Bhagavad Gita: Chapter 9, Verse 23

ଯେଽପ୍ୟନ୍ୟଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେଽପି ମାମେବ କୌନ୍ତେୟ ଯଜନ୍ତ୍ୟବିଧିପୂର୍ବକମ୍ ।।୨୩।।

ଯେ - ଯେଉଁମାନେ; ଅପି - ମଧ୍ୟ; ଅନ୍ୟ - ଅନ୍ୟ; ଦେବତା - ଦେବତା; ଭକ୍ତାଃ - ଭକ୍ତମାନେ; ଯଜନ୍ତେ - ପୂଜା କରନ୍ତି; ଶ୍ରଦ୍ଧୟା -ଅନ୍ୱିତାଃ - ଶ୍ରଦ୍ଧା ଓ ବିଶ୍ୱାସ ସହକାରେ; ତେ- ସେମାନେ; ଅପି - ମଧ୍ୟ; ମାମ୍ - ମୋତେ; ଏବ - କେବଳ; କୌନ୍ତେୟ - ହେ କୁନ୍ତି- ପୁତ୍ର; ଯଜନ୍ତି - ଅର୍ପଣ କରନ୍ତି; ଅବିଧିପୂର୍ବକମ୍ - ଏକ ଭ୍ରମାତ୍ମକ ମାର୍ଗରେ ।

Translation

BG 9.23: ହେ କୁନ୍ତି ପୁତ୍ର! ଯେଉଁମାନେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଅନ୍ୟ ଦେବତା ମାନଙ୍କର ଉପାସନା କରନ୍ତି, ସେମାନେ ମଧ୍ୟ ମୋର ହିଁ ଉପାସନା କରନ୍ତି । କିନ୍ତୁ, ଏହା ସେମାନେ ଅବିଧି ପୂର୍ବକ କରିଥାଆନ୍ତି ।

Commentary

ଭଗବାନଙ୍କର ଉପାସନା କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରିସାରି, ଶ୍ରୀକୃଷ୍ଣ ବର୍ତ୍ତମାନ, ସାଂସାରିକ ଲାଭ ପାଇବା ପାଇଁ ଦେବତା ମାନଙ୍କୁ ପୂଜା କରୁଥିବା ବ୍ୟକ୍ତିମାନଙ୍କର ସ୍ଥିତି ବିଷୟରେ ବୁଝାଉଛନ୍ତି । ସେମାନେ ଶ୍ରଦ୍ଧାଯୁକ୍ତ ଅଟନ୍ତି ଏବଂ ଦେବତାମାନଙ୍କ ମାଧ୍ୟମରେ ସେମାନଙ୍କର ମନୋକାମନା ମଧ୍ୟ ସ୍ୱର୍ଗର ପୂର୍ଣ୍ଣ ହୋଇଥାଏ । କିନ୍ତୁ ସେମାନଙ୍କର ବିଚାର ଅସମ୍ପୂର୍ଣ୍ଣ ଅଟେ; ସେମାନେ ବୁଝି ପାରନ୍ତି ନାହିଁ ଯେ ଦେବତାମାନେ ମଧ୍ୟ ତାଙ୍କର ଶକ୍ତି ଭଗବାନଙ୍କ ଠାରୁ ହିଁ ପାଇ ଥାଆନ୍ତି । ଅତଏବ, ପରୋକ୍ଷ ଭାବରେ, ସେମାନେ ଭଗବାନଙ୍କୁ ହିଁ ପାଇଥାଆନ୍ତି କିନ୍ତୁ ପରୋକ୍ଷ ଭାବରେ । ଉଦାହରଣ ସ୍ୱରୂପ, ଯଦି ଜଣେ ସରକାରୀ ଅଧିକାରୀ ଜଣେ ନାଗରିକର ସମସ୍ୟା ସମାଧାନ କରନ୍ତି, ତାହେଲେ ତାଙ୍କୁ ଜଣେ ବଦାନ୍ୟ ବ୍ୟକ୍ତି ବୋଲି କୁହାଯିବ ନାହିଁ । ସେ ତ କେବଳ ସରକାରଙ୍କ ଦ୍ୱାରା ନ୍ୟସ୍ତ କରାଯାଇଥିବା ତାଙ୍କ କ୍ଷମତାର ଉପଯୋଗ କରିଥାଆନ୍ତି । ସେହିପରି ଦେବତାମାନଙ୍କୁ ସମସ୍ତ ଶକ୍ତି ଭଗବାନଙ୍କଠାରୁ ହିଁ ମିଳିଥାଏ । ତେଣୁ ବୁଦ୍ଧିମାନ ବ୍ୟକ୍ତି ପରୋକ୍ଷ ପଥରେ ନ ଯାଇ, ସର୍ବଶକ୍ତିର ଆଧାର ଭଗବାନଙ୍କର ହିଁ ଉପାସନା କରିଥାଆନ୍ତି । ଭଗବାନଙ୍କ ଉପାସନାରେ ସମସ୍ତ ସୃଷ୍ଟି ଆପେ ଆପେ ସନ୍ତୁଷ୍ଟ ହୋଇଯାଏ ।

