Bhagavad Gita: Chapter 10, Verse 36

ଦ୍ୟୂତଂ ଛଳୟତାମସ୍ମି ତେଜସ୍ତେଜସ୍ୱିନାମହମ୍ ।
ଜୟୋଽସ୍ମି ବ୍ୟବସାୟୋଽସ୍ମି ସତ୍ତ୍ୱଂ ସତ୍ତ୍ୱବତାମହମ୍ ।।୩୬।।

ଦ୍ୟୂତଂ -ଜୁଆଖେଳ; ଛଳୟତାଂ - ଛଳ ମଧ୍ୟରେ; ଅସ୍ମି -ଅଟେ;ତେଜଃ -ତେଜ;ତେଜସ୍ୱିନାଂ -ତେଜସ୍ୱୀ ମାନଙ୍କର; ଅହମ୍‌-ମୁଁ; ଜୟଃ -ବିଜୟ; ଅସ୍ମି -ଅଟେ;ବ୍ୟବସାୟଃ - ଦୃଢ ସଂକଳ୍ପ;ଅସ୍ମି -ଅଟେ; ସତ୍ତ୍ୱଂ -ସଦ୍‌ଗୁଣ; ସତ୍ତ୍ୱବତାଂ - ପୁଣ୍ୟାତ୍ମାମାନଙ୍କର; ଅହମ୍ - ମୁଁ ।

Translation

BG 10.36: ଛଳ ମଧ୍ୟରେ ମୁଁ ଜୁଆଖେଳ ଅଟେ । ତେଜସ୍ୱୀ ମାନଙ୍କର ମୁଁ ତେଜ ଅଟେ । ବିଜୟୀ ମାନଙ୍କର ମୁଁ ଦୃଢ଼ସଙ୍କଳ୍ପ ଅଟେ ଓ ପୁଣ୍ୟାତ୍ମାମାନଙ୍କର ମୁଁ ସଦ୍‌ଗୁଣ ଅଟେ ।

Commentary

ଏଠାରେ ଶ୍ରୀକୃଷ୍ଣ କେବଳ ସଦ୍‌ଗୁଣଗୁଡ଼ିକୁ ତାଙ୍କର ଐଶ୍ୱର୍ଯ୍ୟ ଭାବରେ ବର୍ଣ୍ଣନା କରି ନାହାଁନ୍ତି, ତା’ ସହିତ ମନ୍ଦଗୁଣକୁ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ କହିଛନ୍ତି । ଜୁଆଖେଳ ଏକ ମାରାତ୍ମକ ଦୁଷ୍କର୍ମ ଅଟେ ଯାହା ପରିବାର, ବ୍ୟବସାୟ ଓ ଜୀବନକୁ ନଷ୍ଟ କରି ଦେଇଥାଏ । ଯୁଧିଷ୍ଠିରଙ୍କର ଜୁଆଖେଳ ପ୍ରତି ଦୁର୍ବଳତା ହିଁ ମହାଭାରତ ଯୁଦ୍ଧର ସୂତ୍ରପାତ କରିଥିଲା । କିନ୍ତୁ ଯଦି ଜୁଆଖେଳ ମଧ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ, ତେବେ  ଏହାକୁ ବର୍ଜନ କରାଯିବ କାହିଁକି?

ଏହାର ଉତ୍ତର ହେଲା, ଭଗବାନ ଆତ୍ମାକୁ ଶକ୍ତି ପ୍ରଦାନ କରିବା ସହିତ ବିଚାର କରିବାର ସ୍ୱାଧୀନତା ମଧ୍ୟ ଦେଇଛନ୍ତି । ଆମେ ତାଙ୍କୁ ଭୁଲିଯିବାକୁ ଇଚ୍ଛାକଲେ ମଧ୍ୟ ଭୁଲିବା ପାଇଁ ଶକ୍ତି ସେ ହିଁ ଦିଅନ୍ତି । ବିଜୁଳି ଶକ୍ତିର ବ୍ୟବହାର ବସ୍ତୁକୁ ଉଭୟ ଗରମ ଓ ଥଣ୍ଡା କରିବା ଉଦ୍ଦେଶ୍ୟରେ  କରାଯାଇ ପାରେ । ବ୍ୟବହାରକାରୀ ତାକୁ କିପରି ବ୍ୟବହାର କରିବ, ତାହା ସେ ନିଜେ ନିର୍ଣ୍ଣୟ କରିଥାଏ । ଶକ୍ତି ଯୋଗାଉଥିବା ଶକ୍ତି କେନ୍ଦ୍ର (ପାୱାର ହାଉସ୍‌) ଶକ୍ତିର ସଦୁପଯୋଗ ବା ଦୁରୁପଯୋଗ ପାଇଁ ଦାୟୀ ନୁହେଁ । ସେହିପରି ଜଣେ ଜୁଆଡିର ମଧ୍ୟ ଈଶ୍ୱରଦତ୍ତ ବୁଦ୍ଧି ଓ କ୍ଷମତା ଥାଏ । ସେହି ଈଶ୍ୱର ଦତ୍ତ ଉପହାରର ସେ ଯଦି ଦୁରୁପଯୋଗ କରେ, ତେବେ ତାହାର ସେହି ଦୁଷ୍କର୍ମ ପାଇଁ ଭଗବାନ ଦାୟୀ ନୁହଁନ୍ତି ।

ସମସ୍ତେ ବିଜୟୀ ହେବାକୁ ଇଚ୍ଛାକରନ୍ତି, ଏହା ଭଗବାନଙ୍କର ଐଶ୍ୱର୍ଯ୍ୟ ଅଟେ । ସେଥିପାଇଁ ଶ୍ରୀକୃଷ୍ଣ ଦୃଢ଼ ସଙ୍କଳ୍ପ ଉପରେ ଗୁରୁତ୍ୱାରୋପଣ କରିଛନ୍ତି । ପୂର୍ବରୁ ଶ୍ଳୋକ ୨.୪୧. ୨.୪୪ ଓ ୯.୩୦ରେ ମଧ୍ୟ ଏହାର ବର୍ଣ୍ଣନା କରାଯାଇଛି । ପୁଣ୍ୟାତ୍ମାମାନଙ୍କର ସଦ୍‌ଗୁଣ ମଧ୍ୟ ଭଗବାନଙ୍କ ଶକ୍ତିର ପ୍ରାକଟ୍ୟ ଅଟେ । ସମସ୍ତ ସତ୍‌କର୍ମ, ସଫଳତା, ଯଶ, ଜୟ ଏବଂ ଦୃଢ଼ ସଙ୍କଳ୍ପ ଭଗବାନଙ୍କଠାରୁ ପ୍ରକଟ ହୋଇଥାଏ । ଅତଏବ, ତାହାକୁ ଆମ ନିଜର ଗୁଣ ମନେ ନ କରି, ଭଗବାନଙ୍କର ଉପହାର ରୂପେ ବିଚାର କରିବା ଉଚିତ ।