ଦଶମ ଅଧ୍ୟାୟ: ବିଭୂତି ଯୋଗ

ବିଭୂତି ଯୋଗ

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ଏହି ଅଧ୍ୟାୟର ବର୍ଣ୍ଣନା ଅର୍ଜୁନଙ୍କୁ ତାଙ୍କ ତେଜସ୍ୱୀ ଏବଂ ଦୀପ୍ତିମାନ ମହିମାର ଅବଲୋକନ କରାଇ, ଧ୍ୟାନ କରିବାରେ ତାଙ୍କର ସହାୟତା କରିବା ଉଦ୍ଦେଶ୍ୟରେ କରାଯାଇଛି । ନବମ ଅଧ୍ୟାୟରେ ଶ୍ରୀକୃଷ୍ଣ ଭକ୍ତିର ବିଜ୍ଞାନ ବା ପ୍ରେମମୟ ଭକ୍ତିକୁ ପ୍ରକାଶିତ କରିଛନ୍ତି ଏବଂ କିଛି ମାତ୍ରାରେ ନିଜ ଐଶ୍ୱର୍ଯ୍ୟର ବର୍ଣ୍ଣନା ମଧ୍ୟ କରିଛନ୍ତି । ଏଠାରେ ଅର୍ଜୁନଙ୍କର ଭକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ, ସେ ତାଙ୍କ ଅନନ୍ତ ଐଶ୍ୱର୍ଯ୍ୟର ବିସ୍ତୃତ ବର୍ଣ୍ଣନ କରିଛନ୍ତି । ଏହି ଶ୍ଲୋକ ଗୁଡ଼ିକ ପଢ଼ିବାକୁ ଆନନ୍ଦଦାୟକ ଏବଂ ଶୁଣିବାକୁ ମଧୁର ଅଟେ ।

ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ ସୃଷ୍ଟିରେ ଯାହାକିଛି ରହିଛି, ସବୁର ଉତ୍ସ ସେ ଅଟନ୍ତି । ମନୁଷ୍ୟ ମାନଙ୍କର ବିଭିନ୍ନ ଗୁଣ ତାଙ୍କ ଠାରୁ ଉତ୍ପନ୍ନ ହୋଇଥାଏ । ସପ୍ତ ଋଷି, ଚାରିଜଣ ମହାନ୍ ସନ୍ଥ ଏବଂ ଚଉଦ ମନୁ ତାଙ୍କ ମାନସରୁ ଉତ୍ପନ୍ନ ହୋଇଛନ୍ତି ଏବଂ ତାଙ୍କଠାରୁ ପୃଥିବୀର ସମସ୍ତ ମନୁଷ୍ୟଙ୍କର ଅବତରଣ ହୋଇଛି । ସବୁକିଛି ତାଙ୍କଠାରୁ ଉତ୍ପନ୍ନ ହୋଇଛି, ଯେଉଁମାନେ ଏକଥା ଜାଣନ୍ତି, ସେମାନେ ଦୃଢ଼ ବିଶ୍ୱାସର ସହିତ ତାଙ୍କର ଭକ୍ତି କରନ୍ତି । ଏହିପରି ଭକ୍ତମାନେ ପରସ୍ପର ତାଙ୍କ ମହିମାର ଚର୍ଚ୍ଚା କରି ଅତ୍ୟନ୍ତ ବିଭୋର ହୁଅନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେଥିରେ ଅନୁପ୍ରାଣିତ କରନ୍ତି । ସେମାନଙ୍କର ମନ ଯେହେତୁ ଭଗବାନଙ୍କଠାରେ ସଂଲଗ୍ନ ରହିଥାଏ, ତାଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମା ତାଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରନ୍ତି, ଯଦ୍ୱାରା ସେମାନେ ସହଜରେ ଭଗବାନଙ୍କୁ ପ୍ରାପ୍ତ କରିପାରନ୍ତି ।

