Bhagavad Gita: Chapter 10, Verse 18

ବିସ୍ତରେଣାତ୍ମନୋ ଯୋଗଂ ବିଭୂତିଂ ଚ ଜନାର୍ଦ୍ଦନ ।
ଭୂୟଃ କଥୟ ତୃପ୍ତିର୍ହି ଶୃଣ୍ୱତୋ ନାସ୍ତି ମେଽମୃତମ୍ ।।୧୮।।

ବିସ୍ତରେଣ - ବିସ୍ତାର ପୂର୍ବକ; ଆତ୍ମନଃ - ଆପଣଙ୍କ ସମ୍ବନ୍ଧରେ; ଯୋଗଂ - ଦିବ୍ୟ ଯଶ; ବିଭୂତିଂ - ଐଶ୍ୱର୍ଯ୍ୟ; ଚ - ଏବଂ; ଜନାର୍ଦନ - ହେ ଶ୍ରୀକୃଷ୍ଣ; ଭୂୟଃ - ପୁନଶ୍ଚ; କଥୟ - ବର୍ଣ୍ଣନା କରନ୍ତୁ; ତୃପ୍ତିଃ - ତୃପ୍ତି, ସନ୍ତୋଷ; ହି - ନିଶ୍ଚିତରୂପେ; ଶୃଣ୍ୱତଃ - ଶୁଣି; ନ ଅସ୍ତି - ନାହିଁ; ମେ - ମୋର; ଅମୃତଂ -ଅମୃତ ।

Translation

BG 10.18: ହେ ଜନାର୍ଦ୍ଦନ! ଦୟାକରି ବିସ୍ତାରପୂର୍ବକ ଆପଣଙ୍କର ଦିବ୍ୟ ଐଶ୍ୱର୍ଯ୍ୟ ଏବଂ ମହିମାର ବର୍ଣ୍ଣନା କରନ୍ତୁ । ଆପଣଙ୍କର ଅମୃତ ଯେତେ ଶୁଣିଲେ ବି ମୁଁ ତୃପ୍ତ ହେଉନାହିଁ ।

Commentary

ଆପଣଙ୍କର “... ଅମୃତ ତୁଲ୍ୟ ବାଣୀ ଶୁଣି’’ କହିବା ପରିବର୍ତ୍ତେ ଅର୍ଜୁନ କହୁଛନ୍ତି, “...ଆପଣଙ୍କର ଅମୃତ ଶୁଣି’’ । ଏଠାରେ ସେ ବାଣୀ  ଶବ୍ଦକୁ ଉହ୍ୟ ରଖିଛନ୍ତି । ଏହା ଏକ ସାହିତ୍ୟିକ କୌଶଳ, ଯାହାକୁ ଅତିଶୟୋକ୍ତି କୁହାଯାଏ, ଯେଉଁଥିରେ ତୁଳନୀୟ ବସ୍ତୁକୁ ଉହ୍ୟ ରଖାଯାଇଥାଏ । ସେ ଶ୍ରୀକୃଷ୍ଣଙ୍କ ଜନାର୍ଦ୍ଦନ ବୋଲି ସମ୍ବୋଧନ କରୁଛନ୍ତି, ଯାହାର ଅର୍ଥ “ଜଣେ ଦୟାବାନ ବ୍ୟକ୍ତିତ୍ୱ, ଯିଏ ଦୁଃଖୀର ଦୁଃଖ ହରଣ କରିଥାଆନ୍ତି ।”

ଯେଉଁମାନେ ଭଗବାନଙ୍କୁ ଭଲ ପାଆନ୍ତି, ଭଗବାନଙ୍କ ମହିମାର ବର୍ଣ୍ଣନା ସେମାନଙ୍କ ପାଇଁ ଅମୃତ ତୁଲ୍ୟ ଅଟେ । ଶ୍ରୀକୃଷ୍ଣଙ୍କର ଅମୃତମୟ ବାଣୀକୁ କର୍ଣ୍ଣଦ୍ୱାରା ପାନ କରିବା ପରେ, ଅର୍ଜୁନ ତାଙ୍କୁ ଭୂୟଃ କଥୟ, ଅର୍ଥାତ୍ “ପୁଣିଥରେ କହନ୍ତୁ, ଆପଣଙ୍କର ମହିମା ଶ୍ରବଣ କରିବାର ମୋର ତୃଷ୍ଣା ତୃପ୍ତ ହେଉନାହିଁ”କହି ଉତ୍ସାହିତ କରୁଛନ୍ତି । ଦିବ୍ୟ ଅମୃତର ଗୁଣ ଏହିପରି ଅଟେ । ଏହା ଆମକୁ ତୃପ୍ତ କରିବା ସହିତ ଆମର ତୃଷ୍ଣାକୁ ଅଧିକ ଉଦ୍ଦୀପ୍ତ କରିଥାଏ । ନୈମିଶାରଣ୍ୟର ଋଷିମୁନିମାନେ, ସୁତ ଗୋସ୍ୱାମୀଙ୍କଠାରୁ ଶ୍ରୀମଦ୍ ଭାଗବତମ୍ ଶ୍ରବଣ କରୁଥିବା ସମୟରେ ଏହିପରି କହିଥିଲେ:

ବୟଂ ତୁ ନ ବିତୃପ୍ୟାମ ଉତ୍ତମଶ୍ଲୋକବିକ୍ରମେ,
ଯଚ୍ଛୃନ୍ୱତାଂ ରସଜ୍ଞାନାଂ ସ୍ୱାଦୁ ସ୍ୱାଦୁ ପଦେ ପଦେ । (୧.୧.୧୯)

ଶ୍ରୀକୃଷ୍ଣଙ୍କର ଭକ୍ତମାନେ ତାଙ୍କର ଦିବ୍ୟ ଲୀଳା ଶ୍ରବଣରେ କେବେବି କ୍ଲାନ୍ତ ହୁଅନ୍ତି ନାହିଁ । ତାଙ୍କ ଦିବ୍ୟ ଲୀଳାର ଅମୃତ ଏପରି ଯେ ତାହାର  ଆସ୍ୱାଦନ ଯେତେ ଅଧିକ କରାଯାଏ, ତୃଷ୍ଣା ସେତେ ଅଧିକ ବୃଦ୍ଧି ଲାଭ କରିଥାଏ ।”