Bhagavad Gita: Chapter 10, Verse 7

ଏତାଂ ବିଭୂତିଂ ଯୋଗଂ ଚ ମମ ଯୋ ବେତ୍ତି ତତ୍ତ୍ୱତଃ ।
ସୋଽବିକମ୍ପେନ ଯୋଗେନ ଯୁଜ୍ୟତେ ନାତ୍ର ସଂଶୟଃ ।।୭।।

ଏତାଂ-ଏଗୁଡ଼ିକ; ବିଭୂତିଂ-ବୈଭବ, ଐଶ୍ୱର୍ଯ୍ୟ; ଯୋଗଂ-ଦିବ୍ୟ ଶକ୍ତି; ଚ-ଏବଂ ; ମମ-ମୋର, ଯୋ-ଯେଉଁମାନେ; ବେତ୍ତି-ଜାଣିବା; ତତ୍ତ୍ୱତଃ-ପ୍ରକୃତରେ; ସ-ସେମାନେ, ଅବିକମ୍ପେନ-ଅବିଚଳ; ଯୋଗେନ-ଭକ୍ତିଯୋଗରେ; ଯୁଜ୍ୟତେ-ମିଳିତ ହୁଅନ୍ତି; ନା-ନାହିଁ; ଅତ୍ର-ଏଠାରେ; ସଂଶୟଃ-ସନ୍ଦେହ ।

Translation

BG 10.7: ଯେଉଁମାନେ ମୋର ବାସ୍ତବିକ ବିଭୂତି ଏବଂ ଦିବ୍ୟ ଶକ୍ତିକୁ ଜାଣନ୍ତି, ସେମାନେ ଅନନ୍ୟ ଭକ୍ତିଯୁକ୍ତ ହୋଇଥାନ୍ତି । ଏଥିରେ କିଛି ସନ୍ଦେହ ନଥାଏ ।

Commentary

ବିଭୂତି ଶବ୍ଦର ତାତ୍ପର୍ଯ୍ୟ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରକଟିତ ଭଗବାନଙ୍କର ମହାନ ଶକ୍ତିସମୂହ ଅଟେ । ଯୋଗ ଶବ୍ଦ ସେହି ସବୁ ଶକ୍ତି ସହିତ ଭଗବାନଙ୍କୁ ସଂଯୁକ୍ତି କରିବା ଅଟେ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଜାଣି ତାଙ୍କର ମହିମା ବିଷୟରେ ନିଶ୍ଚିନ୍ତ ହୋଇଯିବା ପରେ, ଆମେ ତାଙ୍କର ଭକ୍ତି କରିବାକୁ ପ୍ରବୃତ୍ତ ହେବା ସ୍ୱାଭାବିକ ।

ଭଗବାନଙ୍କର ମହାତ୍ମ୍ୟ ଜ୍ଞାନ ଭକ୍ତର ତାଙ୍କ ପ୍ରତି ପ୍ରେମ ଓ ଭକ୍ତିକୁ ପରିପୁଷ୍ଟ କରିଥାଏ । ଜ୍ଞାନ ଓ ପ୍ରେମ ମଧ୍ୟରେ ରହିଥିବା ପ୍ରତ୍ୟକ୍ଷ ସମ୍ବନ୍ଧକୁ ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବା । ମନେ କରନ୍ତୁ, ଆପଣଙ୍କର ବନ୍ଧୁ ଆପଣଙ୍କୁ କଳାରଙ୍ଗର ଛୋଟ ପଥରଟିଏ ଦେଖାଇଲେ । ପଥରଟିର ବିଶେଷତ୍ୱ ଆପଣଙ୍କୁ ଜଣାନାହିଁ, ତେଣୁ ତା’ ପ୍ରତି ଆପଣ ବିଶେଷ ଆଗ୍ରହ ଦେଖାଇଲେ ନାହିଁ । ତାପରେ ଆପଣଙ୍କର ବନ୍ଧୁ କହିଲେ, “ଏହା ସାଳଗ୍ରାମ ଅଟେ ଏବଂ ଜଣେ ସନ୍ଥ ମୋତେ ଏହାକୁ ଦେଇଛନ୍ତି” । ସାଳଗ୍ରାମ ଏକ ବିଶେଷ ପଥର ଅଟେ, ଯାହାକୁ ଭଗବାନ ବିଷ୍ଣୁଙ୍କର ପ୍ରତୀକ ଭାବରେ ପୂଜା କରାଯାଏ । ଆପଣ ଯଦି ସାଳଗ୍ରାମର ମହତ୍ୱ ଜାଣିଥିବେ, ତେବେ ପଥରଟି ଗୋଟିଏ ସାଳଗ୍ରାମ ବୋଲି ଜାଣିବା ପରେ, ତା’ ପ୍ରତି ଆପଣଙ୍କର ଶ୍ରଦ୍ଧା ବୃଦ୍ଧି ଲାଭ କରିବ । ପୁନଶ୍ଚ, ଧରନ୍ତୁ ଆପଣଙ୍କର ବନ୍ଧୁ କହିଲେ, “ଜାଣିଛ!ଏହି ସାଳଗ୍ରାମକୁ ପାଞ୍ଚ ହଜାର ବର୍ଷ ତଳେ ସ୍ୱାମୀ ରାମାନୁଜ ପୂଜା କରୁଥିଲେ” । ଏହି ଜ୍ଞାନ ହେବା ମାତ୍ରେ ଆପଣଙ୍କର ଶ୍ରଦ୍ଧା ତା’ ପ୍ରତି ଆହୁରି ବଢ଼ିଯିବ । ପ୍ରତ୍ୟେକଥର ଜ୍ଞାନ ହିଁ ଆପଣଙ୍କର ପଥର ପ୍ରତି ଶ୍ରଦ୍ଧା ବୃଦ୍ଧି କରୁଅଛି । ସେହିପରି ଭଗବାନଙ୍କ ବିଷୟରେ ସଠିକ୍ ଜ୍ଞାନ ତାଙ୍କ ପ୍ରତି ଆମର ଭକ୍ତିକୁ ବଢ଼ାଇଥାଏ । ଏହପରି ଭାବରେ, ଅନନ୍ତ ବିଶ୍ୱର ବିସ୍ମୟକର ସଂଚାଳନରେ ପ୍ରକଟିତ ଭଗବାନଙ୍କ ଭବ୍ୟ ବୈଭବର ବର୍ଣ୍ଣନା କରି ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହି ଜ୍ଞାନ ପ୍ରାପ୍ତ କରି ଜୀବ ଅବିଚଳ ଭକ୍ତିରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଯିବା ସ୍ୱାଭାବିକ ।