ତାଙ୍କଠାରୁ ଏସବୁ କଥା ଶୁଣିବା ପରେ, ଅର୍ଜୁନ ପ୍ରକାଶ କରୁଛନ୍ତି ଯେ ଶ୍ରୀକୃଷ୍ଣଙ୍କର ସର୍ବୋଚ୍ଚ ସ୍ଥିତି ବିଷୟରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ସେ ଘୋଷଣା କରୁଛନ୍ତି ଯେ ଶ୍ରୀକୃଷ୍ଣ ହିଁ ପରାତ୍ପର ଦିବ୍ୟ ତତ୍ତ୍ୱ ଅଟନ୍ତି । ସେ ଭଗବାନଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ ଦିବ୍ୟ ମହିମାର ବର୍ଣ୍ଣନା ବିସ୍ତୃତ ଭାବରେ କରନ୍ତୁ, ଯାହା ଶୁଣିବାକୁ ଅମୃତ-ତୁଲ୍ୟ ଅଟେ । ଶ୍ରୀକୃଷ୍ଣ କହୁଛନ୍ତି, ଯେହେତୁ ସେ ସୃଷ୍ଟିର ଆଦ୍ୟ, ମଧ୍ୟ ଏବଂ ଅନ୍ତ ଅଟନ୍ତି, ସଂସାରର ସବୁକିଛି ତାଙ୍କ ଶକ୍ତିର ପରିପ୍ରକାଶ ଅଟେ । ସେ ସୌନ୍ଦର୍ଯ୍ୟ, ଗୁଣ, ଶକ୍ତି, ଜ୍ଞାନ ଏବଂ ଐଶ୍ୱର୍ଯ୍ୟର ଅନନ୍ତ ଭଣ୍ଡାର ଅଟନ୍ତି । ଯେଉଁଠାରେ ଆମେ କିଛି ଅସାଧାରଣ ଭବ୍ୟତା ଦେଖିଥାଏ, ଯାହାବି ଆମର କଳ୍ପନାକୁ ଆକର୍ଷିତ କରିଥାଏ, ଆମକୁ ପୁଲକିତ ଏବଂ ଆନନ୍ଦାଭିଭୂତ କରିଥାଏ, ଆମେ ଜାଣିବା ଉଚିତ ଯେ ସେସବୁ ଭଗବାନଙ୍କ ଐଶ୍ଚର୍ଯ୍ୟର ଦୀପ୍ତି ଅଟେ । ସେ ସମସ୍ତ ଶକ୍ତିର ଭଣ୍ଡାର ଅଟନ୍ତି, ଯେଉଁଠାରୁ ସମସ୍ତ ପ୍ରାଣୀ ଏବଂ ବସ୍ତୁ  ନିଜ ନିଜର ତେଜ ପ୍ରାପ୍ତ କରିଥାଆନ୍ତି । ଅଧ୍ୟାୟର ଅବଶିଷ୍ଟ ଅଂଶରେ, ସେ ତାଙ୍କ ଐଶ୍ୱର୍ଯ୍ୟକୁ ପ୍ରଦର୍ଶିତ କରୁଥିବା ବସ୍ତୁ, ବିଭୂତି ଏବଂ କ୍ରିୟାର ବର୍ଣ୍ଣନା କରିଛନ୍ତି । ସର୍ବଶେଷରେ, ସେ ଉପସଂହାର କରିବାକୁ ଯାଇ କହୁଛନ୍ତି ଯେ ତାଙ୍କର ମହିମା ସେ ବର୍ଣ୍ଣନା କରିଥିବା ଗୁଣମାନଙ୍କର ସମାହାର ମାତ୍ର ନୁହେଁ, କାରଣ ଅନନ୍ତ ବ୍ରହ୍ମାଣ୍ଡକୁ ସେ ତାଙ୍କର ଗୋଟିଏ ଅଂଶରେ ଧାରଣ କରିଥାଆନ୍ତି । ସୁତରାଂ, ସମସ୍ତ ଐଶ୍ୱର୍ଯ୍ୟର ଉତ୍ସ ଭଗବାନଙ୍କୁ ଆମେ ନିଜ ଉପାସନାର ଇଷ୍ଟ ରୂପେ ଗ୍ରହଣ କରିବା ଉଚିତ ।

