Bhagavad Gita: Chapter 9, Verse 19

ତପାମ୍ୟହମହଂ ବର୍ଷଂ ନିଗୃହ୍‌ଣାମ୍ୟୁତ୍‌ସୃଜାମି ଚ ।
ଅମୃତଂ ଚୈବ ମୃତ୍ୟୁଶ୍ଚ ସଦସଚ୍ଚାହମ୍‌ର୍ଜ୍ଜୁନ ।।୧୯।।

ତପାମି - ଉତ୍ତାପ ଦିଏ; ଅହଂ - ମୁଁ; ଅହଂ- ମୁଁ; ବର୍ଷଂ - ବର୍ଷା; ନିଗୃହ୍‌ଣାମି - ବନ୍ଦ କରାଏ; ତତ୍ -ସୃଜାମି - ପଠାଏ; ଚ - ଏବଂ; ଅମୃତଂ - ଅମରତ୍ୱ: ଚ- ଏବଂ; ଏବ - ନିଶ୍ଚିତ ରୂପେ: ମୃତ୍ୟୁଃ - ମୃତ୍ୟୁ; ଚ - ଏବଂ; ସତ୍‌- ଶାଶ୍ୱତ; ଅସତ୍‌- କ୍ଷଣସ୍ଥାୟୀ; ଚ - ଏବଂ; ଅହଂ - ମୁଁ; ଅର୍ଜୁନ - ହେ ଅର୍ଜୁନ!

Translation

BG 9.19: ହେ ଅର୍ଜୁନ, ସୂର୍ଯ୍ୟ ରୂପରେ ମୁଁ ଉତ୍ତାପ ବିକିରଣ କରେ; ବୃଷ୍ଟି କରାଏ ଏବଂ ବନ୍ଦ କରାଏ । ମୁଁ ଅମରତ୍ୱ ତଥା ମୃତ୍ୟୁର ମୂର୍ତ୍ତିମନ୍ତ ସ୍ୱରୂପ ଅଟେ । ମୁଁ ଉଭୟ ସଜୀବ ଏବଂ ନିର୍ଜୀବ ବସ୍ତୁ ଅଟେ ।

Commentary

ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଭଗବାନ ସୃଷ୍ଟି ପ୍ରାରମ୍ଭ କଲେ, ସର୍ବପ୍ରଥମେ ସେ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ପ୍ରକଟ କଲେ ଏବଂ ଜୀବ ଜଗତ ସୃଷ୍ଟି କରିବା ଦାୟୀତ୍ୱ ତାଙ୍କୁ ଦେଲେ । ସୁକ୍ଷ୍ମ ମାୟାଶକ୍ତିରୁ କିଭଳି ସଂସାର ସୃଷ୍ଟି କରାଯିବ ତାହା ଚିନ୍ତା କରି ବ୍ରହ୍ମା ବିସ୍ମୟାଭିଭୂତ ହୋଇ ପଡ଼ିଲେ । ତାପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ । ଏହାକୁ ଚତୁଃଶ୍ଲୋକୀ ଭାଗବତ କୁହାଯାଏ । ଏହାର ଆଧାରର ବ୍ରହ୍ମା ସୃଷ୍ଟି କରିବାକୁ ଅଗ୍ରସର ହେଲେ । ଏହାର ପ୍ରଥମ ଶ୍ଲୋକ ଘୋଷଣା କରେ:

“ଅହମେବାସମେବାଗ୍ରେ ନାନ୍ୟଦ୍ୟତ୍‌ସଦସତ୍ ପରମ୍ ।
ପଶ୍ଚାଦହଂ ଯଦେତଚ୍ଚ ଯୋ ବଶିଷ୍ୟେତ ସୋଽସ୍ମ୍ୟହମ୍ ।।”

ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କହୁଛନ୍ତି : “ମୁଁ ହିଁ ସବୁକିଛି । ସୃଷ୍ଟିର ପୂର୍ବରୁ ମୁ ହିଁ ଥିଲି । ବର୍ତ୍ତମାନ ସୃଷ୍ଟିରେ ବିଶ୍ୱର ସମସ୍ତ ପ୍ରକାଶିତ ବସ୍ତୁ ମୁଁ ହିଁ ଅଟେ । ପ୍ରଳୟ ପରେ ମୁଁ ହିଁ ଏକୁଟିଆ ରହିବି । ମୋ ବ୍ୟତିତ ଅନ୍ୟ କିିଛି ନାହିଁ । ଉପରୋକ୍ତ ସତ୍ୟ ଏହା ପ୍ରତିପାଦିତ କରେ ଯେ ଯେଉଁ ଦ୍ରବ୍ୟ ଦ୍ୱାରା ଆମେ ଭଗବାନଙ୍କର ଉପାସନା କରିଥାଏ, ତାହା ମଧ୍ୟ ଭଗବାନ ଅଟନ୍ତି । ଗଙ୍ଗାସ୍ନାନ କରିବାକୁ ଯାଇ ଲୋକେ ଶରୀରର ନିମ୍ନ ଅଂଶକୁ ନଦୀରେ ବୁଡ଼ାଇ, ଅଞ୍ଜୁଳାରେ ପାଣି ନେଇ ତାହାକୁ ଗଙ୍ଗାକୁ ହିଁ ଅର୍ପଣ କରନ୍ତି । ଏହିପରି ଭାବରେ ସେମାନେ ଗଙ୍ଗାଜଳରେ ହିଁ ଗଙ୍ଗାଙ୍କର ତର୍ପଣ କରନ୍ତି । ସେହିପରି ସବୁକିଛି ଭଗବାନ ହୋଇଥିବା ଦୃଷ୍ଟିରୁ ଆମେ ପୂଜା କରିବା ପାଇଁ ଯେଉଁ ବସ୍ତୁର ବ୍ୟବହାର କରିଥାଏ, ତାହା ଭଗବାନଙ୍କ ଠାରୁ ଭିନ୍ନ ନୁହେଁ । ଶ୍ଲୋକ ସଂଖ୍ୟା୧୬ ଏବଂ ୧୭ରେ,  ଶ୍ରୀକୃଷ୍ଣ ନିଜର ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ କହିଥିଲେ, ସେ ହିଁ ବେଦ, ଯଜ୍ଞ ଅଗ୍ନି, ଓଁ କାର, ବିଶୁଦ୍ଧ ଘୃତ ଏବଂ ଅର୍ପଣ ପ୍ରକ୍ରିୟା ମଧ୍ୟ ସେ ହିଁ ଅଟନ୍ତି । ତେଣୁ ଆମ ଭକ୍ତିର ସ୍ୱରୂପ ବା ମନୋଭାବ ଯାହା ହେଉନା କାହିଁକି, ଭଗବାନଙ୍କ ବ୍ୟତିତ ଅନ୍ୟ କିଛି ହିଁ ନାହିଁ, ଯାହା ଆମେ ତାଙ୍କୁ ଅର୍ପଣ କରି ପାରିବା । ତଥାପି ବସ୍ତୁ ନୁହେଁ, ଆମର ପ୍ରେମଯୁକ୍ତ ଭାବନା ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରିଥାଏ ।