Bhagavad Gita: Chapter 10, Verse 25

ମହର୍ଷୀଣାଂ ଭୃଗୁରହଂ ଗିରାମସ୍ମ୍ୟେକମକ୍ଷରମ୍ ।
ଯଜ୍ଞାନାଂ ଜପଯଜେ୍ଞାଽସ୍ମି ସ୍ଥାବରାଣାଂ ହିମାଳୟଃ ।।୨୫।।

ମହର୍ଷୀଣାଂ - ମହର୍ଷିମାନଙ୍କ ମଧ୍ୟରେ; ଭୃଗୁଃ - ଭୃଗୁ; ଅହଂ-ମୁଁ; ଗିରାମ୍ - ଧ୍ୱନି-ତରଙ୍ଗ ମଧ୍ୟରେ; ଅସ୍ମି - ଅଟେ; ଏକମ୍ ଅକ୍ଷରମ୍‌-ପ୍ରଣବ; ଯଜ୍ଞାନାମ୍ - ଯଜ୍ଞମାନଙ୍କ ମଧ୍ୟରେ; ଜପ ଯଜ୍ଞଃ -ଜପ; ଅସ୍ମି - ଅଟେ; ସ୍ଥାବରଣାଂ- ସ୍ଥାବରମାନଙ୍କ ମଧ୍ୟରେ; ହିମାଳୟଃ - ହିମାଳୟ ପର୍ବତଶ୍ରେଣୀ ।

Translation

BG 10.25: ମହର୍ଷି ମାନଙ୍କ ମଧ୍ୟରେ ମୁଁ ଭୃଗୁ ଏବଂ ଧ୍ୱନି ମଧ୍ୟରେ ମୁଁ ଓଁକାର ଶବ୍ଦ ଅଟେ । ଯଜ୍ଞମାନଙ୍କ ମଧ୍ୟରେ ମୋତେ ପବିତ୍ର ନାମ ଜପ ଏବଂ ସ୍ଥାବର ବସ୍ତୁ ମାନଙ୍କ ମଧ୍ୟରେ ମୋତେ ହିମାଳୟ ଭାବରେ ଜାଣ ।

Commentary

ଗୋଟିଏ ଜମିରେ ଉତ୍ପନ୍ନ ଫଳ ଓ ପୁଷ୍ପ ମଧ୍ୟରୁ ଯିଏ ସର୍ବୋତ୍ତମ, ତାହାକୁ ହିଁ କୌଣସି ପ୍ରଦର୍ଶନୀକୁ ନିଆଯାଇଥାଏ । ସେହିପରି ସୃଷ୍ଟିର ସମସ୍ତ ବ୍ୟକ୍ତ ଓ ଅବ୍ୟକ୍ତ ବସ୍ତୁ ଭଗବାନଙ୍କର ସ୍ୱରୂପ ଅଟନ୍ତି, ତଥାପି ସେମାନଙ୍କ ମଧ୍ୟରୁ ପ୍ରମୁଖ ବସ୍ତୁଗୁଡ଼ିକୁ ତାଙ୍କର ଐଶ୍ୱର୍ଯ୍ୟ ରୂପେ ପରିଗଣିତ କରାଯାଇଥାଏ ।

ସ୍ୱର୍ଗଲୋକର ସମସ୍ତ ଋଷିମାନଙ୍କ ମଧ୍ୟରେ ଭୃଗୁଙ୍କର ସ୍ଥାନ ବିଶେଷ ଅଟେ । ସେ ଜ୍ଞାନ, ଯଶ ଏବଂ ଭକ୍ତି ଗୁଣ ଯୁକ୍ତ ଅଟନ୍ତି । ପୁରାଣ ବର୍ଣ୍ଣିତ ଭଗବାନଙ୍କର ଦିବ୍ୟ ଲୀଳାରେ, ଥରେ ଭୃଗୁ ଋଷି  ବ୍ରହ୍ମା-ବିଷ୍ଣୁ-ଶିବ ତ୍ରିନାଥଙ୍କୁ ପରୀକ୍ଷା କରିବାକୁ ଯାଇ ବିଷ୍ଣୁଙ୍କ ବକ୍ଷରେ ପଦାଘାତ କରିଥିଲେ । ସେହି ପଦ ଚିହ୍ନକୁ ଭଗବାନ ବିଷ୍ଣୁ ନିଜ ବକ୍ଷରେ ଧାରଣ କରିଥାଆନ୍ତି । ସେହି ଭୃଗୁ ରୂପରେ ଶ୍ରୀକୃଷ୍ଣଙ୍କର ଐଶ୍ୱର୍ଯ୍ୟ ପ୍ରକାଶିତ ।