ଭଗବାନ କହିଲେ: ହେ ବୀର! ମୋର ଦିବ୍ୟ ଉପଦେଶ ପୁନର୍ବାର ଶ୍ରବଣ କର । ତୁମେ ମୋର ପ୍ରିୟ ସଖା ଅଟ । ତେଣୁ ତୁମର ମଙ୍ଗଳ କାମନା କରି ମୁଁ ସେସବୁକୁ ତୁମ ନିକଟରେ ପ୍ରକାଶ କରୁଅଛି ।

ଦେବତାମାନେ କିମ୍ବା ବଡ ବଡ ମହର୍ଷିମାନେ, କେହି ମଧ୍ୟ ମୋର ଉଦ୍ଭବ ବିଷୟରେ କିଛି ଜାଣନ୍ତି ନାହିଁ । ମୁଁ ଉତ୍ସ ଅଟେ; ଦେବତା ଓ ମହର୍ଷିମାନେ ମୋ ଠାରୁ ଉତ୍ପନ୍ନ ହୋଇଥାଆନ୍ତି ।

ଯେଉଁମାନେ ମୋତେ ଅଜନ୍ମା, ଅନାଦି ଏବଂ ବିଶ୍ୱର ପରମ ପ୍ରଭୁ ରୂପରେ ଜାଣନ୍ତି, ମୃତ୍ୟୁଲୋକର ସେହି ବ୍ୟକ୍ତିମାନେ ମାୟାରେ ମୋହିତ ହୁଅନ୍ତି ନାହିଁ ଏବଂ ସମସ୍ତ ପାପରୁ ମୁକ୍ତ ହୋଇଯାଆନ୍ତି ।

ମନୁଷ୍ୟମାନଙ୍କର ଗୁଣରେ ବିବିଧତା କେବଳ ମୋଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଯେପରି କି ବୁଦ୍ଧି, ଜ୍ଞାନ, ବିବେକ, କ୍ଷମାଶୀଳତା, ସତ୍ୟବାଦିତା, ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ, ସୁଖ ଓ ଦୁଃଖ, ଜନ୍ମ ଓ ମୃତ୍ୟୁ, ଭୟ ଓ ସାହସ, ଅହିଂସା, ସମଦର୍ଶିତା, ସନ୍ତୋଷ, ସଂଯମ, ଦାନ, ଯଶ ଓ ଅପଯଶ ।

ସପ୍ତଋଷି, ତାଙ୍କ ପୂର୍ବରୁ ଚାରି ଯୋଗୀଶ୍ୱର ଏବଂ ଚଉଦ ମନୁ - ସମସ୍ତେ ମୋର ମାନସରୁ ଜାତ ଅଟନ୍ତି । ସେମାନଙ୍କ ଠାରୁ ସଂସାରର ସମସ୍ତ ମନୁଷ୍ୟ ଉତ୍ପତ୍ତି ଲାଭ କରିଛନ୍ତି ।

ଯେଉଁମାନେ ମୋର ବାସ୍ତବିକ ବିଭୂତି ଏବଂ ଦିବ୍ୟ ଶକ୍ତିକୁ ଜାଣନ୍ତି, ସେମାନେ ଅନନ୍ୟ ଭକ୍ତିଯୁକ୍ତ ହୋଇଥାନ୍ତି । ଏଥିରେ କିଛି ସନ୍ଦେହ ନଥାଏ ।

