Bhagavad Gita: Chapter 9, Verse 12

ମୋଘାଶା ମୋଘୋକର୍ମାଣୋ ମୋଘଜ୍ଞାନା ବିଚେତସଃ ।
ରାକ୍ଷସୀମାସୁରୀଂ ଚୈବ ପ୍ରକୃତିଂ ମୋହିନୀଂ ଶ୍ରିତାଃ ।।୧୨।।

ମୋଘାଶା -ନୈରାଶ୍ୟଯୁକ୍ତ ; ମୋଘକର୍ମାଣାଃ - କର୍ମରେ ହତାଶ; ମୋଘ-ଜ୍ଞାନାଃ - ଜ୍ଞାନରେ ହତାଶ; ବିଚେତସଃ - ଭ୍ରମିତ; ରାକ୍ଷସୀଂ - ରାକ୍ଷସ ସ୍ୱଭାବ ବିଶିଷ୍ଟ; ଆସୁରୀଂ - ନାସ୍ତିକସ୍ୱଭାବ ବିଶିଷ୍ଟ; ଚ - ଏବଂ, ଏବ - ନିଶ୍ଚିତଭାବରେ; ପ୍ରକୃତିଂ - ପ୍ରକୃତି; ମୋହିନୀଂ - ବିମୋହିତ; ଶ୍ରିତାଃ - ଆଶ୍ରୟ ନେଇ ।

Translation

BG 9.12: ଏପରି ମନୁଷ୍ୟମାନେ, ମାୟାଶକ୍ତି ଦ୍ୱାରା ମୋହିତ ହୋଇ, ରାକ୍ଷସ ଓ ନାସ୍ତିକ ସ୍ୱଭାବ ଯୁକ୍ତ ହୋଇଯାଆନ୍ତି । ସେହି ବିମୋହିତ ଅବସ୍ଥାରେ ତାଙ୍କର କଲ୍ୟାଣର ଆଶା ବ୍ୟର୍ଥ ହୁଏ, ତାଙ୍କର ସବୁକର୍ମ ନଷ୍ଟ ହୋଇଯାଏ ଏବଂ ତାଙ୍କର ଜ୍ଞାନ ପ୍ରାପ୍ତି ପାଇଁ ପ୍ରୟାସ ଭ୍ରମିତ ହୋଇଯାଏ ।

Commentary

ଭଗବାନଙ୍କର ସାକାର ସ୍ୱରୂପକୁ ନେଇ ଅନେକ ପ୍ରକାରର ନାସ୍ତିକ ମତ ସଂସାରରେ ପ୍ରଚଳିତ ଅଛି । କେହି କେହି କହିଥାନ୍ତି, ଭଗବାନ ସାକାର ରୂପ ନେଇ ସଂସାରକୁ ଆସି ପାରିବେ ନାହିଁ ।  ସେମାନଙ୍କ ମତରେ ଶ୍ରୀକୃଷ୍ଣ ଭଗବାନ ନ ଥିଲେ, ସେ କେବଳ ଜଣେ ଯୋଗୀ ଥିଲେ । ଅନ୍ୟ କେହି କେହି କହନ୍ତି, ଶ୍ରୀକୃଷ୍ଣ ମାୟା ବିଶିଷ୍ଟ ବ୍ରହ୍ମ ଥିଲେ, ତେଣୁ ସେ ନିମ୍ନ ଶ୍ରେଣୀର ବ୍ରହ୍ମ ଅଟନ୍ତି । ପୁଣି କିଏ କହନ୍ତି, ଶ୍ରୀକୃଷ୍ଣ ଏକ ଚରିତ୍ରହୀନ ବ୍ୟକ୍ତି ଥିଲେ ଯିଏକି ବୃନ୍ଦାବନର ଗୋପୀମାନଙ୍କ ପଛେ ପଛେ ବୁଲୁଥିଲେ ।

ଏହି ଶ୍ଲୋକ ଅନୁସାରେ ଏହି ସମସ୍ତ ମତ ଭ୍ରାନ୍ତିମୂଳକ ଅଟେ ଏବଂ ଏପରି ବ୍ୟାଖ୍ୟା କରୁଥିବା ବ୍ୟକ୍ତିମାନଙ୍କର ବୁଦ୍ଧି ମାୟାଗ୍ରସ୍ତ ଅଟେ । ଏହିପରି ଯେଉଁ ବ୍ୟକ୍ତିମାନେ ଭଗବାନଙ୍କ ପ୍ରତି ବିପରୀତ ଚିନ୍ତାଧାରା ପୋଷଣ କରନ୍ତି, ଶ୍ରୀକୃଷ୍ଣ ସେମାନଙ୍କୁ “ଦାନବ ସ୍ୱଭାବ ଯୁକ୍ତ” ଭାବେ ବର୍ଣ୍ଣନା କରିଛନ୍ତି । ଯେହେତୁ ସେମାନେ ଭଗବାନଙ୍କର ସାକାର ରୂପ ପ୍ରତି ଦିବ୍ୟ ଭାବନା ରଖନ୍ତି ନାହିଁ,ସେମାନେ ତାଙ୍କର ଭକ୍ତି କରନ୍ତି ନାହିଁ ଏବଂ ଯେହେତୁ ନିରାକାର ବ୍ରହ୍ମଙ୍କର ଭକ୍ତି ଅତ୍ୟନ୍ତ କଠିନ, ତେଣୁ ସେମାନେ ତାହା ମଧ୍ୟ କରିପାରନ୍ତି ନାହିଁ । ଫଳତଃ ସେମାନେ ଚିରନ୍ତନ କଲ୍ୟାଣରୁ ବଞ୍ôଚତ ହୁଅନ୍ତି । ମାୟାର କ୍ଷଣିକ ଆକର୍ଷଣରେ ମୋହିତ ହୋଇ ସେମାନଙ୍କର ଚିର କଲ୍ୟାଣର ଆଶା ବ୍ୟର୍ଥ ହୋଇଯାଏ ।