Bhagavad Gita: Chapter 10, Verse 22

ବେଦାନାଂ ସାମବେଦୋଽସ୍ମି ଦେବାନାମସ୍ମି ବାସବଃ ।
ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି ଭୂତାନାମସ୍ମି ଚେତନା ।।୨୨।।

ବେଦାନାଂ - ବେଦମାନଙ୍କ ମଧ୍ୟରେ; ସାମବେଦଃ - ସାମବେଦ; ଅସ୍ମି- ଅଟେ; ଦେବାନାମ୍ - ଦେବତାମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ବାସବଃ - ସ୍ୱର୍ଗର ରାଜା ଇନ୍ଦ୍ର; ଇନ୍ଦ୍ରିୟାଣାଂ - ଇନ୍ଦ୍ରିୟମାନଙ୍କ ମଧ୍ୟରେ; ମନଃ - ମନ; ଚ - ଏବଂ; ଅସ୍ମି - ଅଟେ; ଭୂତାନାଂ - ଜୀବମାନଙ୍କ ମଧ୍ୟରେ; ଅସ୍ମି - ଅଟେ; ଚେତନା - ଚେତନା (ଚୈତନ୍ୟ) ।

Translation

BG 10.22: ବେଦ ମାନଙ୍କ ମଧ୍ୟରେ ମୁଁ ସାମବେଦ, ସ୍ୱର୍ଗର ଦେବତା ମାନଙ୍କ ମଧ୍ୟରେ ମୁଁ ଇନ୍ଦ୍ର, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ମୁଁ ମନ, ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ମୁଁ ଚେତନା ଅଟେ ।

Commentary

ବେଦର ଚାରୋଟି ଭାଗ ରହିଛି- ଋକ୍‌ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ । ସାମବେଦ ଭଗବାନଙ୍କର ବୈଭବ, ଯାହା  ବ୍ରହ୍ମାଣ୍ଡର ଶାସନ ଦାୟୀତ୍ୱରେ ନିଯୁକ୍ତ ଦେବତାମାନଙ୍କ ଠାରେ ପ୍ରକଟିତ ହୋଇଥାଏ, ତାହାର ବର୍ଣ୍ଣନା କରିଥାଏ । ସାମବେଦ ସଙ୍ଗୀତମୟ ଅଟେ, ଯାହା ଭଗବାନଙ୍କର ଯଶଗାନ କରିଥାଏ । ଯେଉଁମାନେ ତାହା ବୁଝିବାକୁ ସକ୍ଷମ, ସେମାନଙ୍କ ପାଇଁ ତାହା ଅତ୍ୟନ୍ତ ଶ୍ରୁତିମଧୁର ଅଟେ ଏବଂ ତାହା ଶ୍ରବଣକାରୀଙ୍କ ମନରେ ଭକ୍ତି ଉଦ୍ରେକ କରିଥାଏ ।

ଦେବରାଜ ଇନ୍ଦ୍ରଙ୍କର ଅନ୍ୟ ଏକ ନାମ ବାସବ ଅଟେ । ଜୀବ ଶ୍ରେଣୀରେ ସମ୍ମାନ, କ୍ଷମତା ଓ ପଦବୀ ଦୃଷ୍ଟିରୁ ତାଙ୍କର ସ୍ଥାନ ଅତୁଳନୀୟ ଅଟେ । ବହୁଜନ୍ମର ପୁଣ୍ୟବଳରେ ହିଁ ଜଣେ ଜୀବ ଇନ୍ଦ୍ର ପଦକୁ ଉନ୍ନୀତ ହୋଇଥାଏ । ଅତଏବ, ଇନ୍ଦ୍ର ଭଗବାନଙ୍କ ଦୀପ୍ତିମୟ ଐଶ୍ୱର୍ଯ୍ୟର ନିଦର୍ଶନ ଅଟନ୍ତି ।

ପାଞ୍ଚ ଇନ୍ଦ୍ରିୟ ସେମାନଙ୍କର କାମ ଠିକ୍ ଠିକ୍ କରିଥାନ୍ତି ଯଦି ମନ ତାଙ୍କ ସହ ସଂଯୁକ୍ତ ଥାନ୍ତି । ମନ ଯଦି ବିଚଳିତ ହୁଏ, ତା’ହେଲେ ସେମାନେ ଠିକ୍ ରୂପେ କାର୍ଯ୍ୟ କରିପାରନ୍ତି ନାହିଁ । ଉଦାହରଣ ସ୍ୱରୂପ, ଅନ୍ୟମାନଙ୍କର କଥା ଆମେ କାନ ଦ୍ୱାରା ଶୁଣିଥାଏ । କିନ୍ତୁ ସେମାନେ କହିଲାବେଳେ ଆମର ମନ ଯଦି ଅନ୍ୟତ୍ର ଚାଲିଯାଏ, ତେବେ ତାଙ୍କର କଥା ଆମେ ଶୁଣି ମଧ୍ୟ ଶୁଣି ପାରି ନ ଥାଏ । ତେଣୁ ମନ ଇନ୍ଦ୍ରିୟ ମାନଙ୍କର ରାଜା ଅଟେ । ଶ୍ରୀକୃଷ୍ଣ ତାହାକୁ ତାଙ୍କ ଶକ୍ତିର ପ୍ରକାଶ କହୁଛନ୍ତି ଏବଂ ପରେ ଭାଗବତ୍ ଗୀତାରେ ତାହାକୁ ଷଷ୍ଠ ଏବଂ ସର୍ବଶ୍ରେଷ୍ଠ ଇନ୍ଦ୍ରିୟ କହିଛନ୍ତି । (ଶ୍ଲୋ. ୧୫.୬) ।

ଆତ୍ମାର ଚୈତନ୍ୟତା ଗୁଣଟି ଏହାକୁ ଜଡ଼ ବସ୍ତୁଠାରୁ ପୃଥକ କରିଥାଏ । ଜଣେ ଜୀବିତ ଏବଂ ମୃତ ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ ଏହା ଯେ ଜୀବିତ ବ୍ୟକ୍ତିର ଶରୀର ଚେତନାଯୁକ୍ତ ଅଟେ ଏବଂ ମୃତ ବ୍ୟକ୍ତିଙ୍କ ଶରୀରରେ ଚେତନାର ଅଭାବ ରହିଥାଏ । ଭଗବାନଙ୍କ ଦୈବୀ ଶକ୍ତି ଦ୍ୱାରା ଆତ୍ମାଠାରେ ଚୈତନ୍ୟତା ପ୍ରକାଶିତ ହୁଏ । ବେଦ କହେ: ଚେତନଶ୍ଚେତନାନାମ୍ (କଠୋପନିଷଦ୍ ୨.୨.୧୩) ।“ଭଗବାନ ଚୈତନ୍ୟ ମାନଙ୍କର ଚେତନା ଅଟନ୍ତି ।”