Bhagavad Gita: Chapter 10, Verse 24

ପୁରୋଧସାଂ ଚ ମୁଖ୍ୟଂ ମାଂ ବିଦ୍ଧି ପାର୍ଥ ବୃହସ୍ପତିମ୍ ।
ସେନାନୀନାମହଂ ସ୍କନ୍ଦଃ ସରସାମସ୍ମି ସାଗରଃ ।।୨୪।।

ପୁରୋଧସାଂ - ପୁରୋହିତମାନଙ୍କ ମଧ୍ୟରେ; ଚ - ଏବଂ; ମୁଖ୍ୟଂ - ପ୍ରଧାନ, ମାଂ - ମୋତେ; ବିଦ୍ଧି - ବୁଝ; ପାର୍ଥ- ହେ ପୃଥ୍ୱାପୁତ୍ର; ବୃହସ୍ପତିଂ - ବୃହସ୍ପତି; ସେନାନୀନାମ୍ - ସେନାପତିମାନଙ୍କ ମଧ୍ୟରେ; ଅହଂ -ମୁଁ, ସ୍କନ୍ଦଃ - କାର୍ତ୍ତିକେୟ; ସରସାମ୍ - ଜଳାଶୟମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ସାଗରଃ - ସାଗର ।

Translation

BG 10.24: ହେ ଅର୍ଜୁନ, ପୁରୋହିତ ମାନଙ୍କ ମଧ୍ୟରେ ମୁଁ ବୃହସ୍ପତି, ଯୋଦ୍ଧାମାନଙ୍କ ମଧ୍ୟରେ ମୁଁ କାର୍ତ୍ତିକ; ଏବଂ ସରୋବର ମାନଙ୍କ ମଧ୍ୟରେ ମୁଁ ସମୁଦ୍ର ଅଟେ ।

Commentary

ଜଣେ ପୁରୋହିତ, ମନ୍ଦିର ଏବଂ ଘର ମାନଙ୍କରେ ପୂଜା ଇତ୍ୟାଦି ବୈଦିକ କର୍ମ କରିଥାନ୍ତି । ବୃହସ୍ପତି ସ୍ୱର୍ଗର ମୁଖ୍ୟ ପୁରୋହିତ ଅଟନ୍ତି । ଏଣୁ ସମସ୍ତ ପୁରୋହିତ ମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠ ଅଟନ୍ତି । ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି, ସେ ପୁରୋହିତ ମାନଙ୍କ ମଧ୍ୟରେ ବୃହସ୍ପତି ଅଟନ୍ତି । ଅଥଚ ଶ୍ରୀମଦ୍ ଭାଗବତମ୍‌, ଶ୍ଲୋ ୧୧-୧୬-୨୨ରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ପୁରୋହିତ ମାନଙ୍କ ମଧ୍ୟରେ ବଶିଷ୍ଠ ଅଟନ୍ତି । ଦୁଇଟି ଜାଗାରେ ସେ ଭିନ୍ନ ଭିନ୍ନ କଥା କାହିଁକି କହିଛନ୍ତି? ଏହା ସୂଚିତ କରିଥାଏ କୌଣସି ବସ୍ତୁ ବିଶେଷକୁ ଗୁରୁତ୍ୱ ନ ଦେଇ ଆମେ ତନ୍ମଧ୍ୟରେ ନିହିତ ଥିବା ଐଶ୍ୱର୍ଯ୍ୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଶ୍ରୀକୃଷ୍ଣ ଏଠାରେ ନିଜର ଐଶ୍ୱର୍ଯ୍ୟ ଭାବରେ ଯେତେସବୁ ବସ୍ତୁର ବର୍ଣ୍ଣନା କରିଛନ୍ତି, ତାହାକୁ ଏହି ପରିପ୍ରେକ୍ଷୀରେ ବୁଝିବା ଆବଶ୍ୟକ । ଏଠାରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅପେକ୍ଷା ତାଙ୍କର ଐଶ୍ୱର୍ଯ୍ୟ ଉପରେ ଗୁରୁତ୍ୱାରୋପଣ କରାଯାଇଛି ।

ଶିବଙ୍କ ପୁତ୍ର କାର୍ତ୍ତିକେୟ, ଯାହାଙ୍କୁ ସ୍କନ୍ଦ ମଧ୍ୟ କୁହାଯାଏ, ଦେବତାମାନଙ୍କର ସେନାପତି ଅଟନ୍ତି । ତେଣୁ ସେ ସେନାପତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ ଭଗବାନଙ୍କ ଐଶ୍ୱର୍ଯ୍ୟର ପ୍ରତୀକ ଅଟନ୍ତି । ଶ୍ରୀକୃଷ୍ଣ ପୁନଶ୍ଚ କହୁଛନ୍ତି, ସମସ୍ତ ଜଳାଶୟମାନଙ୍କ ମଧ୍ୟରେ ସେ ବିଶାଳ ସାଗର ଅଟନ୍ତି ।