Bhagavad Gita: Chapter 6, Verse 43

ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ବଦେହିକମ୍ ।
ଯତତେ ଚ ତତୋ ଭୂୟଃ ସଂସିଦ୍ଧୌ କୁରୁନନ୍ଦନ ।।୪୩।।

ତତ୍ର - ସେଠାରେ; ତଂ -ତାହା; ବୁଦ୍ଧିସଂଯୋଗଂ- ଏ ଚେତନାର ପୁନରୁତ୍‌ଥାନ; ଲଭତେ - ଲାଭ କରେ; ପୌର୍ବ ଦେହିକମ୍ -ପୂର୍ବ ଜନ୍ମରୁ; ଯତତେ -ଉଦ୍ୟମ କରେ; ଚ - ଏବଂ; ତତଃ - ତାପରେ; ଭୂୟଃ - ପୁଣି; ସଂସିଦ୍ଧୌ - ସିଦ୍ଧି ନିମିତ୍ତ; କୁରୁ-ନନ୍ଦନ - ହେ କୁରୁନନ୍ଦନ ।

Translation

BG 6.43: ହେ କୁରୁନନ୍ଦନ! ଏପରି ଏକ ଜନ୍ମ ପ୍ରାପ୍ତ କରି, ସେମାନେ ତାଙ୍କ ପୂର୍ବ ଜନ୍ମର ଜ୍ଞାନକୁ ପୁନର୍ଜାଗ୍ରତ କରନ୍ତି, ଏବଂ ଯୋଗରେ ସିଦ୍ଧି ପାଇଁ ଅଧିକ ଚେଷ୍ଟାରତ ହୁଅନ୍ତି ।

Commentary

ସମସ୍ତଙ୍କର ହୃଦୟରେ ବାସ କରୁଥିବା ଭଗବାନ, ସମ୍ପୂର୍ଣ୍ଣ ନ୍ୟାୟୀ ଅଟନ୍ତି । ପୂର୍ବଜନ୍ମରେ ଆମେ ଯେଉଁ ଆଧ୍ୟାତ୍ମିକ ସମ୍ପଦ ଜମା କରିଥାଉ- ବୈରାଗ୍ୟ, ଜ୍ଞାନ, ଭକ୍ତି, ଶ୍ରଦ୍ଧା, ସହନଶୀଳତା, ନିଷ୍ଠା, ଇତ୍ୟାଦି - ସବୁ ତାଙ୍କୁ ଜଣାଥାଏ । ଉପଯୁକ୍ତ ସମୟରେ, ସେ ପୂର୍ବ କର୍ମର ଫଳ ଆମକୁ ପ୍ରଦାନ କରିଥାନ୍ତି ଏବଂ ଭିତରୁ ଆମର ଆଧ୍ୟାତ୍ମିକ ଚେତନାକୁ ବଢାଇ ଥାଆନ୍ତି । ସେଥିପାଇଁ ଏପରି ଦେଖାଯାଏ ଯେ ଭୌତିକ ବିଚାର ପୋଷଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେହି କେହି ହଠାତ୍ ଘୋର ଅଧ୍ୟାତ୍ମବାଦୀ ହୋଇଯାଆନ୍ତି । ଯେତେବେଳେ ତାଙ୍କର ଆଧ୍ୟାତ୍ମିକ ସଂସ୍କାର ଜାଗ୍ରତ ହୁଏ, ସେମାନେ ତାଙ୍କର ପୂର୍ବଜନ୍ମର ସାଧନାର ଫଳ ପାଇଥାନ୍ତି ।

ଜଣେ ବାଟୋଇ, ତା’ର ଯାତ୍ରାକୁ ବିରାମ ଦେଇ ରାସ୍ତା ପାଶ୍ୱର୍ରେ ଥିବା କୌଣସି ପାନ୍ଥଶାଳାରେ ବିଶ୍ରାମ ନେଇପାରେ । କିନ୍ତୁ ବିଶ୍ରାମ ନେଇ ଉଠିବା ପରେ, ସେ ଅତିକ୍ରମ କରିଥିବା ରାସ୍ତାକୁ ପୁଣି ଥରେ ଫେରିଯାଏ ନାହିଁ; ସେ ଆଗକୁ ଥିବା ଦୂରତ୍ୱକୁ ଅତିକ୍ରମ କରିବାକୁ ଅଗ୍ରସର ହୋଇଥାଏ । ସେହିପରି, ଭଗବାନଙ୍କ କୃପାରୁ, ପୂର୍ବ ଜନ୍ମରେ ଯିଏ ଯୋଗୀ ଥାଆନ୍ତି, ସେ ତାଙ୍କ ପୂର୍ବ ସଞ୍ôଚତ ଆଧ୍ୟାତ୍ମିକ ସମ୍ପତ୍ତି ବର୍ତ୍ତମାନ ଜନ୍ମରେ ପାଇଥାଆନ୍ତି, ଯଦ୍ୱାରା ଯେଉଁଠାରେ ସେ ତାଙ୍କର ଯାତ୍ରା ସମାପ୍ତ କରିଥିଲେ, ସେହିଠାରୁ ପୁଣି ଯାତ୍ରାରମ୍ଭ କରନ୍ତି । ସେଥିପାଇଁ ଏପରି ଯୋଗୀମାନେ କେବେ ବି ହଜି ଯାଆନ୍ତି ନାହିଁ ।