Bhagavad Gita: Chapter 10, Verse 8

ଅହଂ ସର୍ବସ୍ୟ ପ୍ରଭବୋ ମତ୍ତଃ ସର୍ବଂ ପ୍ରବର୍ତତେ ।
ଇତି ମତ୍ୱା ଭଜନ୍ତେ ମାଂ ବୁଧା ଭାବସମନ୍ୱିତାଃ ।।୮।।

ଅହଂ- ମୁଁ; ସର୍ବସ୍ୟ - ସମସ୍ତଙ୍କର; ପ୍ରଭବଃ - ଉତ୍ପତ୍ତିସ୍ଥଳ; ମତ୍ତଃ - ମୋ’ଠାରୁ ସର୍ବଂ - ସମସ୍ତେ; ପ୍ରବର୍ତତେ - ଉତ୍ପନ୍ନ ହୁଅନ୍ତି; ଇତି - ଏହିପରି; ମତ୍ୱା - ଜାଣି; ଭଜନ୍ତେ - ଉପାସନା କରନ୍ତି; ମାଂ - ମୋର; ବୁଧାଃ - ପଣ୍ଡିତମାନେ; ଭାବ -ସମନ୍ୱିତାଃ - ଶ୍ରଦ୍ଧା ଏବଂ ଭକ୍ତିଯୁକ୍ତ ହୋଇ ।

Translation

BG 10.8: ମୁଁ ସମଗ୍ର ସୃଷ୍ଟିର ଉଦ୍‌ଗମ ସ୍ଥଳ । ସବୁ କିଛି ମୋ ପରେ ଉତ୍ପନ୍ନ ହୁଅନ୍ତି । ଯେଉଁ ବିଜ୍ଞବ୍ୟକ୍ତି ଏହା ଜାଣନ୍ତି, ସେ ପୂର୍ଣ୍ଣ ବିଶ୍ୱାସ ଓ ଭକ୍ତିଯୁକ୍ତ ହୋଇ ମୋର ଉପାସନା କରନ୍ତି ।

Commentary

ଶ୍ଲୋକ ଆରମ୍ଭରେ ଶ୍ରୀକୃଷ୍ଣ କହୁଛନ୍ତି, ଅହଂ ସର୍ବସ୍ୟ ପ୍ରଭବୋ, ଅର୍ଥାତ୍ “ମୁଁ ହିଁ ସର୍ବୋଚ୍ଚ ଅନ୍ତିମ ସତ୍ୟ ଏବଂ ସର୍ବ କାରଣକାରଣ ଅଟେ ।” ଭଗବଦ୍ ଗୀତାରେ ସେ ଏକାଧିକ-ବାର ଏହାର ପୁନରାବୃତ୍ତି କରିଛନ୍ତି, ଶ୍ଲୋ ୭.୭, ୭.୧୨, ୧୦.୫ ଏବଂ ୧୫.୧୫ । ଅନ୍ୟ ଗ୍ରନ୍ଥ ମାନଙ୍କରେ ମଧ୍ୟ ଏହାକୁ ଦୃଢତାର ସହିତ ଘୋଷଣା କରା ଯାଇଅଛି । ଋକ୍‌ବେଦରେ ଉଲ୍ଲେଖ କରାଯାଇଛି:

ଯଂ କାମୟେ ତଂ ତଂ ଉଗ୍ରଂ କ୍ରିଷ୍ଣୋମି ତଂ ବ୍ରହ୍ମାଣଂ ତଂ ଋଷିଂ ତଂ ସୁମେଧ୍‌ସମ୍ । (୧୦.୧୨୫.୫)

ମୁଁ ଯାହାକୁ ଭଲ ପାଏ, ତାହାକୁ ଅତ୍ୟନ୍ତ ଶକ୍ତିଶାଳୀ କରେ; ମୁଁ ତାଙ୍କୁ ନାରୀ ବା ପୁରୁଷ ରୂପ ଦିଏ; ମୁଁ ତାଙ୍କୁ ଜ୍ଞାନୀ ମହାତ୍ମା କରେ; ମୁଁ ଜୀବକୁ ବ୍ରହ୍ମା ପଦ ପ୍ରାପ୍ତ କରିବାର ଯୋଗ୍ୟତା ପ୍ରଦାନ କରେ ।” ଯେଉଁ ବିଜ୍ଞ ବ୍ୟକ୍ତି ଏହି ସତ୍ୟକୁ ଉପଲବ୍ଧି କରନ୍ତି, ସେ ପୂର୍ଣ୍ଣ ବିଶ୍ୱାସର ସହିତ ପ୍ରେମମୟ ଭକ୍ତିରେ ଭଗବାନଙ୍କର ଉପାସନା କରନ୍ତି ।

ଅତଏବ, ଶ୍ରୀକୃଷ୍ଣ ଉଭୟ ଭୌତିକ ଓ ଆଧ୍ୟାତ୍ମିକ ଜଗତର ସର୍ବୋଚ୍ଚ ଅଧ୍ୟକ୍ଷ ଅଟନ୍ତି । କିନ୍ତୁ ବିଶ୍ୱ ପରିଚାଳନା ଭଗବାନଙ୍କର ପ୍ରମୁଖ କାର୍ଯ୍ୟ ନୁହେଁ । ଚୈତନ୍ୟ ମହାପ୍ରଭୁ କହନ୍ତି:

ସ୍ୱୟଂ ଭଗବାନେର କର୍ମ ନହେ ଭାର-ହରଣ (ଚୈତନ୍ୟ ଚରିତାମୃତ, ଆଦି ଲୀଳା)

ଶ୍ରୀକୃଷ୍ଣ ପ୍ରତ୍ୟକ୍ଷ ଭାବରେ ବିଶ୍ୱର ସୃଷ୍ଟି, ସ୍ଥିତି ଏବଂ ଲୟ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି ନାହିଁ । ଶ୍ରୀକୃଷ୍ଣଙ୍କର ପ୍ରମୁଖ କାର୍ଯ୍ୟ ହେଲା, ତାଙ୍କର ଦିବ୍ୟଧାମ ଗୋଲକରେ, ବିମୁକ୍ତ ଜୀବ ମାନଙ୍କ ସହିତ ରସମୟ ଲୀଳା କରିବା । ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ନିଜର ସ୍ୱରୂପ ବିସ୍ତାର  କାରଣୋଦକଶାୟୀ ବିଷ୍ଣୁ ରୂପରେ କରିଥାଆନ୍ତି, ଯାହାଙ୍କୁ ମହାବିଷ୍ଣୁ କହନ୍ତି ।

ଭଗବାନଙ୍କର ଏହି ମହାବିଷ୍ଣୁ ରୂପ, ଅନନ୍ତ ଭୌତିକ ଜଗତର ସମାହାର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଅଧ୍ୟକ୍ଷ ଅଟନ୍ତି । ମହାବିଷ୍ଣୁଙ୍କୁ ପ୍ରଥମ ପୁରୁଷ ମଧ୍ୟ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ପ୍ରଥମ ବିସ୍ତୃତି) । ସେ କାରଣ ସାଗରରେ ଶୟନ କରିଥାଆନ୍ତି ଏବଂ ତାଙ୍କର ପ୍ରତ୍ୟେକ ଲୋମକୂପରୁ ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥାଏ । ତାପରେ ସେ ଗର୍ଭୋଦକଶାୟୀ ବିଷ୍ଣୁଙ୍କ ରୂପ ଧାରଣ କରି ପ୍ରତ୍ୟେକ ବ୍ରହ୍ମାଣ୍ଡର ନିମ୍ନ ଦେଶରେ ନିବାସ କରନ୍ତି, ଯାହାଙ୍କୁ ଦ୍ୱିତୀୟ ପୁରୁଷ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ଦ୍ୱିତୀୟ ବିସ୍ତୃତି) ।

ଗର୍ଭୋଦକଶାୟୀ ବିଷ୍ଣୁଙ୍କଠାରୁ ବ୍ରହ୍ମା ଜାତ ହୁଅନ୍ତି । ସେ ସୃଷ୍ଟି ପ୍ରକ୍ରିୟାର ନିୟମନ କରିଥାଆନ୍ତି - ବିଶ୍ୱର ସମସ୍ତ ସ୍ଥୁଳ ଓ ସୂକ୍ଷ୍ମ ବସ୍ତୁର ସୃଷ୍ଟି, ପ୍ରକୃତିର ନିୟମ, ସମସ୍ତ ସୌର ଓ ଗ୍ରହମଣ୍ଡଳରେ ବାସ କରୁଥିବା ସମସ୍ତ ଜୀବର ପରିଚାଳନା ଇତ୍ୟାଦି । ସେଥିପାଇଁ ଅନେକ ସମୟରେ ବ୍ରହ୍ମାଙ୍କୁ ବିଶ୍ୱର ସୃଷ୍ଟି କର୍ତ୍ତା ମଧ୍ୟ କୁହାଯାଏ । କିନ୍ତୁ, ପ୍ରକୃତରେ ସେ ଦ୍ୱିତୀୟ ସୃଷ୍ଟି କର୍ତ୍ତା ଅଟନ୍ତି ।

