ନାନ୍ତୋଽସ୍ତି ମମ ଦିବ୍ୟାନାଂ ବିଭୂତୀନାଂ ପରନ୍ତପ ।
ଏଷ ତୂଦ୍ଦେଶତଃ ପ୍ରୋକ୍ତୋ ବିଭୂତେର୍ବିସ୍ତରୋ ମୟା ।।୪୦।।
ନ- ନାହିଁ; ଅନ୍ତଃ -ଶେଷ; ଅସ୍ତି-ଅଛି; ମମ- ମୋର; ଦିବ୍ୟାନାଂ - ଦିବ୍ୟ; ବିଭୂତୀନାଂ - ବିଭୂତି(ଐଶ୍ୱର୍ଯ୍ୟ); ପରନ୍ତପ- ହେ ଶତ୍ରୁଜୟୀ; ଏଷଃ - ଏସବୁ; ତୁ - କିନ୍ତୁ; ଉଦ୍ଦେଶତଃ - କେବଳ ଗୋଟିଏ ଭାଗ; ପ୍ରୋକ୍ତଃ - କୁହାଯାଇଥିବା; ବିଭୂତେଃ- ଐଶ୍ୱର୍ଯ୍ୟର; ବିସ୍ତରଃ - ବିସ୍ତୃତି; ମୟା- ମୋ’ଦ୍ୱାରା ।
Translation
BG 10.40: ହେ ଶତ୍ରୁଜୟୀ! ମୋ ଦିବ୍ୟ ପ୍ରକାଶର ଅନ୍ତ ନାହିଁ । ଯାହା ମୁଁ ତୁମ ସମ୍ମୁଖରେ ଘୋଷଣା କଲି ତାହା କେବଳ ମୋର ଅନନ୍ତ ଐଶ୍ୱର୍ଯ୍ୟର ନମୁନା ଅଟେ ।
Commentary
ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା ସମାପ୍ତ କରିବାକୁ ଯାଉଛନ୍ତି । ଶ୍ଲୋକ ୨୦ରୁ ୩୯ ପର୍ଯ୍ୟନ୍ତ, ଯେ ତାଙ୍କର ଅନନ୍ତ ଐଶ୍ୱର୍ଯ୍ୟ ମଧ୍ୟରୁ ୮୨ଟି ଐଶ୍ୱର୍ଯ୍ୟର ବର୍ଣ୍ଣନ କରିଛନ୍ତି । ବର୍ତ୍ତମାନ ସେ କହୁଛନ୍ତି ଯେ ଏହି ବିସ୍ତୃତ ବିଷୟବସ୍ତୁର ସେ ଏକ ଅଂଶ ମାତ୍ର ବର୍ଣ୍ଣନା କରିଛନ୍ତି ।
ଏଠାରେ କେହି କେହି ପ୍ରଶ୍ନ କରିପାରନ୍ତି ଯେ ଯଦି ସବୁ କିଛି ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ, ତା’ହେଲେ ଏସବୁ ବର୍ଣ୍ଣନା କରିବାର ଆବଶ୍ୟକତା କ’ଣ ଥିଲା? ଏହାର ଉତ୍ତର ଜାଣିବା ପାଇଁ ଆମେ ଅର୍ଜୁନଙ୍କ ପାଖକୁ ଯିବା । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ଯେ ସେ କେଉଁ ରୂପରେ ତାଙ୍କର ସ୍ମରଣ କରିବେ ଏବଂ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କ ଐଶ୍ୱର୍ଯ୍ୟର ବର୍ଣ୍ଣନା କରୁଛନ୍ତି । କୌଣସି ବିଶେଷତ୍ୱ ପ୍ରତି ମନ ସ୍ୱାଭାବିକ ଭାବେ ଆକୃଷ୍ଟ ହୋଇଥାଏ ଏବଂ ଏଠାରେ ଭଗବାନ ତାଙ୍କ ଶକ୍ତିରେ ଥିବା ବିଶେଷତ୍ୱକୁ ପ୍ରକାଶିତ କରିଛନ୍ତି । କେଉଁଠାରେ କିଛି ବିଶେଷ ଗରିମା ପ୍ରକଟ ହେଉଥିବାର ଦେଖି ଆମେ ଯଦି ତାକୁ ଭଗବାନଙ୍କର ଐଶ୍ୱର୍ଯ୍ୟ ଭାବରେ ଗ୍ରହଣ କରିବା, ତା’ହେଲେ ଆମର ମନ ସ୍ୱତଃ ଭଗବାନଙ୍କ ପ୍ରତି ଆକୃଷ୍ଟ ହେବ । ବ୍ୟାପକ ଦୃଷ୍ଟିରେ ଦେଖିବାକୁ ଗଲେ, ଛୋଟ ବଡ଼ ସମସ୍ତ ବସ୍ତୁରେ ଭଗବାନଙ୍କର ଐଶ୍ୱର୍ଯ୍ୟ ସମାବିଷ୍ଟ । ତେଣୁ ଆମର ଭକ୍ତି ବୃଦ୍ଧି କରିବା ପାଇଁ ସଂସାରରେ ଆମେ ଭଗବାନଙ୍କ ଐଶ୍ୱର୍ଯ୍ୟର ଅସଂଖ୍ୟ ଉଦାହରଣ ପାଇ ପାରିବା । ଭାରତର ଏକ ରଙ୍ଗ କମ୍ପାନୀର ବିଜ୍ଞାପନ କହେ, “ଯେଉଁଠାରେ ବି ତୁମେ କୌଣସି ରଙ୍ଗ ଦେଖୁଛ, ଆମକୁ ଚିନ୍ତା କର ।” ଏହା ଶ୍ରୀକୃଷ୍ଣଙ୍କର ବକ୍ତବ୍ୟ ସହିତ ତୁଳନୀୟ - “ଯେଉଁଠାରେ ବି ତୁମେ କୌଣସି ଐଶ୍ୱର୍ଯ୍ୟର ପରିପ୍ରକାଶ ଦେଖୁଛ, ମୋର ସ୍ମରଣ କର ।”