Bhagavad Gita: Chapter 10, Verse 32

ସର୍ଗାଣାମାଦିରନ୍ତଶ୍ଚ ମଧ୍ୟଂ ଚୈବାହମର୍ଜୁନ ।
ଅଧ୍ୟାତ୍ମବିଦ୍ୟା ବିଦ୍ୟାନାଂ ବାଦଃ ପ୍ରବଦତାମହମ୍ ।।୩୨।।

ସର୍ଗାଣାଂ- ସମସ୍ତ ସୃଷ୍ଟିରେ; ଆଦି- ମୂଳ; ଅନ୍ତଃ-ଶେଷ; ଚ - ଏବଂ; ମଧ୍ୟଂ- ମଧ୍ୟ; ଚ - ଏବଂ; ଏବ - ନିଶ୍ଚିତରୂପେ; ଅହଂ - ମୁଁ; ଅର୍ଜୁନଃ - ହେ ଅର୍ଜୁନ; ଅଧ୍ୟାତ୍ମବିଦ୍ୟା - ଅଧ୍ୟାତ୍ମଜ୍ଞାନ; ବିଦ୍ୟାନାମ୍ - ବିଦ୍ୟାମାନଙ୍କ ମଧ୍ୟରେ ; ବାଦଃ - ସିଦ୍ଧାନ୍ତ; ପ୍ରବଦତାଂ - ଯୁକ୍ତିମାନଙ୍କ ମଧ୍ୟରେ; ଅହଂ - ମୁଁ ।

Translation

BG 10.32: ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ ମଧ୍ୟରେ ମୁଁ ସିଦ୍ଧାନ୍ତ ଅଟେ ।

Commentary

ପୂର୍ବରୁ ବିଂଶତମ ଶ୍ଲୋକରେ, ଶ୍ରୀକୃଷ୍ଣ କହିଥିଲେ ଯେ, ସେ ସମସ୍ତ ପ୍ରାଣୀମାନଙ୍କର ଆଦି, ମଧ୍ୟ ଓ ଅନ୍ତ ଅଟନ୍ତି । ବର୍ତ୍ତମାନ, ସମଗ୍ର ସୃଷ୍ଟି ଉଦ୍ଦେଶ୍ୟରେ ସେ ସେହିକଥା କହୁଛନ୍ତି, “ଯାହାକିଛି ସୃଷ୍ଟି ହୋଇଛି, ଯଥା ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ - ଯେଉଁମାନଙ୍କୁ ସର୍ଗ କହନ୍ତି, ସମସ୍ତଙ୍କର ସ୍ରଷ୍ଟା (ଆଦି), ପାଳନକର୍ତ୍ତା (ମଧ୍ୟ) ଏବଂ ବିନାଶକର୍ତ୍ତା (ଅନ୍ତ) ମୁଁ ଅଟେ । ଅତଏବ, ସୃଷ୍ଟି-ପାଳନ-ବିଲୟ ଏହି ପ୍ରକ୍ରିୟା ମୋର ବିଭୂତି ଅଟେ ।

ବିଦ୍ୟାର ତାତ୍ପର୍ଯ୍ୟ ଶିକ୍ଷାପଦ୍ଧତି ଯଦ୍ୱାରା କୌଣସି ବିଷୟରେ ଜ୍ଞାନ ଆହରଣ କରାଯାଏ । ଶାସ୍ତ୍ରରେ ଅଠର ପ୍ରକାର ବିଦ୍ୟାର ବର୍ଣ୍ଣନା ରହିଛି ।

ଅଙ୍ଗାନି ବେଦାଶ୍ଚତ୍ୱାରୋ ମୀମାଂସା ନ୍ୟାୟ ବିସ୍ତରଃ
ପୁରାଣଂ ଧର୍ମଶାସ୍ତ୍ରଂ ଚ ବିଦ୍ୟା ହ୍ୟେତାଶ୍ଚତୁର୍ଦଶ ।
ଆୟୁର୍ବେଦୋ ଧନୁର୍ବେଦୋ ଗାନ୍ଧର୍ବଶ୍ଚୈବ ତେ ତ୍ରୟଃ
ଅର୍ଥଶାସ୍ତ୍ରଂ ଚତୁର୍ଥଂ ତୁ ବିଦ୍ୟା ହ୍ୟଷ୍ଟାଦଶୈବ ତାଃ । (ବିଷ୍ଣୁ ପୁରାଣ ୩.୬.୨୭-୨୮)

ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଜ୍ୟୋତିଷ, ଛାନ୍ଦ- ଏହି ଛଅ ପ୍ରକାର ବିଦ୍ୟାକୁ ବେଦାଙ୍ଗ କୁହାଯାଏ (ବେଦର ଅଙ୍ଗ) । ଋକ୍‌, ଯଜୁଃ, ସାମ, ଅଥର୍ବ ଏହି ଚାରୋଟି ବେଦର ଶାଖା ଅଟନ୍ତି । ଏତଦ୍ ବ୍ୟତିତ ମୀମାଂସା, ନ୍ୟାୟ, ଧର୍ମ ଶାସ୍ତ୍ର ଓ ପୁରାଣ - ଏହିପରି ଭାବରେ ଚଉଦଟି ମୁଖ୍ୟ ବିଦ୍ୟା ରହିଛି ।” ଏହି ସବୁ ବିଦ୍ୟାର ଅଧ୍ୟୟନ ଆମର ବୁଦ୍ଧିକୁ ପରିପକ୍ୱ କରେ, ଜ୍ଞାନକୁ ଗଭୀର କରେ,ଏବଂ ଧର୍ମ ମାର୍ଗ ବିଷୟରେ ସଚେତନତା ବୃଦ୍ଧି କରାଏ । ତାଛଡା, ଆଧ୍ୟାମିôକ ବିଜ୍ଞାନ ମନୁଷ୍ୟକୁ ସାଂସାରିକ ବନ୍ଧନରୁ ମୁକ୍ତ କରାଇ ଅମରତ୍ୱ ପ୍ରଦାନ କରିଥାଏ । ତେଣୁ ଅନ୍ୟ ସବୁ ବିଦ୍ୟାଠାରୁ ଏହା ଉତ୍କୃଷ୍ଟତର ଅଟେ । ଏହା ଶ୍ରୀମଦ୍ ଭାଗବତମ୍‌ରେ ମଧ୍ୟ ଉଲ୍ଲେଖ ରହିଛି: ସା ବିଦ୍ୟା ତନ୍‌୍‌ମତିର‌୍ୟୟା (ଶ୍ଲୋକ ୪.୨୪.୪୯) “ତାହାହିଁ ସର୍ବଶ୍ରେଷ୍ଠ ବିଦ୍ୟା ଅଟେ, ଯାହା ଦ୍ୱାରା ବୁଦ୍ଧି ଭଗବାନଙ୍କ ପାଦ ପଦ୍ମରେ ସଂଯୁକ୍ତ ହୁଏ ।

ତର୍କକ୍ଷେତ୍ରରେ, ଜଳ୍ପ ଅର୍ଥ, ନିଜର ମତକୁ ସିଦ୍ଧ କରିବା ପାଇଁ ଅନ୍ୟର ଉକ୍ତିରେ ତ୍ରୁଟି ଖୋଜିବା । ବିତଣ୍ଡା ହେଉଛି  ସତ୍ୟ ଆଧାରରେ ବିଚାର ନ କରି ଅଯଥା ଯୁକ୍ତି ଦ୍ୱାରା ତାକୁ ଏଡ଼ାଇ ଦେବା; ବାଦ ର ଅର୍ଥ କୌଣସି ବିଚାରର ଯୁକ୍ତିଯୁକ୍ତ ନିର୍ଣ୍ଣୟ । ତର୍କ ମତାମତ ପ୍ରକାଶ କରିବା ଏବଂ ସତ୍ୟକୁ ସ୍ଥାପିତ କରିବାର ଆଧାର ଅଟେ ।  ତର୍କର ସାର୍ବଜନୀନତା ଯୋଗୁଁ ଜ୍ଞାନର ବିକାଶ, ଅର୍ଜନ ଏବଂ ବିତରଣ ସମ୍ଭବ ହୋଇଥାଏ । ଶିକ୍ଷା ଦିଆଯାଇପାରିବ ଏବଂ ଆହରଣ କରାଯାଇ ପାରିବ । ତର୍କର ଏହି ସାର୍ବଜନିକ ନିୟମ ଭଗବାନଙ୍କ ଶକ୍ତିର ପରିପ୍ରକାଶ ଅଟେ ।