Bhagavad Gita: Chapter 10, Verse 29

ଅନନ୍ତଶ୍ଚାସ୍ମି ନାଗାନାଂ ବରୁଣୋ ଯାଦସାମହମ୍ ।
ପିତୃଣାମର୍ଯ୍ୟମା ଚାସ୍ମି ଯମଃ ସଂଯମତାମହମ୍ ।।୨୯।।

ଅନନ୍ତଃ - ଅନନ୍ତ; ଚ -ଏବଂ; ଅସ୍ମି-ଅଟେ; ନାଗାନାଂ- ନାଗମାନଙ୍କ ମଧ୍ୟରେ; ବରୁଣଃ -ଜଳଦେବତା; ଯାଦସାଂ- ଜଳଜୀବମାନଙ୍କ ମଧ୍ୟରେ; ଅହଂ - ମୁଁ; ପିତୃଣାଂ- ପିତୃପୁରୁଷମାନଙ୍କ ମଧ୍ୟରେ; ଅର୍ଯ୍ୟମା - ଅର୍ଯ୍ୟମ; ଚ-ଏବଂ; ଅସ୍ମି -ଅଟେ; ଯମଃ - ମୃତ୍ୟୁର ଦେବତା; ସଂଯମତାମ୍ - ନ୍ୟାୟାଧୀଶ ମାନଙ୍କ ମଧ୍ୟରେ; ଅହଂ-ମୁଁ ।

Translation

BG 10.29: ସର୍ପମାନଙ୍କ ମଧ୍ୟରେ ମୁଁ ଅନନ୍ତ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ ବରୁଣ । ପରଲୋକ ଗତ ପୂର୍ବଜମାନଙ୍କ ମଧ୍ୟରେ ମୁଁ ଅର୍ଯମ; ନ୍ୟାୟାଧୀଶ ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁର ଦେବତା ଯମ ଅଟେ ।

Commentary

ଅନନ୍ତ ଦିବ୍ୟ ସର୍ପ ଅଟନ୍ତି, ଯାହାଙ୍କ ଉପରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି । ତାଙ୍କର ଦଶ ହଜାର ଫଣା ରହିଛି । ଏପରି କୁହାଯାଏ ଯେ ସୃଷ୍ଟିର ପ୍ରାରମ୍ଭରୁ ସେ ତାଙ୍କର ପ୍ରତ୍ୟେକ ମୁଖରେ ଭଗବାନଙ୍କର ସୁଯଶ ବର୍ଣ୍ଣନା କରୁଛନ୍ତି, ଯାହାର ଅନ୍ତ ତଥାପି ବି ହୋଇନାହିଁ ।

ବରୁଣ ସମୁଦ୍ରର ଦେବତା ଅଟନ୍ତି । ଅର୍ଯ୍ୟମ ଅଦିତିଙ୍କର ତୃତୀୟ ପୁତ୍ର ଅଟନ୍ତି । ପରଲୋକଗତ ପୂର୍ବଜମାନଙ୍କର ମୁଖ୍ୟ ଭାବରେ ତାଙ୍କୁ ପୂଜା କରାଯାଇଥାଏ । ଯମରାଜ ମୃତ୍ୟୁର ଦେବତା ଅଟନ୍ତି । ସେ ମର ଶରୀରରୁ ଆତ୍ମାକୁ ଛଡାଇ ନେବାର କାର୍ଯ୍ୟ କରନ୍ତି । ଭଗବାନଙ୍କ ତରଫରୁ ଜୀବର ବର୍ତ୍ତମାନ ଜନ୍ମର କର୍ମ ପାଇଁ, ସେ ନ୍ୟାୟ ପ୍ରଦାନ କରନ୍ତି ଏବଂ ପରବର୍ତ୍ତୀ ଜନ୍ମରେ ଦଣ୍ଡ ବା ପୁରସ୍କାର ପ୍ରଦାନ କରନ୍ତି । ତାହା ଯେତେ କଷ୍ଟକର ବା ଯନ୍ତ୍ରଣାଦାୟକ ହେଉପଛେ, ନିଜ କର୍ତ୍ତବ୍ୟରୁ ସେ ଏକ ଇଞ୍ଚ ବି ଏପଟ ସେପଟ ହୁଅନ୍ତି ନାହିଁ । ନ୍ୟାୟାଧୀଶ ଭାବରେ ତାଙ୍କଠାରେ ଭଗବାନଙ୍କର ଐଶ୍ୱର୍ଯ୍ୟ ହିଁ ପ୍ରକଟ ଲାଭ କରିଥାଏ ।