସେମାନଙ୍କ ପାଇଁ କର୍ମ ସନ୍ନ୍ୟାସର ପଥ ଅଧିକ ଉପାଦେୟ ଅଟେ ।

ଯୋଗ ଶବ୍ଦ ଉଭୟ ସାଧ୍ୟ ଏବଂ ଲକ୍ଷ୍ୟପ୍ରାପ୍ତିର ସାଧନକୁ ବୁଝାଇଥାଏ । ଆମେ ଯେତେବେଳେ ଏହାକୁ ସାଧ୍ୟ ଭାବରେ ଗ୍ରହଣ କରିଥାଏ, ସେତେବେଳେ ତାହାର ଅର୍ଥ “ଭଗବାନଙ୍କ ସହିତ ମିଳିତ ହେବା” ନିରୂପଣ କରେ । ଯେତେବେଳେ ଆମେ ଏହାକୁ ଲକ୍ଷ୍ୟପ୍ରାପ୍ତିର ଏକ ମାଧ୍ୟମ ବିବେଚନା କରିଥାଏ, ଆମେ ଯୋଗକୁ ଭଗବାନଙ୍କ ସହିତ ମିଳିତ ହେବା ପାଇଁ ଏକ ‘ମାର୍ଗ’ ସ୍ଥାନ ପ୍ରଦାନ କରିଥାଏ ।

ଦ୍ୱିତୀୟ ଅର୍ଥରେ, ଯୋଗ ଭଗବାନଙ୍କ ପାଖରେ ପହଂଚିବା ପାଇଁ ଏକ ଶିଡ଼ି ସଦୃଶ ଅଟେ । ସର୍ବନିମ୍ନ ସୋପାନରେ, ଜୀବର ଚେତନା ଜାଗତିକ ବିଷୟରେ ବୁଡି ରହିଥିବା କାରଣରୁ ଜୀବ ସାଂସାରିକ ବନ୍ଧନରେ ଛନ୍ଦି ହୋଇ ଯାଇଥାଏ । ଯୋଗର ଶିଡ଼ି, ଜୀବକୁ ସେହି ସ୍ତରରୁ କ୍ରମଶଃ ସର୍ବୋଚ୍ଚ ସୋପାନକୁ ଉନ୍ନୀତ କରିଥାଏ, ଯେଉଁ ସୋପାନରେ ବ୍ୟକ୍ତି ଚେତନା ଦିବ୍ୟ ଚେତନାରେ ନିମଗ୍ନ ହୋଇଯାଏ । ଶିଡ଼ିର ସୋପାନଗୁଡ଼ିକର ଭିନ୍ନ ଭିନ୍ନ ନାମ ରହିଛି, କିନ୍ତୁ ପ୍ରତ୍ୟେକ ନାମରେ ଯୋଗ ଶବ୍ଦ ଯୁକ୍ତ ରହିଥାଏ । ଯୋଗ-ଆରୁରୁକ୍ଷ ସେହି ସାଧକଗଣ ଅଟନ୍ତି ଯେଉଁମାନେ ଭଗବାନଙ୍କ ସହିତ ମିଳିତ ହେବାକୁ ଇଚ୍ଛାକରି ଶିଡ଼ି ଚଢ଼ିବାକୁ ଆରମ୍ଭ କରୁଥାଆନ୍ତି । ଯୋଗ ଆରୂଢ଼ ସେମାନେ ଅଟନ୍ତି, ଯେଉଁମାନେ ଶିଡ଼ିର ସର୍ବୋଚ୍ଚ ସୋପାନକୁ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ।

ଅତଏବ, ଯୋଗରେ କେଉଁମାନେ ଉଚ୍ଚ ସ୍ତରକୁ ଉନ୍ନୀତ ହୋଇଛନ୍ତି, ତାହା ଆମେ କିପରି ଜାଣିବା? ଶ୍ରୀକୃଷ୍ଣ ଏହାର ବର୍ଣ୍ଣନା ପରବର୍ତ୍ତୀ ଶ୍ଲୋକରେ କରିଛନ୍ତି ।