ମୁଁ ସମଗ୍ର ସୃଷ୍ଟିର ଉଦ୍‌ଗମ ସ୍ଥଳ । ସବୁ କିଛି ମୋ ପରେ ଉତ୍ପନ୍ନ ହୁଅନ୍ତି । ଯେଉଁ ବିଜ୍ଞବ୍ୟକ୍ତି ଏହା ଜାଣନ୍ତି, ସେ ପୂର୍ଣ୍ଣ ବିଶ୍ୱାସ ଓ ଭକ୍ତିଯୁକ୍ତ ହୋଇ ମୋର ଉପାସନା କରନ୍ତି ।

ମୋର ଭକ୍ତମାନେ ତାଙ୍କର ମନକୁ ମୋ ଠାରେ କେନ୍ଦ୍ରିତ କରି, ଜୀବନକୁ ମୋତେ ସମର୍ପିତ କରି, ସର୍ବଦା ତୃପ୍ତ ରହିଥାଆନ୍ତି । ସେମାନେ ପରସ୍ପର ମଧ୍ୟରେ ମୋର ଦିବ୍ୟଗୁଣ ବିଷୟରେ ଆଲୋଚନା କରି ଅତ୍ୟନ୍ତ ଆନନ୍ଦିତ ହୋଇଥାଆନ୍ତି ।

ଯେଉଁମାନଙ୍କର ମନ ପ୍ରେମମୟ ଭକ୍ତିରେ ସର୍ବଦା ମୋଠାରେ ସଂଲଗ୍ନ ରହିଥାଏ, ମୁଁ ସେମାନଙ୍କୁ ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ, ଯଦ୍ୱାରା ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ।

ମୁଁ, ଯିଏ କି ସେମାନଙ୍କ ହୃଦୟରେ ନିବାସ କରିଥାଏ, କୃପାପୂର୍ବକ ଉଜ୍ଜ୍ୱଳ ଜ୍ଞାନଦୀପ ଦ୍ୱାରା ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ନାଶ କରିଦିଏ ।

ଅର୍ଜୁନ କହିଲେ: ଆପଣ ପରମ ଦିବ୍ୟ ପୁରୁଷ, ପରମଦିବ୍ୟ ଲୋକ, ପରମ ପାବକ, ଅନାଦି ଦେବ, ମୂଳ ତତ୍ତ୍ୱ, ଅଜନ୍ମା ଏବଂ ମହାନତମ ଅଟନ୍ତି । ନାରଦ, ଅସତ, ଦେବଳ ଏବଂ ବ୍ୟାସଙ୍କ ପରି ବିଖ୍ୟାତ ଋଷିଗଣ ଏହା ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ଆପଣ ନିଜେ ସେହି କଥା ମୋ ସମ୍ମୁଖରେ ପ୍ରକାଶ କରୁଛନ୍ତି ।

ହେ ଶ୍ରୀକୃଷ୍ଣ! ଆପଣ ଯାହାସବୁ କହିଲେ, ମୁଁ ସେସବୁକୁ ସତ୍ୟ ଭାବରେ ଗ୍ରହଣ କରୁଛି । ହେ ପ୍ରଭୁ! ଦେବତା ବା ଦାନବ କେହି ମଧ୍ୟ ଆପଣଙ୍କର ବାସ୍ତବ ସ୍ୱରୂପକୁ ଜାଣନ୍ତି ନାହିଁ ।

ହେ ପରମ ପୁରୁଷ! ହେ ସମସ୍ତ ପ୍ରାଣୀଙ୍କର ସ୍ରଷ୍ଟା ସର୍ବେଶ୍ୱର! ହେ ଦେବେଶ୍ୱର! ହେ ଜଗଦୀଶ୍ୱର! ଆପଣଙ୍କର ଅକଳନୀୟ ଶକ୍ତିଦ୍ୱାରା, ଆପଣ ହିଁ ପ୍ରକୃତରେ ଆପଣଙ୍କୁ ଜାଣନ୍ତି ।