ଯଥା ତରୋର୍‌ମୂଳ-ନିଶେଚନେନ, ତୃପ୍ୟନ୍ତି ତତ୍‌ସ୍କନ୍ଧଭୁଜୋପଶାଖଃ ।

ପ୍ରାଣୋପହାରାଚ୍ଚ ଯଥେନ୍ଦ୍ରିୟାଣାଂ ତଥୈବ ସର୍ବାର୍ହଣଂ ଅଚ୍ୟୁତେଜ୍ୟା ।ା (ଭାଗବତମ ୪.୩୧.୧୪)

ଗଛର ମୂଳରେ ଜଳ ସିଂଚନ କଲେ, ତାହାର ଗଣ୍ଡି, ଶାଖା, ପ୍ରଶାଖା, ପତ୍ର ଓ ପୁଷ୍ପ ସମସ୍ତ ଅଂଶ ପରିପୁଷ୍ଟ ହୁଅନ୍ତି । ପାଟିରେ ଆମେ ଯେଉଁ ଖାଦ୍ୟ ଗ୍ରହଣ କରେ, ତାହା ଆମର ପ୍ରାଣବାୟୁ ଓ ଇନ୍ଦ୍ରିୟ ମାନଙ୍କୁ ସ୍ୱତଃ ପରିପୁଷ୍ଟ କରିଥାଏ । ସେହିପରି ପରମ ପୁରୁଷ ଭଗବାନଙ୍କର ଉପାସନା କରିବା ଦ୍ୱାରା, ଦେବତାମାନଙ୍କ ସହିତ ତାଙ୍କର ଅନ୍ୟ ସମସ୍ତ ଅଂଶ ମଧ୍ୟ ପୂଜିତ ହୋଇଥାଆନ୍ତି । ଯଦି ଆମେ ମୂଳକୁ ଛାଡ଼ି କେବଳ ପତ୍ରମାନଙ୍କୁ ଜଳ ପ୍ରଦାନ କରିବା, ତେବେ ଗଛଟି ମରିଯିବ । ଅତଏବ, ସ୍ୱର୍ଗର ଦେବତାମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଉଥିବା ପୂଜା ନିଶ୍ଚିତ ଭାବରେ ଭଗବାନଙ୍କୁ ପ୍ରାପ୍ତ ହୋଇଥାଏ, କିନ୍ତୁ ଏପରି ଉପାସକମାନେ ଆଧ୍ୟାତ୍ମିକ ଲାଭରୁ ବଞ୍ôଚତ ହୁଅନ୍ତି । ଏହା ପରବର୍ତ୍ତୀ ଶ୍ଲୋକରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଅଛି ।