Bhagavad Gita: Chapter 9, Verse 30

ଅପି ଚେତ୍‌ସୁଦୁରାଚାରୋ ଭଜତେ ମାମନନ୍ୟଭାକ୍ ।
ସାଧୁରେବ ସ ମନ୍ତବ୍ୟଃ ସମ୍ୟଗ୍‌ବ୍ୟବସିତୋ ହି ସଃ ।।୩୦।।

ଅପି - ଏପରି କି; ଚେତ୍ - ଯଦିଓ; ସୁଦୁରାଚାରଃ - ଅତ୍ୟନ୍ତ ଦୁରାଚାରୀ; ଭଜତେ - ଭଜନ କରେ, ଭକ୍ତିପୂର୍ଣ୍ଣ ସେବାରେ ଲାଗି ରହେ; ମାଂ- ମୋତେ; ଅନନ୍ୟଭାକ୍ - ଐକାନ୍ତିକ ଭାବରେ; ସାଧୁଃ - ସାଧୁ; ଏବ - ନିଶ୍ଚିତଭାବରେ; ସଃ - ସେ; ମନ୍ତବ୍ୟଃ - ବିବେଚିତ ହେବ; ସମ୍ୟକ୍ - ପୂର୍ଣ୍ଣରୂପେ; ବ୍ୟବସିତଃ - ଅବସ୍ଥିତ; ହି - ନିଶ୍ଚିତରୂପେ; ସଃ - ସେ ।

Translation

BG 9.30: ଯଦି ଜଣେ ଅତ୍ୟନ୍ତ ଦୁରାଚାରୀ ବ୍ୟକ୍ତି ଅନନ୍ୟ ଭକ୍ତି ସହକାରେ ମୋର ପୂଜା କରନ୍ତି, ତେବେ ତାଙ୍କୁ ଧାର୍ମିକ ବ୍ୟକ୍ତି ଭାବେ ଗଣନା କରାଯିବ, କାରଣ ସେମାନେ ସଠିକ୍ ନିଷ୍ପତ୍ତି ନେଇଥାନ୍ତି ।

Commentary

ଭଗବାନଙ୍କ ଭକ୍ତିର ପ୍ରଭାବ ଏତେ ବେଶୀ ଯେ ଏହା ଅତ୍ୟନ୍ତ ଦୁରାଚାରୀଙ୍କୁ ମଧ୍ୟ ସଦାଚାରୀ କରିଦେଇପାରେ । ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ ଏହାର ବଳିଷ୍ଠ ଉଦାହରଣ ଗୁଡ଼ିକ ମଧ୍ୟରୁ ଅଜାମିଳ ଓ ବାଲ୍ମିକୀଙ୍କର ଆଖ୍ୟାନ ପ୍ରସିଦ୍ଧ ଅଟେ, ଯାହାର ଗାୟନ ପ୍ରାୟତଃ ସମସ୍ତ ଭାରତୀୟ ଭାଷାରେ କରାଯାଇଥାଏ । ବାଲ୍ମିକୀଙ୍କର ସଞ୍ôଚତ ପାପ ଏତେ ଜଘନ୍ୟ ଥିଲା ଯେ ସେ ପ୍ରଭୁ ରାମଙ୍କର ନାମର ଦୁଇଟି ଅକ୍ଷର ରା...ମ ଉଚ୍ଚାରଣ କରିପାରି ନ ଥିଲେ । ତାଙ୍କର ପାପ ଏହି ଦିବ୍ୟ ନାମର ପ୍ରତିରୋଧ କରୁଥିଲା । ସେଥିପାଇଁ ତାଙ୍କର ଗୁରୁ ତାଙ୍କୁ ଭକ୍ତି ମାର୍ଗରେ ପ୍ରବୃତ୍ତ କରିବା ପାଇଁ ଏକ ଉପାୟ ସ୍ଥିର କରି ତାଙ୍କୁ ସେହି ନାମ ଓଲଟା ଜପ କରିବାକୁ କହିଲେ - ମରା, ମରା, ମରା, ଯାହା ଆପେ ଆପେ “ରାମ ରାମ ରାମ......” ଶବ୍ଦ ସୃଷ୍ଟି କରିବ । ଫଳ ସ୍ୱରୂପ, ବାଲ୍ମିକୀଙ୍କ ପରି ମହାପାପୀ ଅନନ୍ୟ ଭକ୍ତି ଦ୍ୱାରା ବିଶୁଦ୍ଧ ହୋଇ ଏକ ମହାନ ସନ୍ଥରେ ପରିଣତ ହେଲେ ।

ଉଲଟା ନାମୁ ଜପତ ଜଗ ଜାନା, ବାଲ୍ମୀକି ଭଏ ବ୍ରହ୍ମ ସମାନା । (ରାମାୟଣ)

“ସମଗ୍ର ବିଶ୍ୱରେ ଏହା ବିଦିତ ଯେ ପ୍ରଭୁଙ୍କର ଓଲଟା ନାମ ଜପ କରି, ବାଲ୍ମିକୀ ମହାପୁରୁଷ ହୋଇଥିଲେ ।” ତେଣୁ ପାପୀ ମାନଙ୍କୁ ସବୁବେଳେ ନିନ୍ଦା କରିବା ଉଚିତ ନୁହେଁ । ଭକ୍ତିର ଏହି ସୁଧାର କରିବା ଶକ୍ତିକୁ ଦୃଷ୍ଟିରେ ରଖି ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ଯଦି ଜଣେ ଘୋର ପାପାତ୍ମା ମଧ୍ୟ ଅନନ୍ୟ ଭାବରେ ଭଗବାନଙ୍କର ଭକ୍ତି କରେ, ତେବେ ତାକୁ ପାପୀ ରୂପେ ପରିଗଣିତ କରାଯିବ ନାହିଁ । ସେମାନଙ୍କର ଶୁଦ୍ଧ ସଂକଳ୍ପ ଏବଂ ଭବ୍ୟ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ନିମନ୍ତେ ସେମାନଙ୍କୁ ଧର୍ମାତ୍ମା ଭାବେ ଗଣନା କରାଯିବା ଉଚିତ ।