Bhagavad Gita: Chapter 9, Verse 4

ମୟା ତତମିଦଂ ସର୍ବଂ ଜଗଦବ୍ୟକ୍ତମୂର୍ତିନା ।
ମତ୍‌ସ୍ଥାନି ସର୍ବଭୂତାନି ନ ଚାହଂ ତେଷ୍ୱବସ୍ଥିତଃ ।।୪।।

ମୟା - ମୋ’ ଦ୍ୱାରା ; ତତମ୍ - ବିସ୍ତୃତ ; ଇଦଂ - ଏହି; ସର୍ବଂ - ସମସ୍ତ ; ଜଗତ୍ - ଭୌତିକ ପରିପ୍ରକାଶ ; ଅବ୍ୟକ୍ତ ମୂର୍ତିନା - ଅବ୍ୟକ୍ତ ରୂପ ; ମତ୍‌ସ୍ଥାନି - ମୋ’ଠାରେ ; ସର୍ବଭୂତାନି - ସମସ୍ତ ଜୀବ ; ନ - ନୁହେଁ; ଚ - ମଧ୍ୟ ; ଅହଂ - ମୁଁ ; ତେଷୁ - ସେମାନଙ୍କଠାରେ ; ଅବସ୍ଥିତଃ - ରହେ

Translation

BG 9.4: ସମସ୍ତ ଭୌତିକ ପରିପ୍ରକାଶରେ ମୁଁ ଅବ୍ୟକ୍ତ ରୂପରେ ବ୍ୟାପ୍ତ ଅଛି । ସମସ୍ତ ଜୀବ ମୋ ଠାରେ ନିବାସ କରନ୍ତି, ମୁଁ ତାଙ୍କ ଠାରେ ନିବାସ କରେ ନାହିଁ ।

Commentary

ବୈଦିକ ମତବାଦ ଏହା ସ୍ୱୀକାର କରେ ନାହିଁ ଯେ ସଂସାର ସୃଷ୍ଟି କଲା ପରେ ଭଗବାନ ସପ୍ତମ ସ୍ୱର୍ଗରେ ଥାଇ, ତାଙ୍କ ସଂସାର ଠିକ୍‌ରେ ଚାଲୁଛି କି ନାହିଁ, ନିରୀକ୍ଷଣ କରୁଥାଆନ୍ତି । ବେଦ ବାରମ୍ବାର ଏହା ଘୋଷଣା କରିଥାଏ ଯେ ଭଗବାନ ସଂସାରରେ ସର୍ବତ୍ର ବ୍ୟାପ୍ତ ଅଟନ୍ତି ।

ଏକ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପି । (ଶ୍ୱେତାଶ୍ୱତର ଉପନିଷଦ, ୬.୧୧)

“ଗୋଟିଏ ହିଁ ବ୍ରହ୍ମ ଅଛନ୍ତି, ସେ ସମସ୍ତଙ୍କ ହୃଦୟରେ ନିବାସ କରନ୍ତି ଏବଂ ସଂସାରରେ ସର୍ବତ୍ର ବିଦ୍ୟମାନ ଅଛନ୍ତି ।”

ଈଶାବାସ୍ୟଂ ଇଦଂ ସର୍ବଂ ଯତ୍ କିଞ୍ଚ ଜଗତ୍ୟାଂ ଜଗତ୍ । (ଈଶୋପନିଷଦ ୧)

“ଭଗବାନ ସଂସାରରେ ସର୍ବତ୍ର ଅଛନ୍ତି ।”

ପୁରୁଷ ଇବେଦଂ ସର୍ବଂ ଯଦ୍ ଭୂତଂ ଯଚ୍ଚ ଭାବ୍ୟମ୍ । (ପୁରୁଷ ସୂକ୍ତମ୍‌)

“ସଂସାରରେ ଯାହା ରହିଛି ଏବଂ ରହିବ, ଭଗବାନ ସର୍ବତ୍ର ବ୍ୟାପ୍ତ ଅଟନ୍ତି ।”