ନିରାକାର ବ୍ରହ୍ମଙ୍କର ଉପାସକମାନେ “ଓଁ” ଧ୍ୱନିର ଧ୍ୟାନ କରିଥାଆନ୍ତି, ଯାହା ଭଗବାନଙ୍କର ଅନ୍ୟ ଏକ ବିଭୂତି ଅଟେ । ପୂର୍ବରୁ ଶ୍ରୀକୃଷ୍ଣ ଶ୍ଲୋକ ୭.୮ ଏବଂ ୮.୧୩ରେ କହିଛନ୍ତି ଓଁ ଶବ୍ଦ ଏକ ପବିତ୍ର ନାଦ ଅଟେ । ଏହା ଅନାହତ ନାଦ ଅଟେ (ଯେଉଁ ଶବ୍ଦ ଧ୍ୱନି ସମଗ୍ର ସୃଷ୍ଟିରେ ପରିବ୍ୟାପ୍ତ) । ପବିତ୍ରତାର ପ୍ରତୀକ ରୂପେ ଏହାର ବ୍ୟବହାର ଅନେକ ବେଦ ମନ୍ତ୍ରର ପ୍ରାରମ୍ଭରେ କରାଯାଇଥାଏ । ଏପରି କୁହାଯାଇଥାଏ ଯେ ଏକାକ୍ଷର ‘ଓଁ’ରୁ ଗାୟତ୍ରୀ ମନ୍ତ୍ରର ଉଦ୍ଭବ ହେଲା ଏବଂ ଗାୟତ୍ରୀ ମନ୍ତ୍ରରୁ ବେଦ ପ୍ରକାଶିତ ହେଲା ।

ଭାରତର ଉତ୍ତର ଦିଗରେ ହିମାଳୟ ପର୍ବତମାଳା ବିଦ୍ୟମାନ । ଯୁଗ ଯୁଗରୁ ଏହି ପର୍ବତମାଳା କୋଟି କୋଟି ଭକ୍ତ ମାନଙ୍କ ଠାରେ ଦିବ୍ୟ ଭାବନା ଓ ବିସ୍ମୟ ପ୍ରକଟିତ କରିଆସୁଛି । ଏହାର ବାୟୁମଣ୍ଡଳ, ପରିବେଶ ଏବଂ ଏକାନ୍ତତା, ସାଧନା ଦ୍ୱାରା ଆଧ୍ୟାତ୍ମିକ ଉନ୍ନତି କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ସେଥିପାଇଁ ଅନେକ ଋଷି-ମୁନି ଏଠାରେ ସୂକ୍ଷ୍ମ ଶରୀରରେ ସାଧନାରତ ରହି, ନିଜର ତଥା ସମାଜର କଲ୍ୟାଣ ସାଧନ କରିଥାଆନ୍ତି । ତେଣୁ ସମସ୍ତ ପର୍ବତମାଳାଙ୍କ ମଧ୍ୟରେ ହିମାଳୟ ଭଗବାନଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶ ଅଟେ ।

ଯଜ୍ଞ ଭଗବାନଙ୍କଠାରେ ନିଜକୁ ସମର୍ପଣ କରିବାର ଏକ ପ୍ରକ୍ରିୟା ଅଟେ । ସମସ୍ତ ପ୍ରକାରର ଯଜ୍ଞ ମଧ୍ୟରେ ସରଳତମ ଭଗବାନଙ୍କର ନାମ ଜପ ଅଟେ । ଏହାକୁ ଜପ ଯଜ୍ଞ କୁହାଯାଏ । ଅର୍ଥାତ୍ ଭଗବାନଙ୍କର ଦିବ୍ୟ ନାମର ବାରମ୍ବାର ଉଚ୍ଚାରଣ ଦ୍ୱାରା ନିଜକୁ ତାଙ୍କଠାରେ ଉତ୍ସର୍ଗ କରିବା । ପାରମ୍ପରିକ ଯଜ୍ଞ ଅନୁଷ୍ଠାନରେ, ଅନେକ ନିୟମ ଅତ୍ୟନ୍ତ ସାବଧାନତା ପୂର୍ବକ ପାଳନ କରିବାକୁ ପଡ଼ିଥାଏ । କିନ୍ତୁ ଜପ ଯଜ୍ଞରେ କୌଣସି ନିୟମ ନାହିଁ । ଏହା ଯେ କୌଣସି ସ୍ଥାନ ଏବଂ ଯେ କୌଣସି ସମୟରେ କରିହେବ ଏବଂ ଅନ୍ୟ ଯଜ୍ଞ ପଦ୍ଧତିମାନଙ୍କଠାରୁ ଏହା ବ୍ୟକ୍ତିକୁ ଅଧିକ ମାତ୍ରାରେ ଶୁଦ୍ଧ କରିଥାଏ । ବର୍ତ୍ତମାନର କଳିଯୁଗରେ ଭଗବାନଙ୍କ ନାମ ଜପକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

କଳିଯୁଗ କେବଳ ନାମ ଆଧାରା, ସୁମିରି ସୁମିରି ନର ଉତରହିଁ ପାରା ।

କଳିଯୁଗରେ ଭଗବାନଙ୍କର ନାମ ଜପ କରିବା ଏବଂ ସ୍ମରଣ କରିବା, ମାୟାର୍ଣ୍ଣବରୁ ଉତ୍ତୀର୍ଣ୍ଣ ହେବାର ଏକମାତ୍ର ସାଧନ ଅଟେ ।”