Bhagavad Gita: Chapter 6, Verse 44

ପୂର୍ବାଭ୍ୟାସେନ ତେନୈବ ହ୍ରିୟତେ ହ୍ୟବଶୋଽପି ସଃ ।
ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତିବର୍ତତେ ।।୪୪।।

ପୂର୍ବ -ପୂର୍ବ; ଅଭ୍ୟାସେନ - ଅଭ୍ୟାସ ହେତୁ; ତେନ -ତଦ୍ୱାରା; ଏବ - ନିଶ୍ଚିତଭାବେ; ହ୍ରିୟତେ - ଆକୃଷ୍ଟ; ହି- ନିଶ୍ଚିତଭାବେ; ଅବଶଃ - ଅସହାୟ ଭାବରେ; ଅପି - ମଧ୍ୟ; ସଃ - ସେ; ଜିଜ୍ଞାସୁଃ - ଜାଣିବାକୁ ଇଚ୍ଛୁକ; ଅପି - ମଧ୍ୟ; ଯୋଗସ୍ୟ - ଯୋଗର; ଶବ୍ଦ-ବ୍ରହ୍ମ- ବେଦର କର୍ମକାଣ୍ଡ ଅନୁଯାୟୀ ବିଧି ବିଧାନ; ଅତିବର୍ତତେ - ଅତିକ୍ରମ କରିଯାଏ ।

Translation

BG 6.44: ବାସ୍ତବରେ ତାଙ୍କ ଅତୀତ ଅଭ୍ୟାସର ଶକ୍ତି ବଳରେ, ସେମାନେ ଅନୁଭବ କରନ୍ତି, ଯେପରି କି ତାଙ୍କର ଅନିଚ୍ଛା ସତ୍ତ୍ୱେ ସେମାନେ ଭଗବାନଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି । ଏପରି ସାଧକମାନେ ଶାସ୍ତ୍ରୀୟ ବିଧି-ବିଧାନର ଉର୍ଦ୍ଧ୍ୱରେ ରହିବା ସ୍ୱାଭାବିକ ।

Commentary

ଥରେ ଆଧ୍ୟାତ୍ମିକ ଚେତନା ଅଙ୍କୁରିତ ହେଲେ, ତାହାର ମୂଳୋତ୍ପାଟନ କରି ହେବ ନାହିଁ । ଯେଉଁ ଜୀବର, ବର୍ତ୍ତମାନ ଜନ୍ମର ହେଉ ବା ପୂର୍ବ ଜନ୍ମର ହେଉ, ଭକ୍ତିପରକ ସଂସ୍କାର ଥାଏ, ସେ ସ୍ୱାଭାବିକ ଭାବେ ଆଧ୍ୟାତ୍ମିକତା ପ୍ରତି ଅନୁପ୍ରେରିତ ହୋଇଥାଏ । ଏପରି ବ୍ୟକ୍ତି ଭଗବାନଙ୍କ ଆଡ଼କୁ ଟାଣି ହୋଇଯିବା ପରି ଅନୁଭବ କରନ୍ତି, ଯାହାକୁ “ଭଗବାନଙ୍କର ଡାକରା” ବୋଲି ମଧ୍ୟ କୁହାଯାଏ । ପୂର୍ବ ସଂସ୍କାରର ଆଧାରରେ   ବେଳେବେଳେ ଭଗବାନଙ୍କର ଡାକରା ଏତେ ବଳଶାଳୀ ହୋଇଥାଏ ଯେ, କୁହାଯାଏ “ଭଗବାନଙ୍କର ଆହ୍ୱାନ ଜୀବନର ସବୁଠାରୁ ଶକ୍ତିଶାଳୀ ଆହ୍ୱାନ ଅଟେ ।” ଯେଉଁ ବ୍ୟକ୍ତି ଏହାକୁ ଅନୁଭବ କରନ୍ତି, ସେମାନେ ସମଗ୍ର ସଂସାର ତଥା ବନ୍ଧୁ ଓ କୁଟୁମ୍ବ ମାନଙ୍କର ଉପଦେଶ ତ୍ୟାଗ କରି, ତାଙ୍କ ଚିତ୍ତକୁ ଆକର୍ଷିତ କରୁଥିବା ପଥରେ ଯାତ୍ରା କରିଥାନ୍ତି । ଇତିହାସରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଠି ବଡ ବଡ ରାଜକୁମାର, ସମ୍ଭ୍ରାନ୍ତ ବ୍ୟକ୍ତି, ଧନୀ ବ୍ୟବସାୟୀ ଇତ୍ୟାଦି, ସେମାନଙ୍କ ସ୍ଥିତିର ଉଚ୍ଚତର ସାଂସାରିକ ସୁଖ ତ୍ୟାଗ କରି, ତପସ୍ୱୀ, ଯୋଗୀ, ଋଷି, ସାଧୁ, ସ୍ୱାମୀ ହୋଇଯାଆନ୍ତି । ଯେହେତୁ ସେମାନଙ୍କର ଭୋକ କେବଳ ଭଗବାନଙ୍କ ପ୍ରତି ଥାଏ, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କରାଯାଉ ଥିବା ବେଦ ବର୍ଣ୍ଣିତ ବିଧିବିଧାନ ଠାରୁ ଦୂରରେ ରହନ୍ତି ।