ଭଗବାନଙ୍କର ଏହି ସର୍ବବ୍ୟାପକତ୍ୱର ସମୀକ୍ଷା ବ୍ୟକ୍ତିଗତ ଦୃଷ୍ଟିକୋଣରୁ କରାଯାଇଥାଏ । କେତେକ ପ୍ରାଚ୍ୟ ଦାର୍ଶନିକ ମତପ୍ରକାଶ କରନ୍ତି ଯେ ସଂସାର ଭଗବାନଙ୍କର ପରିଣାମ ଅଟେ । ଉଦାହରଣ ସ୍ୱରୂପ, କ୍ଷୀର ଅମିଶ୍ର ସାମଗ୍ରୀ ଅଟେ । ଏହା ଅମ୍ଳର ସଂସ୍ପର୍ଶରେ ଆସି ଦହିରେ ପରିଣତ ହୁଏ । ଅତଏବ, ଦହି କ୍ଷୀରର ରୂପାନ୍ତରିତ ପରିଣାମ ଅଟେ । ସେହିପରି ପରିଣାମ ବାଦର ପ୍ରଚାରକମାନେ କହନ୍ତି ଯେ, ଭଗବାନ ସଂସାରରେ ରୂପାନ୍ତରିତ ହୋଇ ଯାଇଛନ୍ତି ।

ଅନ୍ୟ ଦାର୍ଶନିକମାନେ ଦାବି କରନ୍ତି ଯେ ସଂସାର ବିବର୍ତ୍ତ (ଗୋଟିଏ ବସ୍ତୁକୁ ଅନ୍ୟ ଏକ ବସ୍ତୁ ଭାବି ଭ୍ରମିତ ହେବା) ଅଟେ । ଉଦାହରଣ ସ୍ୱରୂପ, ଅନ୍ଧାରରେ ଭ୍ରମବଶତଃ ଗୋଟିଏ ଦଉଡିକୁ ସର୍ପ ମନେ କରିବା; ଚନ୍ଦ୍ର ଆଲୋକରେ ଚମକୁଥିବା ଏକ ଶାମୁକାକୁ ରୂପା ଭାବିବାର ଭୁଲ କରିବା । ସେହିପରି ସେମାନେ କହନ୍ତି, କେବଳ ଭଗବାନ ଅଛନ୍ତି ଏବଂ କୌଣସି ସଂସାର ନାହିଁ । ଆମେ ଯାହାକୁ ସଂସାର ମନେ କରିଥାଏ, ତାହା ବାସ୍ତବରେ ବ୍ରହ୍ମ ଅଟନ୍ତି ।

କିନ୍ତୁ ଶ୍ଲୋକ ୭.୪ ଏବଂ ୭.୫ ଅନୁଯାୟୀ, ଏହି ସଂସାର ପରିଣାମ ବା ବିବର୍ତ୍ତ ନୁହେଁ । ଏହା ଭଗବାନଙ୍କର ମାୟା ଶକ୍ତି ଦ୍ୱାରା ସୃଷ୍ଟି ହୋଇଛି । ଜୀବ ମଧ୍ୟ ଭଗବାନଙ୍କର ଶକ୍ତି ଅଟେ, କିନ୍ତୁ ତାହା ଉନ୍ନତ ଶକ୍ତି ଅଟେ, ଯାହାକୁ ଜୀବ ଶକ୍ତି କୁହାଯାଏ । ଅତଏବ, ଏହି ସଂସାର ଏବଂ ଏଥିରେ ଥିବା ସମସ୍ତ ଜୀବ ଭଗବାନଙ୍କର ଶକ୍ତି ଅଟନ୍ତି ଏବଂ ତାଙ୍କର ସ୍ୱରୂପ ଅନ୍ତର୍ଗତ ଅଟନ୍ତି ।  ଶ୍ରୀକୃଷ୍ଣ ଏକଥା ମଧ୍ୟ କହୁଛନ୍ତି ଯେ ସେ ସେମାନଙ୍କ ମଧ୍ୟରେ ନାହାଁନ୍ତି । ଅନନ୍ତ ସୀମିତ ମଧ୍ୟରେ ରହିପାରିବ ନାହିଁ । ଭଗବାନ ଏହି ଦୁଇଟି ଶକ୍ତିର ସମ୍ମିଶ୍ରଣ ଠାରୁ ଯଥେଷ୍ଟ ଅଧିକ ଅଟନ୍ତି । ସମୁଦ୍ରରୁ ଅନେକ ତରଙ୍ଗ ଉଠିଥାଏ ଏବଂ ସେମାନେ ସମସ୍ତେ ସମୁଦ୍ରର ଅଂଶ ଅଟନ୍ତି, କିନ୍ତୁ ସମୁଦ୍ର ଏହି ତରଙ୍ଗର ସମଷ୍ଟି ଠାରୁ ବହୁତ ଅଧିକ ଅଟେ । ସେହିପରି ଜୀବ ଏବଂ ମାୟା, ଭଗବାନଙ୍କ ସ୍ୱରୂପରେ ସ୍ଥିତ, ତଥାପି ସେ ସେମାନଙ୍କ ଠାରୁ ବହୁ ଉର୍ଦ୍ଧ୍ୱରେ ।