ଦୟାକରି ଆପଣଙ୍କର ସେହି ଦିବ୍ୟ ଐଶ୍ୱର୍ଯ୍ୟ ବିଷୟରେ ବର୍ଣ୍ଣନା କରନ୍ତୁ, ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବିଶ୍ୱରେ ବ୍ୟାପ୍ତ ହୁଅନ୍ତି ଏବଂ ସେମାନଙ୍କଠାରେ ନିବାସ କରନ୍ତି । ହେ ପରମ ଯୋଗୀଶ୍ୱର! ମୁଁଁ ଆପଣଙ୍କୁ କିପରି ଜାଣିବି ଏବଂ କିପରି ଆପଣଙ୍କର ଧ୍ୟାନ କରିବି । ହେ ପରମ ଦିବ୍ୟ ପୁରୁଷ! ଧ୍ୟାନ କରିବା ସମୟରେ ମୁଁ ଆପଣଙ୍କ କେଉଁ ସ୍ୱରୂପର ଚିନ୍ତନ କରିବି?

ହେ ଜନାର୍ଦ୍ଦନ! ଦୟାକରି ବିସ୍ତାରପୂର୍ବକ ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ମହିମାର ବର୍ଣ୍ଣନା କରନ୍ତୁ । ଆପଣଙ୍କର ଅମୃତ ଯେତେ ଶୁଣିଲେ ବି ମୁଁ ତୃପ୍ତ ହେଉନାହିଁ ।

ହେ କୁରୁଶ୍ରେଷ୍ଠ! ବର୍ତ୍ତମାନ, ମୁଁ ତୁମ ସମ୍ମୁଖରେ ନିଜ ଦିବ୍ୟ ବିଭୂତିର ବର୍ଣ୍ଣନା ସଂକ୍ଷେପରେ କରିବି, କାରଣ ତାହାର ଅନ୍ତ ନାହିଁ ।

ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ହୃଦୟରେ ନିବାସ କରେ । ମୁଁ ସମସ୍ତ ପ୍ରାଣୀଙ୍କର ଆଦି, ମଧ୍ୟ ଏବଂ ଅନ୍ତ ଅଟେ ।

ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ ମୁଁ ବିଷ୍ଣୁ; ସମସ୍ତ ଜ୍ୟୋତିଷ୍କ ମାନଙ୍କ ମଧ୍ୟରୁ ମୁଁ ସୂର୍ଯ୍ୟ । ମରୁତମାନଙ୍କ ମଧ୍ୟରୁ ମୋତେ ମରୀଚି, ରାତ୍ରି ଆକାଶର ତାରକାମାନଙ୍କ ମଧ୍ୟରେ ମୋତେ ଚନ୍ଦ୍ର ଭାବରେ ଜାଣ ।

ବେଦ ମାନଙ୍କ ମଧ୍ୟରେ ମୁଁ ସାମବେଦ, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ମୁଁ ଇନ୍ଦ୍ର, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ମୁଁ ମନ, ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମୁଁ ଚେତନା ଅଟେ ।

ରୁଦ୍ରମାନଙ୍କ ମଧ୍ୟରେ ମୁଁଁ ଶିବ, ଯକ୍ଷମାନଙ୍କ ମଧ୍ୟରେ ମୁଁ କୁବେର, ବସୁମାନଙ୍କ ମଧ୍ୟରେ ମୁଁ ଅଗ୍ନି ଏବଂ ପର୍ବତମାନଙ୍କ ମଧ୍ୟରେ ମୋତେ ମେରୁ ପର୍ବତ ଭାବରେ ଜାଣ ।

ହେ ଅର୍ଜୁନ, ପୁରୋହିତ ମାନଙ୍କ ମଧ୍ୟରେ ମୁଁ ବୃହସ୍ପତି, ଯୋଦ୍ଧାମାନଙ୍କ ମଧ୍ୟରେ ମୁଁ କାର୍ତ୍ତିକ; ଏବଂ ସରୋବର ମାନଙ୍କ ମଧ୍ୟରେ ମୁଁ ସମୁଦ୍ର ଅଟେ ।

