Bhagavad Gita: Chapter 6, Verse 20

ଯତ୍ରୋପରମତେ ଚିତ୍ତଂ ନିରୁଦ୍ଧଂ ଯୋଗସେବୟା ।
ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି ।।୨୦।।

ଯତ୍ର - ଯେଉଁ ଠାରେ; ଉପରମତେ - ଆନ୍ତରିକ ଦିବ୍ୟ ଆନନ୍ଦ ଅନୁଭବ କରେ; ଚିତ୍ତଂ -ମନ; ନିରୁଦ୍ଧଂ -ସଂଯମିତ; ଯୋଗସେବୟା - ଯୋଗ ଅଭ୍ୟାସଦ୍ୱାରା; ଯତ୍ର - ଯେଉଁଠାରେ; ଚ- ଏବଂ;ଏବ -ନିଶ୍ଚିତରୂପେ;ଆତ୍ମନା -ଶୁଦ୍ଧ ମନରେ;ଆତ୍ମାନଂ -ଜୀବ;ପଶ୍ୟନ୍ -ଦେଖି;ଆତ୍ମନି -ଆତ୍ମାରେ; ତୁଷ୍ୟନ୍ତି -ସନ୍ତୁଷ୍ଟ ହୁଏ ।

Translation

BG 6.20: ମାୟିକ କର୍ମରୁ ନିବୃତ୍ତ ମନ, ଯେତେବେଳେ ଯୋଗାଭ୍ୟାସ ଦ୍ୱାରା ସ୍ଥିର ହୋଇଯାଏ, ସେତେବେଳେ ଯୋଗୀ ତା’ର ବିଶୁଦ୍ଧ ଅନ୍ତଃକରଣରେ ଆତ୍ମାର ଦର୍ଶନ କରି ଆତ୍ମାନନ୍ଦରେ ବିଭୋର ହୋଇଯାଏ ।

Commentary

ଧ୍ୟାନର ବିଧି ଏବଂ ତା’ର ଚରମ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ତା’ର ଫଳ ବିଷୟରେ ଆଲୋଚନା କରୁଛନ୍ତି । ମନ ଶୁଦ୍ଧ ହୋଇଯିବା ପରେ ବ୍ୟକ୍ତି ନିଜକୁ ଶରୀର, ମନ ଓ ବୁଦ୍ଧିଠାରୁ ପୃଥକ ଉପଲବ୍ଧି କରିଥାଏ । ଉଦାହରଣ ସ୍ୱରୂପ, ଯଦି ଗୋଟିଏ ଗ୍ଲାସ୍‌ରେ ଗୋଳିଆ ପାଣି ଥାଏ, ଆମେ ତାହା ମଧ୍ୟଦେଇ କିଛି ଦେଖିପାରିବା ନାହିଁ । କିନ୍ତୁ ଯଦି ଆମେ ସେଥିରେ କିଛି ଫିିଟିକିରି ମିଶାଇ ଦେବା, ତେବେ କାଦୁଅ ତଳକୁ ବସିଯିବ ଏବଂ ପାଣି ସ୍ୱଚ୍ଛ ହୋଇଯିବ । ସେହିପରି, ମନ ଅସ୍ୱଚ୍ଛ ରହିଥିବା ଯାଏଁ ଆତ୍ମାର ଉପଲବ୍ଧି ଅସ୍ପଷ୍ଟ ରହିବ ଏବଂ ଆତ୍ମା ସମ୍ବନ୍ଧୀୟ ସମସ୍ତ ଶାସ୍ତ୍ରଜ୍ଞାନ କେବଳ ଶାବ୍ଦିକ ଜ୍ଞାନରେ ସୀମିତ ରହିବ । କିନ୍ତୁ ମନ ଯେତେବେଳେ ଶୁଦ୍ଧ ହୋଇଯାଏ, ଆତ୍ମାକୁ ଅନୁଭବ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଉପଲବ୍ଧି କରିହୁଏ ।