Bhagavad Gita: Chapter 6, Verse 18

ଯଦା ବିନିୟତଂ ଚିତ୍ତମାତ୍ମନ୍ୟେବାବତିଷ୍ଠତେ ।
ନିଃସ୍ପୃହଃ ସର୍ବକାମେଭ୍ୟୋ ଯୁକ୍ତ ଇତ୍ୟୁଚ୍ୟତେ ତଦା ।।୧୮।।

ଯଦା - ଯେତେବେଳେ; ବିନିୟତଂ - ପୂର୍ଣ୍ଣ ସଂଯତ; ଚିତ୍ତମ୍ -ମନ ; ଆତ୍ମନି - ଆତ୍ମାରେ; ଏବ - ନିଶ୍ଚିତଭାବେ; ଅବତିଷ୍ଠତେ - ପ୍ରତିଷ୍ଠିତ ହୁଏ; ନିସ୍ପୃହ - ସ୍ପୃହାହୀନ; ସର୍ବ-ସମସ୍ତ ପ୍ରକାର; କାମେଭ୍ୟୋ - ଭୌତିକ କାମନା; ଯୁକ୍ତଃ - ଯୋଗରେ ସ୍ଥିର; ଇତି - ଏହିପରି; ଉଚ୍ୟତେ - କୁହାଯାଏ; ତଦା - ସେତେବେଳେ ।

Translation

BG 6.18: ସମସ୍ତ ସ୍ୱାର୍ଥଯୁକ୍ତ ଇଚ୍ଛାଠାରୁ ମନକୁ ଦୂରେଇ ନେଇ, ସେମାନେ ନିଜର ଆନ୍ତରିକ ମଙ୍ଗଳ ପାଇଁ ତାହାକୁ ବ୍ୟବହାର କରିବାର ଅଭ୍ୟାସ କରିଥାଆନ୍ତି । ଇନ୍ଦ୍ରିୟ ଲାଳସାରୁ ସମ୍ପୂର୍ଣ୍ଣ ମୁକ୍ତ ଏହି ସାଧକମାନଙ୍କୁ ଯୋଗସିଦ୍ଧ କୁହାଯାଏ ।

Commentary

ସାଧକର ଯୋଗାଭ୍ୟାସ କେତେବେଳେ ସମ୍ପୂର୍ଣ୍ଣ ହୁଏ? ଯେତେବେଳେ ତାଙ୍କର ସଂଯତ ଚିତ୍ତ (ମନ) ପୂର୍ଣ୍ଣତଃ ଭଗବାନଙ୍କଠାରେ ସ୍ଥିର ଏବଂ କେନ୍ଦ୍ରିତ ହୋଇଯାଏ । ତତ୍ ସଙ୍ଗେ ସଙ୍ଗେ ଏହା ସ୍ୱତଃ ସମସ୍ତ ପ୍ରକାରର ଇନ୍ଦ୍ରିୟ ବାସନା ଏବଂ ସଂସାରିକ ସୁଖକାମନାଠାରୁ ଦୂରେଇ ଯାଏ । ସେତେବେଳେ ତାଙ୍କୁ ଯୁକ୍ତ ବା ଯୋଗସିଦ୍ଧ ବୋଲି କୁହାଯିବ । ଏହି ଅଧ୍ୟାୟର ଶେଷରେ, ଶ୍ରୀକୃଷ୍ଣ କହୁଛନ୍ତି, “ଯୋଗୀମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମନ ସର୍ବଦା ମୋ ଠାରେ ନିମଗ୍ନ ଥାଏ, ଏବଂ ଯେଉଁମାନେ ଶ୍ରଦ୍ଧାଯୁକ୍ତ ହୋଇ ମୋର ଭକ୍ତି କରନ୍ତି, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେ କରିଥାଏ ।” (ଶ୍ଲୋକ ୬-୪୭)