ମହର୍ଷି ମାନଙ୍କ ମଧ୍ୟରେ ମୁଁ ଭୃଗୁ ଏବଂ ଧ୍ୱନି ମଧ୍ୟରେ ମୁଁ ଓଁକାର ଶବ୍ଦ ଅଟେ । ଯଜ୍ଞମାନଙ୍କ ମଧ୍ୟରେ ମୋତେ ପବିତ୍ର ନାମ ଜପ ଏବଂ ସ୍ଥାବର ବସ୍ତୁ ମାନଙ୍କ ମଧ୍ୟରେ ମୋତେ ହିମାଳୟ ଭାବରେ ଜାଣ ।

ସମସ୍ତ ବୃକ୍ଷମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍‌ଥ ବୃକ୍ଷ ଅଟେ । ସ୍ୱର୍ଗର ଋଷିମାନଙ୍କ ମଧ୍ୟରେ ମୁଁ ନାରଦ । ଗନ୍ଧର୍ବ ମାନଙ୍କ ମଧ୍ୟରେ ମୁଁ ଚିତ୍ରରଥ ଓ ସିଦ୍ଧ ମହାପୁରୁଷ ମାନଙ୍କ ମଧ୍ୟରେ ମୁଁ କପିଳ ମୁନି ଅଟେ ।

ସାଗର ମନ୍ଥନରୁ ଉଦ୍‌ଭବ ଉଚ୍ଚୈଶ୍ରବ ଅଶ୍ୱକୁ ସମସ୍ତ ଅଶ୍ୱଙ୍କ ମଧ୍ୟରେ ଏବଂ ଐରାବତ ହସ୍ତୀକୁ ସମସ୍ତ ହସ୍ତୀଙ୍କ ମଧ୍ୟରେ ମୁଁ ବୋଲି ଜାଣ । ମନୁଷ୍ୟ ମାନଙ୍କ ମଧ୍ୟରେ ମୋତେ ରାଜା ଭାବରେ ଜାଣ ।

ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର ଏବଂ ଗାଈ ମାନଙ୍କ ମଧ୍ୟରେ ମୁଁ କାମଧେନୁ ଅଟେ । ମୁଁ ବଂଶବୃଦ୍ଧିର କାରଣ ଓ ପ୍ରେମର ଦେବତା କାମଦେବ ଅଟେ । ସର୍ପମାନଙ୍କ ମଧ୍ୟରେ ମୁଁ ବାସୁକି ଅଟେ ।

ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁର ଦେବତା ଯମ ଅଟେ ।

ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ଗରୁଡ଼ ଅଟେ ।

ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା ଅଟେ ।

ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ ମଧ୍ୟରେ ମୁଁ ସିଦ୍ଧାନ୍ତ ଅଟେ ।

ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ ମଧ୍ୟରେ ମୁଁ ବ୍ରହ୍ମା ଅଟେ ।

ମୁଁ ସର୍ବଗ୍ରାସୀ ମୃତ୍ୟୁ ଅଟେ, ମୁଁ ସୃଷ୍ଟି ହେବାକୁ ଥିବା ବସ୍ତୁମାନଙ୍କର ସୃଷ୍ଟିକର୍ତ୍ତା ଅଟେ । ନାରୀ ସୁଲଭ ଗୁଣ ମାନଙ୍କ ମଧ୍ୟରେ ମୁଁ ଯଶ, ବୈଭବ, ମୃଦୁ ବାକ୍ୟ, ସ୍ମରଣ ଶକ୍ତି, ବୁଦ୍ଧି, ସାହସ ଓ କ୍ଷମା ଅଟେ ।