ପୁନଶ୍ଚ, ଗର୍ଭୋଦକଶାୟୀ ବିଷ୍ଣୁ ନିଜର ଅନ୍ୟ ଏକ ସ୍ୱରୂପ, କ୍ଷୀରୋଦକଶାୟୀ ବିଷ୍ଣୁ, ପ୍ରକଟ କରନ୍ତି ଏବଂ ଯିଏ ପ୍ରତ୍ୟେକ ବ୍ରହ୍ମାଣ୍ଡର ଊର୍ଦ୍ଧ୍ୱ ଭାଗରେ ସ୍ଥିତ କ୍ଷୀର ସାଗରରେ ନିବାସ କରନ୍ତି । କ୍ଷୀରୋଦକଶାୟୀ ବିଷ୍ଣୁଙ୍କୁ ତୃତୀୟ ପୁରୁଷ ମଧ୍ୟ କୁହାଯାଏ (ଭୌତିକ ଜଗତରେ ଭଗବାନଙ୍କର ତୃତୀୟ ବିସ୍ତୃତି) । ସେ ବିଶ୍ୱର ଊର୍ଦ୍ଧ୍ୱ ଭାଗରେ ନିବାସ କରନ୍ତି, ତା ସହିତ ସେ ପରମାତ୍ମା ରୂପରେ ବିଶ୍ୱର ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରନ୍ତି । ସେ ଜୀବର ସମସ୍ତ କର୍ମକୁ ନିରୀକ୍ଷଣ କରନ୍ତି, ତାର ହିସାବ ରଖନ୍ତି ଏବଂ ଯଥା ସମୟରେ ତାର କର୍ମଫଳ ପ୍ରଦାନ କରନ୍ତି । ସେଥିପାଇଁ ତାଙ୍କୁ ବିଶ୍ୱର ପାଳନ କର୍ତ୍ତା କୁହାଯାଏ ।

ଏଠାରେ ଉଲ୍ଲେଖ କରାଯାଇ ଥିବା ଭଗବାନ ବିଷ୍ଣୁଙ୍କର ତିିନୋଟି ସ୍ୱରୂପ, ଶ୍ରୀକୃଷ୍ଣଙ୍କଠାରୁ ପୃଥକ ନୁହନ୍ତି । ତେଣୁ ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ବିଶ୍ୱର ସମସ୍ତ ଦୈବିକ ଓ ଭୌତିକ ସୃଷ୍ଟି ତାଙ୍କ ଠାରୁ ହିଁ ଉତ୍ପନ୍ନ ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ଅବତାରୀ ମଧ୍ୟ କୁହାଯାଏ (ସମସ୍ତ ଅବତାରମାନଙ୍କର ଉତ୍ସ) । ଶ୍ରୀମଦ୍ ଭାଗବତମ୍ କହୁଛି :

ଏତେ ଚାଂଶ କଲାଃ ପୁଂସଃ କ୍ରିଷ୍ଣସ୍ତୁ  ଭଗବାନ ସ୍ୱୟମ୍ । (୧.୩.୨୮)

ଭଗବାନଙ୍କର ସମସ୍ତ ସ୍ୱରୂପ ତାଙ୍କର ବିସ୍ତୃତି ଅଟନ୍ତି ବା ଶ୍ରୀକୃଷ୍ଣଙ୍କ ବିସ୍ତୃତିର ବିସ୍ତୃତି ଅଟନ୍ତି । ମୂଳ ରୂପ ଶ୍ରୀକୃଷ୍ଣ ଅଟନ୍ତି । ଏଣୁ ଦ୍ୱିତୀୟ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି:

ଯସ୍ୟୈକନିଶ୍ୱସିତ କାଲମଥାବଲମ୍ବ୍ୟ
ଜୀବନ୍ତି ଲୋମବିଲଯା ଜଗଦଣ୍ଡନାଥାଃ
ବିଷ୍ଣୁର୍ମହାନ୍ ସୈହୟସ୍ୟ କଲାବିଶେଷୋ
ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି । (ବ୍ରହ୍ମ ସଂହିତା ୫:୪୮)

“ଭଗବାନ ମହାବିଷ୍ଣୁ ଯେତେବେଳେ ଶ୍ୱାସ ଗ୍ରହଣ କରନ୍ତି, ତାଙ୍କ ଶରୀରର ଲୋମକୂପମାନଙ୍କରୁ ଅନନ୍ତ ବ୍ରହ୍ମାଣ୍ଡ ପ୍ରକଟିତ ହୋଇଥାଏ ଏବଂ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଜଣେ ଜଣେ ଶଙ୍କର, ବ୍ରହ୍ମା ଓ ବିଷ୍ଣୁ ରହିଥାଆନ୍ତି । ପୁଣି ଯେତେବେଳେ ସେ ଶ୍ୱାସ ତ୍ୟାଗ କରନ୍ତି, ସମସ୍ତ ବ୍ରହ୍ମାଣ୍ଡ ତାଙ୍କଠାରେ ଲୀନ ହୋଇଯାଏ । ମୁଁ ସେହି ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛି ଯାହାର ସ୍ୱରୂପ ମହାବିଷ୍ଣୁ ଅଟନ୍ତି । ବର୍ତ୍ତମାନ, ଭକ୍ତମାନେ ତାଙ୍କର କିପରି ଉପାସନା କରନ୍ତି, ସେ ବିଷୟରେ ଶ୍ରୀକୃଷ୍ଣ କହିବାକୁ ଯାଉଛନ୍ତି ।