ଜ୍ଞାନଯଜେ୍ଞନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ ।
ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତୋମୁଖମ୍ ।।୧୫।।
ଜ୍ଞାନ ଯଜେ୍ଞନ - ଜ୍ଞାନ ଆହରଣ ଦ୍ୱାରା; ଚ - ମଧ୍ୟ; ଅପି - ନିଶ୍ଚିତରୂପେ; ଅନ୍ୟେ - ଅନ୍ୟମାନେ; ଯଜନ୍ତଃ - ପୂଜାକରି; ମାଂ - ମୋତେ; ଉପ।।ସତେ - ପୂଜା କରନ୍ତି; ଏକତ୍ୱେନ - ଏକତ୍ୱଭାବରେ; ପୃଥକ୍ ତ୍ୱେନ - ପୃଥକ ଭାବରେ; ବହୁଧା - ଅନେକ ପ୍ରକାରେ; ବିଶ୍ୱତଃ-ମୁଖମ୍ - ବିଶ୍ୱରୂପରେ ।
Translation
BG 9.15: ଯେଉଁମାନେ ଜ୍ଞାନ ଯଜ୍ଞ କରନ୍ତି, ସେମାନେ ମୋର ଉପାସନା ବିଭିନ୍ନ ଭାବରେ କରନ୍ତି । କେତେଜଣ ଅଦ୍ୱୈତ ରୂପରେ ଅର୍ଥାତ ମୋତେ ସେମାନଙ୍କ ଠାରୁ ଅଭିନ୍ନ ଏବଂ ଆଉ କେତେଜଣ ମୋତେ ସେମାନଙ୍କ ଠାରୁ ପୃଥକ ମନେ କରିଥାଆନ୍ତି । ଅନ୍ୟ କେତେଜଣ ମୋର ସର୍ବବ୍ୟାପୀ ବିଶ୍ୱରୂପର ଉପାସନା କରିଥାଆନ୍ତି ।
Commentary
ପରମ ସତ୍ୟକୁ ପ୍ରାପ୍ତ କରିବା ପାଇଁ ସାଧକମାନେ ବିଭିନ୍ନ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରିଥାନ୍ତି । ଶ୍ରୀକୃଷ୍ଣ ପୂର୍ବରୁ ଭକ୍ତ କିଏ ତାହା ବର୍ଣ୍ଣନା କରିଥିଲେ । ନିଜକୁ ଭଗବାନଙ୍କର ସନାତନ ଅଂଶ ଏବଂ ସେବକ ମନେକରି, ସେମାନେ ତାଙ୍କ ପାଦପଦ୍ମରେ ପୂର୍ଣ୍ଣ ଶରଣାଗତ ହୋଇଥାନ୍ତି । ବର୍ତ୍ତମାନ ଶ୍ରୀକୃଷ୍ଣ ସାଧକମାନେ ଅନୁସରଣ କରୁଥିବା ଅନ୍ୟ ମାର୍ଗ ସମ୍ପର୍କରେ କହୁଛନ୍ତି ।
ଯେଉଁମାନେ ଜ୍ଞାନ ମାର୍ଗ ଅନୁସରଣ କରନ୍ତି, ସେମାନେ ନିଜକୁ ଭଗବାନଙ୍କ ଠାରୁ ଅଭିନ୍ନ ମନେକରନ୍ତି । ସେମାନେ ‘ସୋହମ୍’ (ମୁଁ ସିଏ ଅଟେ), ‘ଶିବୋହମ୍’ (ମୁଁ ଶିବ ଅଟେ) ଆଦି ସୂତ୍ରର ଗଭୀର ଅନୁଧ୍ୟାନ କରନ୍ତି । ପରମ ତତ୍ତ୍ୱକୁ ଅଦ୍ୱୈତ ବ୍ରହ୍ମ ରୂପରେ ପ୍ରାପ୍ତ କରିବା ସେମାନଙ୍କର ଅନ୍ତିମ ଲକ୍ଷ୍ୟ ଅଟେ । ଜ୍ଞାନୀ ମାନଙ୍କର ବ୍ରହ୍ମ ସତ୍-ଚିତ୍-ଆନନ୍ଦ ସ୍ୱରୂପ, ଅଥଚ ରୂପ, ଗୁଣ, ଶକ୍ତି ଓ ଲୀଳା ରହିତ ଅଟନ୍ତି । ଶ୍ରୀକୃଷ୍ଣ କହୁଛନ୍ତି, ଜ୍ଞାନୀମାନେ ମଧ୍ୟ ତାଙ୍କର ଉପାସକ ଅଟନ୍ତି, କିନ୍ତୁ ସେମାନେ ତାଙ୍କର ସର୍ବବ୍ୟାପୀ ନିରାକାର ରୂପର ଉପାସନା କରିଥାନ୍ତି । ଅପର ପକ୍ଷରେ, ଅଷ୍ଟାଙ୍ଗ ଯୋଗୀ ଆଦି ଅନ୍ୟମାନେ ନିଜକୁ ଭଗବାନଙ୍କଠାରୁ ପୃଥକ ମାନନ୍ତି ଏବଂ ସେହି ଭାବରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥାଆନ୍ତି ।
ପୁଣି ଅନ୍ୟମାନେ ବିଶ୍ୱ ବ୍ରହ୍ମାଣ୍ଡକୁ ଭଗବାନ ରୂପେ ପୂଜା କରନ୍ତି । ବୈଦିକ ଦର୍ଶନରେ ଏହାକୁ ବିଶ୍ୱରୂପ ଉପାସନା କୁହାଯାଏ । ପାଶ୍ଚାତ୍ୟ ଦର୍ଶନରେ ଏହାକୁ ‘ପାନ୍ଥେଇଜମ୍’ କୁହାଯାଏ । ଏହା ଗ୍ରୀକ୍ ଶବ୍ଦ ପାନ୍ (ସମସ୍ତ) ଓ ଥିଓସ୍ (ଭଗବାନ)ରୁ ଉଦ୍ଧୃତ । ସ୍ପିନୋଜା ଏହି ଦର୍ଶନର ପ୍ରସିଦ୍ଧ ପ୍ରଚାରକ ଥିଲେ । ଯେହେତୁ ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କର ଅଂଶ ଅଟେ, ତେଣୁ ସେଥି ପ୍ରତି ଦିବ୍ୟ ଭାବନା ରଖିବା ଭୁଲ ନୁହେଁ, କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଟେ । ଏପରି ସାଧକମାନଙ୍କର ଭଗବାନଙ୍କର ଅନ୍ୟ ସ୍ୱରୂପ ସମ୍ବନ୍ଧରେ କୌଣସି ଜ୍ଞାନ ନ ଥାଏ; ଯଥା ବ୍ରହ୍ମ (ସର୍ବବ୍ୟାପୀ ନିରାକାର ସ୍ୱରୂପ), ପରମାତ୍ମା (ସମସ୍ତଙ୍କ ହୃଦୟରେ ନିବାସ କରୁଥିବା ପରମାତ୍ମା) ଏବଂ ଭଗବାନ (ଭଗବାନଙ୍କର ସାକାର ରୂପ) । ଏହିସବୁ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତିି ମାନେ ଗୋଟିଏ ଭଗବାନଙ୍କର ଉପାସନା କିପରି କରନ୍ତି, ତାହାର ସମାଧାନ ଶ୍ରୀକୃଷ୍ଣ ପରବର୍ତ୍ତୀ ଶ୍ଲୋକ ମାନଙ୍କରେ କରୁଛନ୍ତି ।