ସାମବେଦର ସ୍ତୋତ୍ରମାନଙ୍କ ମଧ୍ୟରେ ମୋତେ ବୃହତ୍‌ସାମ ଭାବରେ ଜାଣ; କବିତାଛନ୍ଦ ମଧ୍ୟରେ ମୁଁ ଗାୟତ୍ରୀ ମନ୍ତ୍ର ଅଟେ । ହିନ୍ଦୁ ବର୍ଷର ବାର ମାସ ମଧ୍ୟରୁ ମୁଁ ମାର୍ଗଶୀର ଅଟେ ଏବଂ ଋତୁମାନଙ୍କ ମଧ୍ୟରେ, ଯେଉଁ ଋତୁରେ ପୁଷ୍ପ ପ୍ରସ୍ଫୁଟିତ ହୋଇଥାଏ, ମୁଁ ସେହି ବସନ୍ତ ଋତୁ ଅଟେ ।

ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ ସଦ୍‌ଗୁଣ ଅଟେ ।

ବୃଷ୍ଣୀବଂଶଜ ମାନଙ୍କ ମଧ୍ୟରେ ମୁଁ କୃଷ୍ଣ ଏବଂ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ । ମୁନିମାନଙ୍କ ମଧ୍ୟରେ ମୁଁ ବେଦବ୍ୟାସ ଏବଂ ବିଦ୍ୱାନମାନଙ୍କ ମଧ୍ୟରେ ମୁଁ ଶୁକ୍ରାଚାର୍ଯ୍ୟ ଅଟେ ।

ଅରାଜକତା ଦୂର କରିବା ପାଇଁ ମୁଁ ଉଚିତ ଦଣ୍ଡ ଅଟେ । ବିଜୟାକାଂକ୍ଷୀମାନଙ୍କ ଠାରେ ମୁଁ ନୀତି ଅଟେ । ଗୁପ୍ତ ବିଷୟରେ ମୁଁ ମୌନ ଅଟେ ଏବଂ ଜ୍ଞାନୀମାନଙ୍କର ମୁଁ ଜ୍ଞାନ ଅଟେ ।

ହେ ଅର୍ଜୁନ! ମୁଁ ସମସ୍ତ ପ୍ରାଣୀଙ୍କର ଉତ୍ପାଦକ ବୀଜ ଅଟେ । ଚର ବା ଅଚର କୌଣସି ଜୀବ ମୋ ବିନା ରହିପାରିବେ ନାହିଁ ।

ହେ ଶତ୍ରୁଜୟୀ! ମୋ ଦିବ୍ୟ ପ୍ରକାଶର ଅନ୍ତ ନାହିଁ । ଯାହା ମୁଁ ତୁମ ସମ୍ମୁଖରେ ଘୋଷଣା କଲି ତାହା କେବଳ ମୋର ଅନନ୍ତ ଐଶ୍ୱର୍ଯ୍ୟର ନମୁନା ଅଟେ ।

ତୁମେ ଯେଉଁ ସବୁ ଐଶ୍ୱର୍ଯ୍ୟଯୁକ୍ତ, ସୁନ୍ଦର ଏବଂ ଗୌରବମୟ ବସ୍ତୁ ଦେଖୁଛ, ଜାଣିରଖ ଯେ ତାହା ମୋ ତେଜର ଅଂଶରୁ ଜାତ ଅଟେ ।

ହେ ଅର୍ଜୁନ! ଏତେ ସବୁ ବିସ୍ତୃତ ଜ୍ଞାନର ଆବଶ୍ୟକତା କ’ଣ? କେବଳ ଏତିକି ଜାଣ ଯେ ମୋ ବ୍ୟକ୍ତିତ୍ୱର ଏକ ଅଂଶ ଦ୍ୱାରା, ମୁଁ ଏ ସମଗ୍ର ସୃଷ୍ଟିରେ ବ୍ୟାପ୍ତ ହୁଏ ଏବଂ ସୃଷ୍ଟିକୁ ଧାରଣ କରିଥାଏ ।